ପାଇକମାଳ: ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ନୃସିଂହନାଥ ପୀଠରେ ପ୍ରଭୁ ନୃସିଂହନାଥଙ୍କଠାରେ ରବିବାର ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଇଛି। ଏହି ଅବସରରେ ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡ଼ା ଏବଂ ଚନ୍ଦନ ଲେପନ କରାଯାଇ ଅପରାହ୍ନରେ ପଖାଳ ଭୋଗ ଅର୍ପଣ କରାଯାଇଛି। ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ନବମୀ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ଲାଗି ହେଉଥିବା ବେଳେ ଏଥିରେ ଦହି ଓ ଟେଭାପତ୍ର ମିଶାଯାଇ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତି କରାଯାଇଥାଏ।

Advertisment

ବହୁ ପୂର୍ବରୁ ନୃସିଂହନାଥ ପୀଠରେ ବୈଶାଖ ମାସରେ ସାତ ଦିନ ଧରି ପଖାଳ ଭୋଗ ଲାଗି ହୋଇଆସୁଛି। ଅପରାହ୍ନ ୪ଟାରେ ମହାପ୍ରଭୁ ନୃସିଂହନାଥଙ୍କଠାରେ ଏହି ପଖାଳ ଭୋଗକୁ ମନ୍ଦିର ସେବାୟତମାନେ ପ୍ରସ୍ତୁତ କରିବା ପରେ ମହାପ୍ରଭୁଙ୍କଠାରେ ଲାଗିହେବା ପରେ ଭକ୍ତମାନଙ୍କୁ ଦିଆଯାଇଥିଲା। ପଖାଳ ଭୋଗ ପାଇଁ ମନ୍ଦିର କମିଟି ତରଫରୁ ମାଟି ନିର୍ମିତ ପାତ୍ରରେ ଭକ୍ତମାନଙ୍କୁ ବିନା ମୂଲ୍ୟରେ ଅର୍ପଣ କରାଯାଇଥିଲା। ତେବେ ଏହି ପଖାଳ ଭୋଗ କେବଳ ନୃସିଂହନାଥ ପୀଠରେ ଲାଗୁଥିବାବେଳେ ସହସ୍ରାଧିକ ଭକ୍ତମାନେ ଏଠାକୁ ଆସି ପଖାଳ ଭୋଗ ସେବନ  କରିଥାନ୍ତି। ମନ୍ଦିର ସେବାୟତ ସତ୍ୟ ପୁରୋହିତ, ଆଜାଦ ମାଝି, ମଧୁସୂଦନ ତ୍ରିପାଠୀ, ଶ୍ରୀରାମ ପୁରୋହିତ, ମହେଶ୍ବର ତ୍ରିପାଠୀ  ପ୍ରମୁଖ ପଖାଳ ଭୋଗ ବଣ୍ଟନରେ ସହଯୋଗ କରିଥିଲେ।