ମଧୁବାବୁଙ୍କ ଜନ୍ମପୀଠର ଉନ୍ନତି ପାଇଁ ପ୍ରତିଶ୍ରୁତି

ଜନ୍ମପୀଠରେ ମଧୁବାବୁଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି

ସାଲେପୁର : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରାଣକର୍ତ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସାଲେପୁର ବ୍ଲକ୍‌ ଅନ୍ତର୍ଗତ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ଜନ୍ମପୀଠରେ ପହଞ୍ଚ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱଳ୍ପ ଭାଷଣରେ ମଧୁବାବୁଙ୍କୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ବୋଲି କହିବା ସହ ତାଙ୍କ ଜନ୍ମପୀଠର ଉନ୍ନତିକରଣ ପାଇଁ ଭାରତ ସରକାର ଏବଂ ସଂସ୍କୃତି ବିଭାଗ ସହିତ ଆଲୋଚନା କରି ଖୁବ୍‌ ଶୀଘ୍ର ଏକ ସ୍ୱତନ୍ତ୍ର ଟିମ୍‌ ପଠାଇବେ ବୋଲି କହିଥିଲେ। ଏଥିସହ ଖୁବ୍‌ ଶୀଘ୍ର କଟକ ଜିଲ୍ଲାରୋ କୁଟୀରଶିଳ୍ପର ବିକାଶ ତଥା ମଧୁବାବୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଚମଡ଼ା ଶିଳ୍ପ ଏବଂ ତାରକସୀ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ କେନ୍ଦ୍ରମନ୍ତ୍ରୀ ବୋଲି ଘୋଷଣା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ମଧୁବାବୁଙ୍କର ଏନ୍ତୁଡ଼ିଶାଳ, ମଧୁବାବୁଙ୍କ କୋଠରୀ ସମେତ ବାଳାଶ୍ରମ ଓ କସ୍ତୁରବା ଗାନ୍ଧି ସ୍ମାରକନିଧି ଟ୍ରଷ୍ଟର କାର୍ଯ୍ୟାଳୟ ସମେତ ମଧୁବାବୁଙ୍କ ପୀଠରେ ଥିବା ବହୁ ଐତିହାସିକ ସ୍ଥାନ ପରିଦର୍ଶନ କରିଥିଲେ। ପ୍ରାରମ୍ଭରେ ଗୋପୀନାଥପୁରସ୍ଥିତ ହରିଡ଼ାପଡ଼ିଆରେ ହେଲିକପ୍ଟର ଯୋଗେ ଦିନ ପ୍ରାୟ ୧୧.୫୦ମି. ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂଦେଓ ଅବତରଣ କରିବା ପରେ କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତୃବୃନ୍ଦଙ୍କୁ ମଧୁବାବୁଙ୍କ ପୀଠକୁ ପାଛୋଟି ନେଇଥିଲେ। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ବିଳମ୍ବ ନେଇ ଉପସ୍ଥିତ ମଧୁପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ବାଜା, ଘୋଡ଼ାନାଚ ଓ ପଟୁଆର ମାଧ୍ୟମରେ ମଧୁପୀଠକୁ ନିଆଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଯଦି ମନ୍ତ୍ରୀ ମହାନ୍‌ ମହାପୁରୁଷଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆସିଥିଲେ, ତେବେ କ’ଣ ପାଇଁ ବିଜେପି ପକ୍ଷରୁ ଏଭଳି ପ୍ରହସନ ଚାଲିଥିଲା?

ଅପରପକ୍ଷରେ ପୂଜ୍ୟପୂଜାକୁ ସମ୍ମାନ ଦେବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କୁ ପ୍ରଥମେ ବିଜେପି କର୍ମୀମାନେ ଯେଭଳି ସମ୍ମାନ ଦେଲେ ମଧୁବାବୁଙ୍କୁ ସେଭଳି ସମ୍ମାନ ଦିଆଗଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ରାଜ୍ୟ ଉପସଭାପତି ନୟନକିଶୋର ମହାନ୍ତି, ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ଯୁବନେତା ରଶ୍ମିରଂଜନ ଲେଙ୍କା, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସତ୍ୟବାଦୀ ଚଇନି, ବିଜେପି ନେତା ଅନିଲ କୁମାର ଦାସ, ତାପସ ଜେନା, ଅମିତା ସାହାଣୀ, ପୂର୍ବତନ ସରପଞ୍ଚ ଗୋଲଖ ଦାସ, ବିଜେପି ନେତା ବିଜନ ଶତପଥୀ ଉପସ୍ଥିତ ଥିବାବେଳେ ମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ମଧୁପ୍ରେମୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ମଧ୍ୟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର