ଭୁବନେଶ୍ବର : ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଓ ବରୁଣେଇଠାରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଶୁକ୍ରବାର ଦିନ ଖୋର୍ଧା ଓ ଭୁବନେଶ୍ବରରେ ଏକ ବିଶାଳ ପାଇକ ସମାବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପାଇକ ଆଖଡ଼ା ଦଳ, ଦଳେଇ, ଦଳବେହେରା, ପାଇକ ସର୍ଦ୍ଦାର, ଐତିହାସିକ ଓ ସାମରିକ ପରମ୍ପରାର ଗବେଷକ ଖୋର୍ଦ୍ଧା ବରୁଣେଇଠାରେ ମା’ ବରୁଣେଇଙ୍କୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ବାହାରିଥିଲେ। ଖୋର୍ଦ୍ଧାଗଡ଼ରୁ ବୀର ମାଟି ସଂଗ୍ରହ କରି ପଞ୍ଚପାଇକ ମହାରଥୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ। ପରେ ଏହି ପାଇକବାହିନୀ ଓ ଓଡ଼ିଶାର କୋଣଅନୁକୋଣରୁ ଆସିଥିବା ୫ହଜାର ପାଇକବାହିନୀ ଭୁବନେଶ୍ବରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଯୁଦ୍ଧବାଦ୍ୟର ତାଳେ ତାଳେ ପାଇକ ଆଖଡ଼ା ପ୍ରଦର୍ଶନ କରିବା ସହ ଦାବି ପୂରଣ ପାଇଁ ସ୍ଲୋଗାନ୍ ଦେଇଥିଲେ। ଶୋଭାଯାତ୍ରାଟି ରାମ ମନ୍ଦିର ଛକ ଦେଇ ଏକାମ୍ର ହାଟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ, ନ୍ୟାଯ୍ୟ ଦାବି ପୂରଣ ପାଇଁ ଆଜି ଆଉ ଏକ ପାଇକ ସଂଗ୍ରାମର ବିଗୁଲ୍ ବାଜିଲା। ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ କଲେ, ପାଇକ ବାହିନୀ ଦିଲ୍ଲୀରେ ବିପ୍ଲବ କରିବା ସହ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ। ଯେପର୍ଯ୍ୟନ୍ତ ଦାବି ହାସଲ ନ ହୋଇଛି, ସଂଗ୍ରାମ ଜାରି ରହିବ ବୋଲି ଡ. ଶ୍ରୀଚନ୍ଦନ କହିଥିଲେ। କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଚିଲିକାର ପୂର୍ବତନ ବିଧାୟକ ଦେବେନ୍ଦ୍ର ମାନସିଂହ, କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସମାଜସେବୀ ଗଣେଶ ସାମନ୍ତରାୟ, ବିଶିଷ୍ଟ ଐତିହାସିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର୍ ଡ. ନାରାୟଣ ରାଓ, ଗବେଷକ ଡ. ଗୋପାଳକୃଷ୍ଣ ଦାସ, ବିଶିଷ୍ଟ ବିଜେପି ନେତା ଅବନୀ ଜେନା, ନିଖିଳ ଓଡ଼ିଶା ପାଇକ ମହାସଂଘର ସଭାପତି ଡ. ଅଶୋକ ପାଲଟାସିଂହ, ପାଇକ ସର୍ଦ୍ଦାର କେଦାର ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦୁଇଟିଯାକ ଦାବି ପୂରଣ ନକଲେ ବିପ୍ଲବ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ।