୧୮୦୪ରେ ପଡ଼ିଥିଲା ପାଇକ ବିଦ୍ରୋହ ମୂଳଦୁଆ

‘ପାଇକ ବିଦ୍ରୋହ’ ଆଲୋଚନାଚକ୍ରରେ ବକ୍ତାଙ୍କ ମତ

ଭୁବନେଶ୍ୱର : ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଇଂରେଜ ଶାସନ ବିରୋଧରେ ସ୍ୱର ଉଠାଇଥିଲେ। ହେଲେ ଏହାର ୧୩ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୮୦୪ରେ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ପାଇକମାନଙ୍କୁ ଏକାଠି କରି ଇଂରେଜ ଶାସନ ବିରୋଧରେ ପ୍ରଥମ ଥର ଲାଗି ବିଦ୍ରୋହର ବହ୍ନି ଜାଳିଥିଲେ ଜୟୀ ରାଜଗୁରୁ। ୧୮୦୩ ଅକ୍ଟୋବରରେ ଇଷ୍ଟ ଇଣ୍ଡିଆ କମ୍ପାନି ଓଡ଼ିଶାକୁ ଦଖଲ କରିବାର ୫ ମାସ ପରେ ଜୟୀ ରାଜଗୁରୁ ବିଦ୍ରୋହ ଡାକରା ଦେଇଥିଲେ। ୧୮୦୪ ନଭେମ୍ବର ୨୨ରେ ପାଇକମାନେ ପିପିଲିଠାରେ ଇଷ୍ଟ ଇଣ୍ଡିଆ କମ୍ପାନି ଉପରେ ଆକ୍ରମଣ କରିଥିଲେ। ସେବେଠାରୁ ହିଁ ପାଇକ ବିଦ୍ରୋହର ମୂଳଦୁଆ ପଡ଼ିଥିଲା ବୋଲି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆଜି ଆୟୋଜିତ ‘ପାଇକ ବିଦ୍ରୋହ: ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ(୧୮୦୪-୧୮୧୭)’ ଶୀର୍ଷକ ଏକ ଦିବସୀୟ ଆଲୋଚନାଚକ୍ରରେ ଯୋଗଦେଇଥିବା ବକ୍ତାମାନେ ମତପ୍ରକାଶ କରିଛନ୍ତି।

ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଲେ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ବିରାଟ ଅଧ୍ୟାୟ। ୧୮୧୭ ପୂର୍ବରୁ କିଭଳି ଥିବା ପାଇକ ବିଦ୍ରୋହର ରୂପରେଖ ତାହା ଜାଣିବା ଲାଗି ଏଭଳି ଆଲୋଚନାଚକ୍ର ହେଉଛି। ଐତିହାସିକମାନେ ଯଦି ସେଭଳି ଯୁକ୍ତି ଉପସ୍ଥାପନ କରିପାରିବେ ତେବେ ଇତିହାସର ପୁନର୍ଲିଖନ ସମ୍ଭବ ବୋଲି ସେ କହିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୂଚିସ୍ମିିତା ମନ୍ତ୍ରୀ ସଂଯୋଜନା କରିଥିଲେ।

