ପୁରୀ: ଶ୍ରୀମନ୍ଦିର ଭକ୍ତଙ୍କର। ଭକ୍ତଙ୍କ ପାଇଁ ଭରି ଉଠୁଛି ଶ୍ରୀମନ୍ଦିର ବେଢ଼ା ଓ ଚତୁଃପାର୍ଶ୍ବ। କିନ୍ତୁ ଦିନକୁ ଦିନ ଭକ୍ତ ଦର୍ଶନ ବାଟରେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡ଼ା ହେବାରେ ଲାଗିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଯନ୍ତ୍ରଣା ସୀମା ଟପିଲାଣି। ସବୁଠାରୁ ବଡ଼ କଥା ହେଲା, ଯେଉଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ଭିଡ଼ ଓ ଅସୁବିଧାର ଆଳ ଦେଖାଇ ଭକ୍ତଙ୍କ ଚାରିଦ୍ବାର ଦର୍ଶନ ବନ୍ଦ ରଖିଛି, ସେମାନେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଅସହ୍ୟ ଯନ୍ତ୍ରଣା ଦେଖିପାରୁନାହାନ୍ତି। ଶ୍ରୀମନ୍ଦିର ଭିତରେ ନାଟମଣ୍ଡପରେ ଦୈନିକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ସଂଘର୍ଷ କରୁଛନ୍ତି। ଏହାକୁ ନେଇ ଅସନ୍ତୋଷ କ୍ରମଶଃ ବଢ଼ିଲାଣି।

Advertisment

ହାଇକୋର୍ଟଙ୍କ ଆଦେଶ ପରେ ୨୦୧୬ ମସିହାଠାରୁ ଭକ୍ତମାନେ ଗର୍ଭଗୃହ ଦର୍ଶନ ଆଉ ପାଇପାରୁ ନାହାନ୍ତି। ଭିତର କାଠରୁ ଭକ୍ତମାନେ ଦର୍ଶନ କରୁଛନ୍ତି। କିନ୍ତୁ ଦର୍ଶନକୁ ଶୃଙ୍ଖଳିତ କରି ପାରିନି ପ୍ରଶାସନ। ଅପରପକ୍ଷରେ ପ୍ରଶାସନ ନାଟମଣ୍ଡପ ଓ ଜଗମୋହନରେ ଏବଂ ଶ୍ରୀମନ୍ଦିର ଭିତର ଓ ବାହାର ବେଢ଼ାରେ ଭକ୍ତଙ୍କ ଭିଡ଼ ହେଉଥିବା ଆଳ ଦେଖାଇ ଚାରିଦ୍ବାର ଦର୍ଶନକୁ ବନ୍ଦ କରି ଦେଇଛି । ପ୍ରଥମେ କୋଭିଡ୍‌ ଆଳରେ ୨୦୧୯ ମସିହାରେ ଚାରିଦ୍ବାର ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା। ପରେ ସ୍ଥିତି ସୁଧୁରିବାରୁ କେବଳ ସିଂହଦ୍ବାର ଖୋଲିଲା, କିନ୍ତୁ ଅନ୍ୟ ତିନି ଦ୍ବାର ବନ୍ଦ କରି ଦିଆଗଲା। ଭକ୍ତଙ୍କ ଚାପ ପରେ ପ୍ରଶାସନ ପ୍ରଥମେ ପଶ୍ଚିମ ଦ୍ବାର ଓ ପରେ ଚାରିଦ୍ବାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କଲା। ଏହା ପରେ ପୁଣି କୋଭିଡ୍‌ର ଦ୍ବିତୀୟ ଲହର ଆସିଲା ଓ ପୁଣି ଶ୍ରୀମନ୍ଦିର ଦର୍ଶନ ବନ୍ଦ ହୋଇଗଲା। ଇତିମଧ୍ୟରେ ଦୁଇ ଥର ଶ୍ରୀମନ୍ଦିର ଦର୍ଶନ ବନ୍ଦ ପରେ ଏବେ ଦର୍ଶନ ସ୍ବାଭାବିକ ହୋଇଛି। କିନ୍ତୁ ଚାରିଦ୍ବାର ଖୋଲିନି। ପ୍ରାୟ ଦେଢ଼ ବର୍ଷ ଭକ୍ତଙ୍କୁ ଦର୍ଶନ ପାଇଁ କେବଳ ସିଂହଦ୍ବାରରୁ ପ୍ରବେଶ ଅନୁମତି ମିଳିବା ପରେ ନିକଟରେ ଆନ୍ଦୋଳନ ମୁଣ୍ଡ ଟେକିବାରୁ କେବଳ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ବାର ଖୋଲାଯାଇଛି। କିନ୍ତୁ ଦକ୍ଷିଣ ଓ ଉତ୍ତରଦ୍ବାରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଆଜି ପର୍ଯ୍ୟନ୍ତ ଭକ୍ତ କେଉଁ ବାଟ ଦେଇ ମହାପ୍ରସାଦ ଆଣିବାକୁ ଯିବେ, ତାର ବି ବିକଳ୍ପ ବାଟ ବାହାର କରାଯାଇନି। ଯେଉଁଥିପାଇଁ ସିଂହଦ୍ବାରରେ ଲମ୍ବାଧାଡ଼ି ଲାଗୁଛି।

