କୋଇଡ଼ା: ରାସ୍ତାର ଏ ଅବସ୍ଥା ଆଜିର ନୁହେଁ, ବର୍ଷ ବର୍ଷ ଧରି ଏମିତି। ଏହି ରାସ୍ତା ଦେଇ ଯିଏ ଯାଏ ଭୋଗେ ଯମଯନ୍ତ୍ରଣା। ଆଉ ସାମାନ୍ୟ ଅସାବଧାନ ହେଲେ ଉପରକୁ ଉଠାଇ ନିଏ ଯମ। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଧ୍ୟୁଷିତ କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ ତେହେରେଇ-ଗଣୁଆ ରାସ୍ତାର କଥା। କୋଇଡା ବ୍ଲକ୍ ମୁଖ୍ୟାଳୟରୁ ଚାରି କିଲୋମିଟର ଦୂର ତେହେରେଇ ଛକରୁ ସର୍ଗିଗଡ-ଗଣୁଆଁ-କଦଳିଆ ଅଞ୍ଚଳକୁ ସଂଯୋଗ କରୁଥିବା ଏହି ୧୪ କିଲୋମିଟର ରାସ୍ତା ଉପରେ ନିର୍ଭରଶୀଳ ୩ଟି ପଞ୍ଚାୟତର ୩୦ ଗ୍ରାମବାସୀ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା। ବର୍ଷକୁ ୩୬୫ ଦିନ ଯାକ ଏହି ରାସ୍ତାର ଅବସ୍ଥା ଅତି ଖରାପ ହୋଇଥିଲେ ବି ବର୍ଷା ଦିନେ ସ୍ଥିତି ଦୁର୍ବିସହ ହୋଇପଡ଼େ। ଗଣୁଆ ସମେତ ମାଲଦା ପଞ୍ଚାୟତର ଜଡ଼ିପଦା, ଗିଡ଼େଇ, ଦେଓଘର, ଦଳିତା, ପଟବେଡା, ମଣ୍ଡଜୋଡା ଅଞ୍ଚଳ ସମେତ ପାଟମୁଣ୍ଡା ପଞ୍ଚାୟତର ପାନପୋଷିଆ, ସର୍ଗିଗଡ଼ ଆଦି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ।

Advertisment

ଇତିମଧ୍ୟରେ ସରକାର ବଦଳି ଯାଇଛି। ହେଲେ ବଦଳିନି ଖଣି ଅଞ୍ଚଳର ଚିତ୍ର। ବର୍ଷକୁ ଜିଲ୍ଲା ଖଣିଜ ପାଣ୍ଠିକୁ ବାଦ୍ ଦେଇ କେବଳ ଖଣି ରାଜସ୍ବ ବାବଦକୁ ରାଜକୋଷକୁ ୧୧ ହଜାର କୋଟି ଟଙ୍କା ପ୍ରଦାନ କରୁଥିବା ଅଞ୍ଚଳରେ ରାସ୍ତାର ଏ ଦୁରବସ୍ଥା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ସମ୍ଭବ ନୁହେଁ। ଏହି ବ୍ଲକ୍‌ର ଖଣି ଅଞ୍ଚଳରେ ସବୁ ରାସ୍ତାର ଅବସ୍ଥା ଊଣା ଅଧିକେ ଏହିପରି। ପ୍ରତିଦିନ ଖଣିଜଦ୍ରବ୍ୟ ବୋହି ନେଉଥିବା ଶହଶହ ଭାରୀଯାନ ଚାଲିବା ଯୋଗୁ ରାସ୍ତାଗୁଡ଼ିକର ଅବସ୍ଥା ଦୟନୀୟ ହୋଇପଡ଼ୁଛି। ଏହି ଭାରୀଯାନ ଗୁଡ଼ିକ ପାଇଁ କୌଣସି ସ୍ବତନ୍ତ୍ର ରାସ୍ତା ରହୁନାହିଁ। ସେମାନେ ଲୋକେ ବ୍ୟବହାର କରୁଥିବା ସର୍ବସାଧାରଣ ରାସ୍ତାକୁ ବ୍ୟବହାର କରୁଛନ୍ତି। ରାସ୍ତାକୁ କଦାକାର କରି ବଡ଼ବଡ଼ ଚକବିଶିଷ୍ଟ ଏହି ଗାଡ଼ିଗୁଡ଼ିକ ତ କୌଣସି ମତେ ଚାଲି ଯାଉଛନ୍ତି, କିନ୍ତୁ ଅନ୍ୟମାନଙ୍କ ପାଇଁ ତାକୁ ଆଉ ବ୍ୟବହାରଯୋଗ୍ୟ ଛାଡ଼ୁନାହାନ୍ତି। ଏହି ରାସ୍ତାରେ ଖଣିଜ ବୋଝେଇ ଟ୍ରକ୍‌ଗୁଡ଼ିକର ଲମ୍ବା ଧାଡ଼ି ଭିତରେ ଗଡ଼ୁଛି ସ୍କୁଲ୍ ବସ୍‌ ଓ ଆମ୍ବୁଲାନ୍ସ ଭଳି ସମ୍ବେଦନଶୀଳ ଯାନ। ରାସ୍ତାରେ ଦୁଇଚକିଆ ଯାନ ଚଳାଇବା ଏକପ୍ରକାର ଅସମ୍ଭବ। ତେଣୁ ଅତି ଜରୁରୀ କାମ ନପଡ଼ିଲେ ଲୋକେ ରାସ୍ତାକୁ ବାହାରୁନାହାନ୍ତି। ତେବେ ଏଭଳି ରାସ୍ତାକୁ ବି କିଛି ସ୍କୁଲ୍ ପିଲା ପାଦରେ ଚାଲି ଅତିକ୍ରମ କରୁଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁ ଅନେକ ସମୟରେ ଟ୍ରକ୍ ଓ ଅନ୍ୟ ଗାଡ଼ି ଗୁଡ଼ିକ ଓଲଟି ପଡ଼ି ଯାତାୟାତ ଠପ୍ ହୋଇଯାଉଛି। ନୂଆ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କରିବାକୁ ଦାବି ହୋଇଛି।