ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଦେବାକୁ ନିଷ୍ପତ୍ତି ନ ନେବା ଦୁର୍ଭାଗ୍ୟଜନକ : ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତିକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। କିନ୍ତୁ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ନିଷ୍ପତ୍ତି ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ। ଆଗାମୀ ଐତିହ୍ୟ କ୍ୟାବିନେଟ୍‌ ବୈଠକରେ ଏ ନେଇ ନିଷ୍ପତ୍ତି ନେବେ ବୋଲି ସେ ଆଶାପ୍ରକଟ କରିଛନ୍ତି।

ସୋସିଆଲ୍‌ ମିଡିଆରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ଏହି ମହାନ ବିପ୍ଳବର ସ୍ମାରକୀକୁ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଦେବା ପରି ଏକ ସ୍ମୃତିସ୍ଥଳ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥି ପାଇଁ ପାଇକ ବିଦ୍ରୋହର ରକ୍ତଭିଜା ମାଟି ବରୁଣେଇ ପାହାଡ଼ ତଳେ କିଛି ଜମି ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା ଓ ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ର ସଂସ୍କୃତି ବିଭାଗର ଏହି ଉଦ୍ୟମକୁ ସହଯୋଗର ହାତ ବଢ଼ାଇ ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡେସନ୍‌ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ବହୁ ବିଳମ୍ବରେ ହେଲେ ବି ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ, ସମାଜସେବା ତଥା ସଂସ୍କୃତି ପରମ୍ପରାର ପ୍ରେରଣାର କେନ୍ଦ୍ର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ନେବା ସ୍ୱାଗତଯୋଗ୍ୟ। ଏଥି ପାଇଁ କେନ୍ଦ୍ର ସରକାର ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଗତକାଲିର ଐତିହ୍ୟ କ୍ୟାବିନେଟ୍‌ ବୈଠକରେ କିଛି ନିଷ୍ପତ୍ତି ରାଜ୍ୟର ଇତିହାସକୁ ୧୦୦ ବର୍ଷ ଭିତରେ ସୀମିତ ରଖିବା ପରି ମାନସିକତା ଲାଗୁଛି। ଓଡ଼ିଶାର ହଜାର ହଜାର ବର୍ଷର ଐତିହ୍ୟ, ପରମ୍ପରା ଓ ବୀରତ୍ୱର କାହାଣୀ କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖୁଛି। ଏଥି ପ୍ରତି ମଧ୍ୟ ରାଜ୍ୟ ସରକାର ସଚେତନ ହେବାର ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର