ଭୁବନେଶ୍ବର : ଦେହରେ ପାରମ୍ପରିକ ପୋଷାକ, ହାତରେ ଖଣ୍ଡା, ଗଦା, ମୁଦ୍ଗର, ବନାଟି; ଯୁଦ୍ଧବାଦ୍ୟର ତାଳେ ତାଳେ ଚାଲିଥିଲା ସାମରିକ କଳା ପ୍ରଦର୍ଶନ। ପାଇକ ପୁଅଙ୍କ ହୁଙ୍କାରରେ କମ୍ପୁଥିଲା ସ୍ମାର୍ଟ ଜନପଥ। ୧୮୧୭ ମସିହାରେ ସଂଘଟିତ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଓ ଖୋର୍ଦ୍ଧାରେ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ବିନା ମୂଲ୍ୟରେ ଜମି ପ୍ରଦାନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ସୋମବାର ଦିନ ରାଜଧାନୀରେ ଅନୁଷ୍ଠିତ ବିଶାଳ ପାଇକ ସମାବେଶରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ଜିଲ୍ଲାରୁ ଆସିଥିବା ପାଖାପାଖି ୫ ହଜାରରୁ ଊର୍ଧ୍ବ ପାଇକ ଦାୟାଦ ମାଷ୍ଟରକ୍ୟାଣ୍ଟିନ୍ଠାରୁ ଏକ ଶୋଭାଯାତ୍ରାରେ ବାହାରି ରାମମନ୍ଦିର ଦେଇ ଏକ୍ରାମ ହାଟ ପାଖ ଖାଓ ଗଳିଠାରେ ପହଞ୍ଚିଥିଲେ।
ସେଠାରେ ଅନୁଷ୍ଠିତ ସଭାରେ ମହାସଂଘର ସାଧାରଣ ସଂପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ ଓଡ଼ିଆ ଜାତିର ଗର୍ବିତ ସାମରିକ ପରମ୍ପରା ଉପରେ କୁଠାରାଘାତ ହୋଇଛି। ଆସନ୍ତା ଜାନୁଆରି ୨୩ ତାରିଖ ଭିତରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଘୋଷଣା କରାନଗଲେ, ଜାନୁଆରି ୨୪ ତାରିଖ ଅର୍ଥାତ୍ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ମହାସଂଘ ପକ୍ଷରୁ ଦିଲ୍ଲୀ ଯାତ୍ରା କରାଯିବ। ଲାଲକିଲାରେ ପାଇକମାନଙ୍କ ସମାବେଶ ଅନୁଷ୍ଠିତ ହେବ। ଓଡ଼ିଶାର ସମସ୍ତ ସାଂସଦ, ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ୩ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଶ୍ରୀଚନ୍ଦନ କହିଛନ୍ତି।
କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇ କହିଥିଲେ, ଦଳଗତ ନିର୍ବିଶେଷରେ ଓଡ଼ିଆ ଜାତିର ସ୍ବାଭିମାନ ସୁରକ୍ଷା ପାଇଁ ଆମେ ସମସ୍ତେ ଓଡ଼ିଆ ଭାବେ ଏହି ଆନ୍ଦୋଳନରେ ସାମିଲ ହେବା ଉଚିତ। ତେଣୁ ପ୍ରତ୍ୟେକ ଦଳର ପ୍ରତିନିଧି ଏହି ଆନ୍ଦୋଳନରେ ଯୋଗଦେବା ଉଚିତ। କାର୍ଯ୍ୟକ୍ରମରେ ମହାସଂଘର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସଂଯୋଜକ ଗଣେଶ ଚନ୍ଦ୍ର ସାମନ୍ତ, ଐତିହାସିକ ରବୀନ୍ଦ୍ର ପରିଡ଼ା, ଗବେଷକ ଗୋପାଳକୃଷ୍ଣ ଦାସ, ପାଇକଗୁରୁ ହାପି କୁମାର, ରଞ୍ଜନ କୁମାର, ଭାସ୍କର ସୁନ୍ଦରାୟ, ଅବନୀ ଜେନା, ମାନସ ଶ୍ରୀଚନ୍ଦନ ପ୍ରମୁଖ ବହୁ ସଂଗଠକ, ସମାଜସେବୀ, ସାହିତ୍ୟିକ, ବୃଦ୍ଧିଜୀବୀ ଓ ରାଜନେତାମାନେ ଯୋଗ ଦେଇଥିଲେ।