ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନଈକୂଳିଆ ଲୋକଙ୍କୁ ଉଦ୍ଧାର ଓ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବୋଟ୍ (ଡଙ୍ଗା) ବ୍ୟବସ୍ଥା ରହିଛି। ଗତ ତିନିବର୍ଷ ହେଲା ସେପରି ବଡ଼ଧରଣର ବନ୍ୟା କିମ୍ବା ବାତ୍ୟା ହୋଇନଥିବାରୁ ବୋଟ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ପଡ଼ିରହିଛି। ଏପରିକି ଅସ୍ଥାୟୀ ଭାବେ ନିଯୁକ୍ତ ନାବିକ ଓ ଖଲାସୀମାନେ ଅନ୍ୟତ୍ର କାମ କରୁଛନ୍ତି। ଅଥଚ ବୋଟ୍ ମରାମତି ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଉଛି। ଗତ ୩ ବର୍ଷରେ ୧୬୦ଟି ବୋଟ୍ ମରାମତି ବାବଦରେ ୧ କୋଟି ୮୩ ଲକ୍ଷ ୨୦ ହଜାର ୬୯୮ ଟଙ୍କା ବ୍ୟୟ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିସନ କାର୍ଯ୍ୟାଳୟର ବନ୍ଦର ଯନ୍ତ୍ରୀଙ୍କ ଅଧୀନରେ ଥିବା ଏହି ବୋଟ୍‌ଗୁଡିକର ମରାମତି ନାମରେ କେବଳ ରଙ୍ଗମାରି ଅନୁଦାନ ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି।

Advertisment

ସୂଚନା ଅଧିକାର ଆଇନ୍ ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ୩୨ଟି ଫାଇବର ରବର ବୋଟ୍, ୬ଟି ଆଲୁମିନିୟମ ବୋଟ୍ ଓ ୧୮ଟି ଷ୍ଟିଲ ବୋଟ୍ ମରାମତି କରାଯାଇଥିବା ଦର୍ଶାଯାଇଛି। ମୋଟ ୫୬ଟି ବୋଟ୍ ମରାମତି ବାବଦରେ ୭୮ ଲକ୍ଷ ୩ ହଜାର ୬୫୩ ଟଙ୍କା ବିଲ୍ ହୋଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ୬୨ଟି ଫାଇବର ରବର ବୋଟ୍, ୫ଟି ଆଲୁମିନିୟମ ବୋଟ୍ ଓ ଗୋଟିଏ ଷ୍ଟିଲ ବୋଟ୍ ମରାମତି କରାଯାଇଛି। ଏହି ବର୍ଷ ମୋଟ ୬୮ଟି ବୋଟ୍ ମରାମତି ବାବଦରେ ୭୨ ଲକ୍ଷ ୩୩ ହଜାର ୧୧୦ ଟଙ୍କା ଖର୍ଚ୍ଚ ଦେଖାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨୧ଟି ଫାଇବର ରବର ବୋଟ୍, ୧୩ଟି ଆଲୁମିନିୟମ ବୋଟ୍ ଓ ୨ଟି ଷ୍ଟିଲ ବୋଟ୍‌ର ମରାମତି କରାଯାଇଛି। ମୋଟ ୩୬ଟି ବୋଟ୍ ମରାମତି ବାବଦରେ ୩୨ଲକ୍ଷ ୮୩ ହଜାର ୯୩୫ ଟଙ୍କା ବିଲ୍ ହୋଇଛି। ଗତ ୩ ବର୍ଷରେ ମୋଟ ୧୬୦ଟି ବୋଟ୍ ମରାମତି ବାବଦରେ ୧ କୋଟି ୮୩ ଲକ୍ଷ ୨୦ ହଜାର ୬୯୮ ଟଙ୍କା ଖର୍ଚ୍ଚ ହୋଇଛି।

ବୋଟ୍‌ଗୁଡ଼ିକୁ ବ୍ୟବହାର କରାଯାଉନଥିବାରୁ ବର୍ଷ ବର୍ଷ ଧରି ନଦୀକୂଳ, ତହସିଲ ଓ ବ୍ଲକ କାର୍ଯ୍ୟାଳୟ ପାଖରେ ପଡ଼ିରହି ଖତ ଖାଉଛି। ଅଥଚ ଗୋଟିଏ ଗୋଟିଏ ବୋଟ୍‌ର ମରାମତି ଆଳରେ ଲକ୍ଷାଧିକ ଟଙ୍କା ବିଲ୍ କରାଯାଇଛି। କେବଳ ରଙ୍ଗ ବୋଳାଯାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ମାର୍ଶାଘାଇ, କଟକ ଜିଲ୍ଲାର ମାହାଙ୍ଗା, ଆଠଗଡ଼ ଓ ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ର ବାଲିଆପାଳ ପ୍ରଭୃତି ସ୍ଥାନରେ ଥିବା ବୋଟ୍ ବାବଦରେ ବ୍ୟାପକ ମିଥ୍ୟା ବିଲ୍ କରାଯାଇଛି। ଏପରିକି ବିଭିନ୍ନ କାରଣରୁ ନଷ୍ଟ ହୋଇଯାଇଥିବା ବୋଟ୍‌ରେ ମଧ୍ୟ ରଙ୍ଗ ବୋଳାଯାଇ ମରାମତି ଅର୍ଥ ଚଳୁ କରାଯାଇଛି। ଷ୍ଟିଲ୍ ଓ ଆଲୁମିନିୟମ ବୋଟ୍‌ଗୁଡ଼ିକୁ ଦାୟିତ୍ବରେ ଥିବା ଠିକାସଂସ୍ଥା ସେମାନଙ୍କ କାରଖାନାକୁ ନେଇ ମରାମତି କରିବାର ବ୍ୟବସ୍ଥା ରହିଛି। କିନ୍ତୁ ନଦୀକୂଳ, ତହସିଲ ଓ ବ୍ଲକ ସମ୍ମୁଖରେ ହିଁ ବୋଟ୍‌ଗୁଡିକୁ ରଙ୍ଗମାରି ମରାମତି ଦର୍ଶାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।