ନ୍ୟାୟ ପାଇଲାନି ‘ପାଇକ ବିଦ୍ରୋହ’

ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ମାନିଲାନି କେନ୍ଦ୍ର

୭୫ତମ ସ୍ବାଧୀନତା ଦିବସ କାର୍ଯ୍ୟସୂଚୀ ପ୍ରକାଶ
ରାଜ୍ୟ ସରକାର ବି ନିରବ

ଭୁବନେଶ୍ବର : ଚଳିତ ବର୍ଷ ଦେଶ ପାଳନ କରୁଛି ସ୍ବାଧୀନତାର ୭୫ ବର୍ଷ। ଏହାକୁ ପ୍ରଭାବୀ ଢଙ୍ଗରେ ଆୟୋଜନ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଏଥି ପାଇଁ ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ଯାଏ ବହୁ କାର୍ଯ୍ୟକ୍ରମ ସ୍ଥିର ହେ‌ାଇଛି। ଦେଶର କେଉଁ ସ୍ଥାନରେ କି କି କାର୍ଯ୍ୟକ୍ରମ ହେବ, ତାହାର ବି ତାଲିକା ଆପାତତଃ ଚୂଡ଼ାନ୍ତ ହୋଇଛି। ପାଇକ ବିଦ୍ରୋହ ସ୍ମୃତିରେ ଏକ କାର୍ଯ୍ୟକ୍ରମ ମଧ୍ୟ ଭୁବନେଶ୍ବରରେ ରଖାଯାଇଛି। କିନ୍ତୁ ତାହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ମାନି ନାହାନ୍ତି କେନ୍ଦ୍ର ସରକାର। ବରଂ ସିପାହୀ ବିଦ୍ରୋହକୁ ହିଁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ମାନ୍ୟତା ଦେଇ କାର୍ଯ୍ୟକ୍ରମ ରଖାଯାଇଛି।

ସ୍ବାଧୀନତା ସଂଗ୍ରାମର ୭୫ ବର୍ଷ ପାଳନ କାର୍ଯ୍ୟକ୍ରମ ଗତ ୧୨ ତାରିଖରେ ସାବରମତୀରେ ଉଦ୍‌ଘାଟିତ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ ଉଦ୍‌ଘାଟନ କରିଥିଲେ। ଏହା ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରଖାଯାଇଛି। ମେ’ ୧୦ ତାରିଖରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ଉପଲକ୍ଷେ ମିରଟ, ବାରାକପୁର ଓ ନୀଲଗଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା ‌େହାଇଛି। ଏହା ସହ ଲାଲକିଲ୍ଲାରେ ମଧ୍ୟ ପ୍ରଥମ ସ୍ବାଧୀନତା ସଂଗ୍ରାମର ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ହେବ।

ରାଜ୍ୟ ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି। ରାଜ୍ୟରେ ଦଳ, ମତ ନିର୍ବିଶେଷରେ ଏହି ଦାବିକୁ ସମର୍ଥନ କରାଯାଇଛି। ଏଥି ପାଇଁ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ବହୁ କାର୍ଯ୍ୟକ୍ରମ ଓଡ଼ିଶା ସରକାର ଆୟୋଜନ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏ ଯାଏ ଯେ ଓଡ଼ିଶାର ଦାବିକୁ ଗ୍ରହଣ କରି ନାହାନ୍ତି, ତାହା ଆପତତଃ ଏବେ ସ୍ପଷ୍ଟ ହୋଇଛି। ସ୍ବାଧୀନତାର ୭୫ ବର୍ଷ ପାଳନର କାର୍ଯ୍ୟସୂଚୀ ଓଡ଼ିଶା ସରକାରଙ୍କ ହସ୍ତଗତ ହୋଇଥିଲେ ମଧ୍ୟ କିଛି ପ୍ରତିକ୍ରିୟା ପ୍ରକାଶ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କେନ୍ଦ୍ର ସରକାରଙ୍କ କାର୍ଯ୍ୟସୂଚୀରେ ଆସନ୍ତା ଜୁନ୍ ୨୫ ତାରିଖରେ ଭୁବନେଶ୍ବରରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହର ସ୍ମରଣରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୧୮୦୬ ମସିହା ପରେ ବକ୍ସିଙ୍କ ନେତୃ୍ତ୍ବରେ ଇଷ୍ଟ ଇଣ୍ଡିଆ ବିରୋଧରେ ସଶସ୍ତ୍ର ସଂଗ୍ରାମ ହୋଇଥିଲା ବୋଲି ଏଥିରେ ଉଲ୍ଲେଖ ଅଛି। କିନ୍ତୁ ସେହି ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର କୁଣ୍ଠାବୋଧ କରିଛନ୍ତି।

ଜୁଲାଇ ୧୬ ତାରିଖରେ ଓଡ଼ିଶାରେ ଆଉ ଏକ କାର୍ଯ୍ୟକ୍ରମ ରଖାଯାଇଛି। ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ କଟକରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର