ନୂଆଦିଲ୍ଲୀ: ୧୮୧୭ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ବିରୋଧରେ ଓଡ଼ିଆ ପାଇକଙ୍କ ଦ୍ୱାରା ହୋଇଥିବା ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ବୋଲି କୁହାଯାଇପାରିବ ନାହିଁ | ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି | ରାଜ୍ୟସଭାରେ ବିଜେଡି ସଦସ୍ୟ ପ୍ରଶାନ୍ତ ନନ୍ଦ ପଚାରିଥିଲେ ଯେ ଏହା ସତ କି ପାଇକ ବିଦ୍ରୋହ ଭଳି ଐତିହାସିକ ଘଟଣାର ୨୦୦ ବର୍ଷ ହୋଇଯାଇଥିଲେ ବି ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ପାଇଁ ଓଡିଶା ସରକାରଙ୍କ ପ୍ରସ୍ତାବ ସଂସ୍କୃତି ମନ୍ତ୍ରାଳୟ ପାଖରେ ପଡ଼ିରହିଛି ? ସରକାର ଜୟୀ ରାଜଗୁରୁଙ୍କ ସମେତ ଅନ୍ୟ ବୀର ପାଇକମାନଙ୍କୁ ସମ୍ମାନ ଦେବାକୁ କେବେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରିବେ ?

Advertisment

ଏହାର ଉତ୍ତରରେ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପାଇକ ବିଦ୍ରୋହକୁ ସ୍ଵାଧିନତାର ପ୍ରଥମ ସଂଗ୍ରାମ ବୋଲି କହିହେବ ନାହିଁ | ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଅନୁରୋଧ ସଂସ୍କୃତି ମନ୍ତ୍ରାଳୟର ହସ୍ତଗତ ହୋଇଥିଲା |

ଏହା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଅଧୀନ ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦର ଗବେଷକଙ୍କ ଦ୍ୱାରା ତର୍ଜମା କରାଯାଇଥିଲା | ଗବେଷକଙ୍କ ରିପୋର୍ଟ ମୁତାବକ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରାଯାଇପାରିବ ନାହିଁ |