ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ପାଇକମାଳ ତହସିଲ୍ଦାର୍ଙ୍କ ବିରୋଧରେ ଆସିଛି ଲାଞ୍ଚ ନେବା ଅଭିଯୋଗ। ଜଣେ ଜମି ମାଫିଆଙ୍କ ଠାରୁ ବେଆଇନ୍ ବାଲି ଉଠାଣକୁ ଅନୁମତି ଦେବା ପାଇଁ ସେ ଲାଞ୍ଚ ନେଇଛନ୍ତି। ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଏହାର ଭିଡିଓ ରେକର୍ଡିଂ ରାଜସ୍ୱ ମନ୍ତ୍ରୀଙ୍କୁ ଦେବା ସହ ଗଣମାଧ୍ୟମକୁ ଦେଖାଇଛନ୍ତି। ରାଜ୍ୟରେ ପିସି କାରବାର ନେଇ ବିରୋଧୀ ଦଳ ସରକାରଙ୍କୁ ଘେରୁଥିଲା ବେଳେ ଏହି ପ୍ରମାଣକୁ ସରକାର ଗୁରୁତର ସହ ନେଇଛନ୍ତି। ତହସିଲ୍ଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚାଇ ଦେଇଛନ୍ତି।
ବିଧାୟକ ଶ୍ରୀ ପୁରୋହିତ କହିଛନ୍ତି, ବାଲି ମାଫିଆମାନେ ଅଙ୍ଗ ନଦୀରୁ ବେଆଇନ୍ ବାଲି ଚୋରି କରି ପଡ଼ୋଶୀ ଛତିଶଗଡ଼କୁ ଚାଲାଣ କରୁଛନ୍ତି। ଲାଞ୍ଚ ନେଇ ସରକାରୀ ବାବୁମାନେ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ପାଇକମାଳ ତହସିଲ୍ଦାର ଜାନକୀନାଥ ମିଶ୍ର ମାଫିଆଙ୍କଠାରୁ ସିଧାସଳଖ ଲାଞ୍ଚ ନେଇ ସହଯୋଗ କରୁଛନ୍ତି। ଅଙ୍ଗ ନଦୀରୁ ଉଠୁଥିବା ଚୋରା ବାଲି ପାଇଁ ଟ୍ରକ୍ ପିଛା ତହସିଲ୍ଦାର୍ଙ୍କ ପକେଟ୍କୁ ଯାଉଛି ୩୦୦ ଟଙ୍କା। ସ୍ଥାନୀୟ ପୁଲିସ୍ ଭାଗରେ ପଡ଼ୁଛି ୨୦୦ ଟଙ୍କା। ଦିନକୁ ୪୦୦-୫୦୦ ଟ୍ରକ୍ ବାଲି ଛତିଶଗଡ଼କୁ ଚୋରାଚାଲାଣ ହେଉଛି। ସେହି ହିସାବରେ ଦୈନିକ ଲକ୍ଷାଧିକ ଟଙ୍କାର ଲାଞ୍ଚ କାରବାର ହେଉଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି, ପିସି କାରବାର ନେଇ ବିଧାନସଭାରେ ବାରମ୍ବାର ଆଲୋଚନା ହୋଇଛି। ବିଶେଷ କରି ପଦ୍ମପୁର ନିର୍ବାଚନମଣ୍ଡଳୀର କିଛି ଅଧିକାରୀ ଏପରି କାରବାର କରୁଥିବା ନେଇ ପୂର୍ବରୁ ବିଧାନସଭାରେ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ରାଜସ୍ୱ ବିଭାଗ ତାହାକୁ ଗୁରୁତର ସହ ନେଇ ନ ଥିଲା। ଏବେ ପ୍ରମାଣ ସହ ରାଜସ୍ୱ ମନ୍ତ୍ରୀଙ୍କୁ ଦିଆଗଲା।
ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ପ୍ରସଙ୍ଗରେ କହିଛନ୍ତି, ଭିଡିଓକୁ ଭଲ ଭାବେ ଯାଞ୍ଚ୍ କରାଯାଉଛି। ନିଶ୍ଚିତ ଭାବେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ୍ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/paika-f.jpg)