ପ୍ରଥମ ଅଧିବେଶନରେ ଯୋଗଦେଇ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ କହିଲେ, ୧୮୧୭ର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କହିବା ଠିକ୍‌ ନୁହେଁ। ଏହା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ୧୯୦୦ରୁ ଅଧିକ ଆନ୍ଦୋଳନ ହୋଇଛି। ୧୯୦୪ରେ ପାଇକ ବିଦ୍ରୋହର ମୁଳଦୂଆ ପଡ଼ିଥିଲା ଏବଂ ଜୟ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିବାରେ କାହାର ବି ଦ୍ୱିଧା ନାହିଁ ବୋଲି ସେ କହିଥିଲେ। ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଲେ ୧୮୧୭ ବିଦ୍ରୋହ ପୂର୍ବରୁ ୧୮୦୪ରେ ଜୟ ରାଜଗୁରୁଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା। ଏହାପୂର୍ବରୁ ମାଦ୍ରାସ ଅଧୀନରେ ଥିବା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଇଂରେଜଙ୍କ ବିରୋଧରେ ବିଦ୍ରୋହ ହୋଇଥିଲା। ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ୧୮୧୭ରେ ହିଁ ପାଇକ ବିଦ୍ରୋହ ହୋଇଥିଲା ବୋଲି ପଢ଼ିଛି, ପଢ଼ାଇଛି ବୋଲି କହିଥିଲେ। ଗବେଷକା ତଥା ନୃତ୍ୟାଙ୍ଗନା ଇଲିଆନା ସିତାରିଷ୍ଟ ପାଇକ ଆଖଡ଼ା ଶିକ୍ଷା ଲାଗି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦେଇଥିଲେ। ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦଙ୍କ ଅଧିବେଶନର ବିବର୍ତ୍ତକ ରହିଥିଲେ।

ଦ୍ୱିତୀୟ ଅଧିବେଶନରେ ପ୍ରଫେସର ଅତୁଲ ଚନ୍ଦ୍ର ପ୍ରଧାନ ବକ୍ତାଭାବେ ଯୋଗଦେଇ ଜୟ ରାଜଗୁରୁଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଭାବେ ଅଭିହିତ କରିଥିଲେ। ପ୍ରଫେସର ନାରାୟଣ ରାଓ କହିଲେ ୧୮୦୪ ପୂର୍ବରୁ ଅନେକ ବିଦ୍ରୋହ ହୋଇଛି। ହେଲେ ଜୟ ରାଜଗୁରୁଙ୍କ ନେତୃତ୍ୱରେ ପାଇକମାନେ ସଙ୍ଗଠିତ ହୋଇ ପ୍ରଥମ ଥର ଲାଗି ବିଦ୍ରୋହ କରିଥିଲେ। ଯାହାକି ପରବର୍ତୀ ସମୟରେ ବ୍ୟାପକ ରୂପ ନେଇଥିଲା। ପ୍ରଫେସର ପ୍ରସନ୍ନ କୁମାର ଜେନା, ଡ. ସସ୍ମିତା ତ୍ରିପାଠୀ ଅନ୍ୟତମ ବକ୍ତାଭାବେ ଯୋଗଦେଇ ୧୮୦୪ରୁ ୧୮୧୭ ପର୍ଯ୍ୟନ୍ତ ସଙ୍ଗଠିତ ବିଦ୍ରୋହ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଅଭିରାମ ବିଶ୍ୱାଳ ବିବର୍ତ୍ତକ ରହିଥିଲେ। ଉଦ୍‌ଯାପନୀ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଅତିଥି ଭାବେ ଯୋଗ ଦେଇଥିଲେ।

କଥା କଟାକଟି, ହୋହଲ୍ଲା

ଆଲୋଚନାଚକ୍ର ପ୍ରଥମ ଅଧିବେଶନ ହୋହଲ୍ଲାରେ କଟିଥିଲା। ପ୍ରଥମ ବକ୍ତା ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଜୟ ରାଜଗୁରୁ କିମ୍ବା ୧୮୦୪ ବିଦ୍ରୋହ ସମ୍ପର୍କରେ କୌଣସି ବକ୍ତବ୍ୟ ନ ଦେବାରୁ ଏହାକୁ ବିରୋଧ କରି ଜୟୀ ରାଜଗୁରୁ ସ୍ମୃତି ପରିଷଦ ସମ୍ପାଦକ ଜଟାଧାରୀ ମିଶ୍ରଙ୍କ ସମେତ ଅନ୍ୟ କେତେଜଣ ପ୍ରତିବାଦ କରିଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଶେଷରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା। ପୂର୍ବାହ୍ଣ ୧୦ଟା ୩୦ରେ ଉଦ୍‌ଘାଟନ ହେବାକୁ ଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦେଖା ମିଳି ନ ଥିଲା। ବିଳମ୍ବକୁ ନେଇ ଶ୍ରୋତାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର