ଖୋର୍ଦ୍ଧା: ଆଜି ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଥିବା ପଂଚପାଇକ ସ୍ମାରକୀକୁ ସ୍ଥାନାନ୍ତର କରାଯାଇଛି। ଗଡ଼ଖୋର୍ଦ୍ଧା ଛକ ଠାରୁ ପ୍ରାୟ ୫୦ ମିଟର ଦୂର ବାଇପାସ୍ କଡ଼କୁ ଏହି ପ୍ରତିମୂର୍ତିଗୁଡ଼ିକୁ ଆଜି କ୍ରେନ୍ ଯୋଗେ ସ୍ଥାନାନ୍ତର କରାଯାଇଥିଲା। ଏହି ସ୍ଥାନାନ୍ତର ସମୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ, ତହସିଲଦାର ଦେବାଶିଷ ପାଣିଗ୍ରାହୀ, ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ଦାସ, ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଦିକାରୀ ତାରିକ ଅହମ୍ମଦ, ପୂର୍ବତନ ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ, ନରେନ୍ଦ୍ର ପୃଷ୍ଟି, ପ୍ରତିମୂର୍ତି ନିର୍ମାଣ କରିଥିବା ସ୍ଥପତି ସରୋଜ ଭଂଜ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2023/04/Khordha-Pancha-paika-murti-sthanantara-hela-1-1024x472.jpeg)
ସୂଚନାଯୋଗ୍ୟ, ଜାତୀୟ ରାଜପଥ ପ୍ରଶସ୍ତୀକରଣ ବେଳେ ପଂଚପାଇକ ସ୍ମାରକୀକୁ ସ୍ଥାନାନ୍ତର କରିବା ନିମନ୍ତେ ଆବଶ୍ୟକ ଜମି ଚିହ୍ନଟ କରିବାକୁ ପ୍ରଶାସନକୁ ପ୍ରାୟ ୩ ବର୍ଷ ସମୟ ଲାଗିଯାଇଥିଲା। ଏକାଧିକ ସ୍ଥାନରେ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ଏହା ଖୋର୍ଦ୍ଧାର ପରିଚୟ ବହନ କରୁଥିବାରୁ ଜାତୀୟ ରାଜପଥ କଡ଼ରେ ହିଁ ରହିବା ଉଚିତ ବୋଲି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ଏବଂ ପାଇକ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଶେଷରେ ଗଡ଼ଖୋର୍ଦ୍ଧା ମୌଜାର ଖାତା ନଂ ୩୪୦, ପ୍ଲଟ ନଂ ୧୩୧ର ୭୦୦ ଡେସିମଲ ସରକାରୀ ଜମି ଏହି ସ୍ଥାନାନ୍ତର ପାଇଁ ସ୍ଥିର କରାଯାଇଥିଲା।
ସେହିପରି ପଲ୍ଲା ଛକରେ ଥିବା ବକ୍ସି ଜଗବନ୍ଧୁଙ୍କର ଅଶ୍ୱାରୋହୀ ପ୍ରତିମୂର୍ତ୍ତିକୁ ମଧ୍ୟ ସ୍ଥାନାନ୍ତର କରାଯିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାମାନ୍ୟ ମରାମତି ପରେ ଅଳ୍ପ ଦିନ ମଧ୍ୟରେ ଏହି ପ୍ରତିମୂର୍ତିକୁ ଜାତୀୟ ରାଜପଥ ପଟୁ ପଲ୍ଲା ଗ୍ରାମର ପ୍ରବେଶ ପଥ ନିକଟରେ ତିଆରି କରାଯାଇଥିବା ସୁଦୃଶ୍ୟ ମଂଚ ଉପରେ ସ୍ଥାପନ କରାଯିବ ବୋଲି ଗଡ଼ ଖୋର୍ଦ୍ଧା ବିକାଶ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-Pancha-paika-murti-sthanantara-hela-2.jpeg)