ପାଠ୍ୟ ପୁସ୍ତକରେ ‘ପାଇକ ବିଦ୍ରୋହ’ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଉଲ୍ଲେଖ ହେଲାନି : ଘୋଷଣା କଲେ, କଥା ରଖିଲେନି…

ଭୁବନେଶ୍ୱର : ବଦଳିବ ଇତିହାସ। ଲେଖା ହେବ ସ୍ୱାଧୀନତା ସଂଗ୍ରାମର ନୂଆ ଅଧ୍ୟାୟ। ୧୮୧୭ରେ ଖୋର୍ଧାର ଗଡ଼ରୋଡ଼ଙ୍ଗରେ ମୁଣ୍ଡ ଟେକିଥିବା ‘ପାଇକ ବିଦ୍ରୋହ’ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇବ। ନୂତନ ଶିକ୍ଷାବର୍ଷରେ ଇତିହାସ ବହିରେ ଏହା ସ୍ଥାନ ପାଇବ। ୨୦୧୭ ଅକ୍ଟୋବର ୨୨ରେ ଉତ୍କଳ ମଣ୍ଡପ ମୁକ୍ତାକାଶ ମଞ୍ଚରେ ଆୟୋଜିତ ‘ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ’ରେ ଏହି ଘୋଷଣା କରିଥିଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଲା। ନୂଆ ପାଠ୍ୟ ପୁସ୍ତକ ବି ପ୍ରକାଶ ପାଇଲା। ସେଥିରେ କିନ୍ତୁ ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କେଉଁଠି ବି ସ୍ପଷ୍ଟ ଉଲ୍ଲେଖ ରହିଲା ନାହିଁ।

ମନ୍ତ୍ରୀ ଶ୍ରୀ ଜାଭଡେକରଙ୍କ କଥା ମୁତାବକ, ସଦ୍ୟ ପ୍ରକାଶିତ ସିବିଏସ୍‌ଇ ବହିର ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ଆଓ୍ଵାର ପାଷ୍ଟ୍‍ସ ୩ରୁ ପାର୍ଟ ୧ ପୁସ୍ତକରେ ପାଇକ ବିଦ୍ରୋହ ସମ୍ପର୍କରେ ଦେଢ଼ ପୃଷ୍ଠାର ବିବରଣୀ ତ ରହିଲା, କିନ୍ତୁ ମନ୍ତ୍ରୀ ସେଦିନ କହିଥିବା କଥା ରହିଲାନି। ପ୍ରାରମ୍ଭରେ କେବଳ ସୂଚାଇ ଦିଆଗଲା ଯେ, ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ପାଇକ ବିଦ୍ରୋହ ଖୋର୍ଧାଠାରେ ହୋଇଥିଲା। ପୁଣି ଶେଷ ଆଡ଼କୁ ଉଲ୍ଲେଖ ରହିଲା ଓଡ଼ିଶାରେ ଏହା ବି୍ରିଟିସ୍‌ ବିରୋଧରେ ସଶସ୍ତ୍ର ସଂଗ୍ରାମ। କିନ୍ତୁ କାହିଁକି ସ୍ପଷ୍ଟ ଭାବେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଲେଖାଗଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ଏନେଇ ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି ଯେ,୧୮୦୩ରୁ ଆରମ୍ଭ ହୋଇଥିବା ସଂଗ୍ରାମ ଏବଂ ୧୮୧୭ର ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ତେବେ ଓଡ଼ିଶାର ଏତେ ବଡ଼ ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାରେ କୁଣ୍ଠାବୋଧ କାହିଁକି ବୁଝି ହେଉନାହିଁ। ଏହାକୁ ସ୍ୱୀକାର କରିବା ପରେ ମଧ୍ୟ ପୁଣି ଏତେ ହୀନମାନ୍ୟତା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ପାଇଁ ଯେତେବେଳେ ଓଡ଼ିଶାରେ କସରତ ଚାଲିଥିଲା, ସେତେବେଳେ ଏହି ସ୍ୱପ୍ନ ଦେଖାଇଥିଲେ କେନ୍ଦ୍ରମନ୍ତ୍ରୀ। କହିଥିଲେ ପାଇକ ବିଦ୍ରୋହ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ସହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଉଲ୍ଲେଖ କରାଯିବ। ତେଣୁ ଓଡ଼ିଶା ବର୍ଷବର୍ଷ ଧରି ଯେଉଁ ଯୁକ୍ତି ରଖି ଆସୁଥିଲା, ତାହା ଶେଷରେ ପାଠ୍ୟ ପୁସ୍ତକରେ ଉଲ୍ଲେଖ ହେବା ପରେ ଉଦ୍ୟମ ସାକାର ହେବ ବୋଲି ସମସ୍ତେ ଧରି ନେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଗୃହ ବିଭାଗକୁ ଚିଠି ଲେଖିଥିଲେ। ତେବେ କେନ୍ଦ୍ରମନ୍ତ୍ରୀଙ୍କର ତତ୍କାଳୀନ ବୟାନ ଭାବାବେଗପୂର୍ଣ୍ଣ ଥିଲା ନା ଆନ୍ତରିକତା ଥିଲା ତାହା ଏବେ ସ୍ପଷ୍ଟ ହୋଇଛି।

ଯଦି ମନ୍ତ୍ରୀ ଜାଭଡେକରଙ୍କ ଘୋଷଣା ମୁତାବକ, ଓଡ଼ିଶାର ପାଇକ ବିଦ୍ରୋହ ଇତିହାସରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଉଲ୍ଲେଖ କରାଯାଇଥାଆନ୍ତା ତେବେ ସାରା ଦେଶର ପିଲାମାନେ ଏହି ନୂଆ ଇତିହାସ ପଢ଼ିଥା’ନ୍ତେ। ମାତ୍ର ଏଥିରେ ସେପରି ସ୍ପଷ୍ଟ ଉଲ୍ଲେଖ ନଥିବାରୁ ଯଦି ପରୀକ୍ଷାରେ ପ୍ରଶ୍ନ ଆସେ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କେବେ ହୋଇଥିଲା ? ତେବେ ପିଲା ଯେ ସିପାହୀ ବିଦ୍ରୋହ ବାଧ୍ୟ ହୋଇ ଲେଖିବେ ତାହା ସ୍ପଷ୍ଟ। ଏନେଇ ଶିକ୍ଷକ ଅଶୋକ ରାଉତରାୟ କହିଛନ୍ତି ଯେ, ଓଡ଼ିଶାରେ ସଂଗଠିତ ପାଇକ ବିଦ୍ରୋହ ପୂର୍ବରୁ କୌଣସି ପ୍ରଦେଶରେ ଏତେ ବଡ଼ ସଂଗ୍ରାମ ହୋଇ ନଥିବାରୁ ଏହା ଅନେକ ମହତ୍ତ୍ୱ ରଖେ। କିନ୍ତୁ ସିପାହୀ ବିଦ୍ରୋହ ସାରା ଦେଶକୁ ବ୍ୟାପିଥିବାରୁ ଏହା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇପାରିବ। ଏନେଇ କିଛି ବୁଦ୍ଧିଜୀବୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯଦି ଏହା ଠିକ୍‌, ତେବେ ସେଦିନ ମଞ୍ଚ ଉପରେ ମନ୍ତ୍ରୀ ଜାଭଡେକର ଓଡ଼ିଆଙ୍କୁ କାହିଁକି ସ୍ୱପ୍ନ ଦେଖାଇଲେ।

ସମ୍ବନ୍ଧିତ ଖବର