ଗୋପ : ଗୋପ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୪ କିଲୋମିଟର ଦୂର ନାଗପୁର ପଂଚାୟତର ପାଇକସାହି ଗ୍ରାମରେ ସବୁଦିନିଆ ରାସ୍ତାଟିଏ ନାହିଁ। ନାଗପୁର ବଜାରଠାରୁ ବାଲିକପିଳେଶ୍ୱର ରାସ୍ତାରେ ଗଲେ ଦକ୍ଷିଣ ପାର୍ଶ୍ବକୁ ଏକ କିଲୋମିଟର ଭିତରକୁ ପଡେ ପାଇକସାହି ଗ୍ରାମ। ୨୫୦ ପରିବାର ରହୁଥିବା ଏହି ଗ୍ରାମର ଦକ୍ଷିଣ ଭାଗରେ କୁଶଭଦ୍ରା ନଦୀ। ବର୍ଷାଦିନେ ଏହି ଗ୍ରାମର ସମସ୍ତ ଲୋକେ ଏହି ନଦୀବନ୍ଧର ବିପଦ ସଂକୁଳ ରାସ୍ତାରେ ଯିବା ଆସିବା କରନ୍ତି। ନାରୁଆ ଗ୍ରାମରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି କାଦୁଅରେ ଭର୍ତି। ଶୁଣିବାକୁ ମିଳୁଛି ଯେ, ରାଜନୈତିକ ଆକ୍ରୋଶ ହିଁ ଏହି ଗ୍ରାମ୍ୟ ବିକାଶର ପ୍ରତିରୋଧ କରୁଛି। ବିଦ୍ୟାଳୟ ଯାଉଥିବା ପିଲା ନିଜ ବିଦ୍ୟାଳୟ ବ୍ୟତୀତ ଅନ୍ୟ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ। ଏହି ବିଦ୍ୟାଳୟରେ ପାଠ ପଢାଉଥିବା ଶିକ୍ଷକମାନେ ଜୋତା ହାତରେ ଧରି ବର୍ଷାଦିନେ ଆସିଥାନ୍ତି। କଲେଜରେ ପଢୁଥିବା ପିଲା ବର୍ଷାଦିନେ ପାଠପଢା ବନ୍ଦ ରଖନ୍ତି। ଯଦି କେହି ଏହି ରାସ୍ତା ଉପରେ କିଛି ଅଭିଯୋଗ କରନ୍ତି ତେବେ ଏହି ରାସ୍ତା ଉପରେ କିଛି ନାଲି ମୋରମ ପକାଇ ଦିଆଯାଏ।

Advertisment

ରାଜନୀତିଆଙ୍କ ଲେଉଟିଆ କିଆରୀ ପାଲିଟିଛି ଏହି ରାସ୍ତା। ନଦୀବନ୍ଧ ରାସ୍ତାଟି ଯଦିଓ କଂକ୍ରିଟ କରାଯାଇଛି ମାତ୍ର ଅଣଓସାରିଆ ଯୋଗୁଁ ଏହି ରାସ୍ତାରେ ଗଲେ ପ୍ରତି ସମୟରେ ଦୁର୍ଘଟଣାର ଭୟ ଲାଗିରହିଛି। ଗ୍ରାମରେ ଯଦି କେହି ଟ୍ରକ୍‌ରେ କୌଣସି ଜିନିଷ ଆଣିବାକୁ ଚାହିଁବେ ତେବେ ଖରାଦିନକୁ ଅପେକ୍ଷା କରିବାକୁ ପଡିଥାଏ। ଆମ୍ବୁଲାନ୍ସ ଯଦିଓ ନଦୀବନ୍ଧ ରାସ୍ତାରେ ଯାଇପାରିବ ମାତ୍ର ଯଦି ଅପରପାର୍ଶ୍ବରୁ କୌଣସି ଗାଡି ଆସିଯାଏ ତେବେ କଥା ସରିଲା। ଏଭଳି ପରିସ୍ଥିତିରେ ଗ୍ରାମ ଲୋକମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସରକାରୀ ଅଧିକାରୀ ଶୁଣିବାକୁ ନାରାଜ। କାରଣ ସ୍ପଷ୍ଟ। ଏହି ରାସ୍ତାକୁ ନେଇ ରାଜନୀତି ଜୋର ଧରିଥିବା ସମୟରେ ସାଧାରଣ ଲୋକହିଁ ଦୁର୍ଦ୍ଦଶା ଭୋଗିବା ଥୟ। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଲେ ଯେ, ଆମେ ତୁରନ୍ତ ଏହି ରାସ୍ତା ଉପରେ କଂକ୍ରିଟ କରିବାକୁ ନିଷ୍ପତ୍ତି ନେଇଛୁ। ଶୀଘ୍ର ଏହି ରାସ୍ତା କାର୍ଯ୍ୟ ସରିବ ବୋଲି ଦୃଢତାର ସହିତ କହିଛନ୍ତି।