ଭକ୍ତଙ୍କ କହିବା କଥା, ଆମେ ଖରାତରାରେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଉଛୁ, କେବଳ ମହାପ୍ରଭୁଙ୍କ ଟିକେ ଭଲରେ ଦର୍ଶନ କରିବା ପାଇଁ। କିନ୍ତୁ ଭିତରେ ଏତେ ଠେଲାପେଲା ଯେ ମହାପ୍ରଭୁଙ୍କ ଟିକେ ଭଲରେ ଦେଖି ହେଉନି। ସାତପାହାଚଠାରୁ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ୁଛି। ଭକ୍ତମାନେ ଠେଲାପେଲା ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। କେହି ସୁରକ୍ଷା କର୍ମୀ ରହୁନଥିବାରୁ ଯେଉଁମାନେ ବଳବାନ ସେହିମାନେ ଠାକୁରଙ୍କୁ ଭଲରେ ଦର୍ଶନ କରିପାରୁଛନ୍ତି। ଭିତର କାଠରେ ବହୁ ସମୟ ଛିଡ଼ା ହୋଇ ରହୁଛନ୍ତି। ଅନ୍ୟମାନେ ଠାକୁରଙ୍କୁ ଦେଖିବା ପାଇଁ ସଂଘର୍ଷ କରୁଛନ୍ତି। ଅଧିକ କଷ୍ଟ ପାଉଛନ୍ତି ମହିଳା ଭକ୍ତମାନେ। ସମଦଶା ଭୋଗୁଛନ୍ତି, ବାହାର କାଠରେ। ଲୋକେ ମହାପ୍ରଭୁଙ୍କ ଆଗରେ ଅଧିକ ସମୟ ଛିଡା ହୋଇ ରହୁଥିବାରୁ ପଛରେ ରହୁଥିବା ଭକ୍ତ ଦର୍ଶନ କରି ପାରୁନାହାନ୍ତି। ଏହି ଭକ୍ତମାନଙ୍କୁ ବି ଆଗକୁ ନେବାକୁ କେହି ସୁରକ୍ଷା କର୍ମୀ ରହୁନାହାନ୍ତି।

ଯଦି ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବାର ଅଛି, ତେବେ ନାଟମଣ୍ଡପ, ବାହାର କାଠ ଓ ଭିତର କାଠରୁ ଭକ୍ତମାନେ କିଭଳି ଭଲରେ ଦର୍ଶନ କରିପାରିବେ ସେ ବ୍ୟବସ୍ଥା କରାଯାଉ। ସୁରକ୍ଷା କର୍ମୀ, ପ୍ରତିହାରୀ, ଜେଟିପି ଆଦିଙ୍କୁ ଛିଡ଼ା କରାଯାଉ। ଆବଶ୍ୟକ ପଡ଼ିଲେ ଧାଡ଼ି କରି ଛଡ଼ାଯାଉ। କିନ୍ତୁ ସେଭଳି ନ କରି ବାହାରେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା କରି ଭିତର ଖୋଲା ଛାଡ଼ି ଦିଆଯିବା ଆଦୌ ଠିକ୍‌ ନୁହେଁ। ଏ ଦିଗରେ ପ୍ରଶାସନର ବିଚାର କରିବା ଦରକାର। ଶ୍ରୀମନ୍ଦିର ପ୍ରଶାସନର କହିବା କଥା, ୨୦୧୮ ମସିହାରେ ଆମେ ପୁଲିସ ସହାୟତାରେ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ଚାହୁଥିଲୁ। କିନ୍ତୁ ଯେବେଠୁ ହିଂସାକାଣ୍ଡ ହୋଇଛି, ସେବେଠୁ ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଚିନ୍ତା କରିବାକୁ ପଡ଼ୁଛି।