ପାକିସ୍ତାନୀ ଝିଅ ବଲାଙ୍ଗୀର ବୋହୂ: ନାଗରିକତା ଆଇନକୁ ନେଇ ଖୁସି

ପାକିସ୍ତାନୀ ଦେଉଥିଲେ ନିର୍ଯାତନା: ଶାରଦା

ବଲାଙ୍ଗୀର: ପାକିସ୍ତାନୀ ଝିଅ ଏବେ ବଲାଙ୍ଗୀରର ବୋହୂ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସଂପୂର୍ଣ୍ଣ ସତ୍ୟ। ବର୍ଷେ କି ଦୁଇ ବର୍ଷ ନୁହେଁ, ୩୦ ବର୍ଷ ତଳେ ପାକିସ୍ତାନ ଛାଡ଼ି ଭାରତ ପଳାଇ ଆସିଥିଲେ ସିତୁୱାନୀ ପରିବାର। ହିନ୍ଦୁ ହୋଇଥିବାରୁ ନିର୍ଯାତନାର ଶିକାର ହୋଇ ନିଜ ଘର, ଜମି, ବାଡ଼ି ସବୁକିଛି ଛାଡ଼ି ଭାରତ ଚାଲି ଆସିଥିଲେ। ଆଉ କୋରାପୁଟରେ ବସବାସ କରୁଥିଲେ। ପରେ ଭାରତର ବିଭିନ୍ନ ଅଞ୍ଚଳରେ ପିଲାଛୁଆଙ୍କୁ ବାହା ବି କରାଇଥିଲେ। ଆଉ ସେଇ ପରିବାରରୁ ଜଣେ ଝିଅ ବଲାଙ୍ଗୀରର ଜଣେ ପୁଅଙ୍କୁ ବାହା ହୋଇଥିଲେ। ତାଙ୍କର ବି ପିଲାପିଲି ବଡ଼ ହେଲେଣି। କିନ୍ତୁ ଘରେ ସମସ୍ତେ ଭାରତୀୟ ହୋଇଥିବା ବେଳେ କେବଳ ଜଣେ ହିଁ ଏବେ ବି ପାକିସ୍ତାନୀ ପାସପୋର୍ଟରେ ଅଛନ୍ତି। ତେଣୁ ଏବେ ନାଗରିକତା ସଂଶୋଧନ ଆଇନ ଆସିବା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଠିକାଦାରପଡ଼ାରେ ମହେଶ କୁକ୍ରେଜାଙ୍କ ପରିବାର ରହୁଛନ୍ତି। ପରିବାରରେ ଚାରିଜଣ ସଦସ୍ୟ। ସ୍ୱାମୀ, ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ। ଘରର ଚାରିଜଣଙ୍କ ମଧ୍ୟରୁ ତିନିଜଣ ଭାରତୀୟ ହୋଇଥିବାବେଳେ ମହେଶଙ୍କ ସ୍ତ୍ରୀ ଶାରଦା ସିତୁୱାନୀଙ୍କ ପାକିସ୍ତାନୀ ପାସପୋର୍ଟ ରହିଛି। ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ତାଙ୍କ ପରିବାର ପାକିସ୍ତାନ ଛାଡ଼ିଥିଲେ। ଏବେ ନାଗରିକତା ଆଇନକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ପାକିସ୍ତାନ ଛାଡ଼ିବାର କାରଣ କହିବାକୁ ଯାଇ ସେ ଦିନର ଲୋମଟାଙ୍କୁରା କଥା ବଖାଣିଛନ୍ତି ଶାରଦା। ଶାରଦାଙ୍କ କହିବାନୁସାରେ, ସେମାନେ ହିନ୍ଦୁ ପରିବାର ହୋଇଥିବାରୁ ଅନେକ ନିର୍ଯାତନାର ଶିକାର ହୋଇଥିଲେ। ବାପାଙ୍କୁ ଅପହରଣ କରି ପାଞ୍ଚ/ସାତ ଲକ୍ଷ ଟଙ୍କା ଅପହରଣକାରୀମାନେ ଦାବି କରୁଥିଲେ। ଘରର ଭେଣ୍ଡିଆ ପୁଅକୁ ଉଠାଇ ନେଇ ଜବରଦସ୍ତ ମୁସଲମାନ କରୁଥିଲେ। ଝିଅମାନଙ୍କୁ ବି ମୁସଲମାନ କରି ସେହି ସଂପ୍ରଦାୟର ଲୋକଙ୍କ ସହିତ ଜବରଦସ୍ତ ବିବାହ କରାଉଥିଲେ। ତେଣୁ ଅତ୍ୟାଚାର ଅକଥନୀୟ ହେଲା ପରେ ପାକିସ୍ତାନରେ ଘର, ଜମି, ବାଡ଼ି ସବୁକିଛି ଛାଡ଼ି ଭାରତ ଚାଲି ଆସିଥିଲେ। ଏବେ ଏଇଠି ସବୁ କିଛି। କେବଳ ନାଗରିକତ୍ବ ନାହିଁ। ବାର ବାର ନାଗରିକ ହେବା ପାଇଁ ଆବେଦନ କରିବା ସତ୍ତ୍ବେ ବର୍ତ୍ତମାନ ଯାଏ ତାଙ୍କୁ ଭାରତର ନାଗରିକତ୍ତ୍ୱ ମିଳିନାହିଁ। ଏବେ ବି ପାକିସ୍ତାନୀ ପାସପୋର୍ଟରେ ଭାରତୀୟ ବୋହୂ ହୋଇ ରହିଥିବା ସେ କହିଛନ୍ତି। କୁକ୍ରେଜା ଦମ୍ପତିଙ୍କ ସଂପର୍କ ବଡ଼ ନିଆରା। ଉଭୟ ସିନ୍ଧି ସଂପ୍ରଦାୟର। ମହେଶ କୁକ୍ରେଜାଙ୍କ ବାହାଘର କୋରାପୁଟରେ ସିତୁୱାନୀ ପରିବାରର ଶାରଦାଙ୍କ ସହ ହୋଇଥିଲା। ବାହାଘର ପରେ ଝିଅର କାଗଜପତ୍ର ପୁଅ ଘର ଲୋକଙ୍କୁ ଦେବାରୁ ଝିଅ ପାକିସ୍ତାନୀ ବୋଲି ଜଣାପଡ଼ିଥିଲା। କିଛି ସମୟ ପାଇଁ ଅବାକ ହୋଇଯାଇଥିଲେ ସ୍ୱାମୀ। କିନ୍ତୁ ପରେ ବେଶ୍‌ ହସଖୁସିରେ ଚାଲିଛି ପରିବାର। ବାହାଘରର ୨୯ ବର୍ଷ ପରେ ବି ସ୍ତ୍ରୀ ପାକିସ୍ତାନୀ ନାଗରିକ ହୋଇଥିବା ବେଳେ ସ୍ୱାମୀ ଭାରତୀୟ। ତେଣୁ ସିଏଏ ବା ନାଗରିକତା ଆଇନ ଆସିବା ପରେ ପରିବାରରେ ଖୁସି। କିଛି ନ ହେଲେ ବି ତିନି ଦଶନ୍ଧିର ଅପେକ୍ଷା ପରେ ଭାରତୀୟ ନାଗରିକତ୍ୱ ମିଳିଯିବ ବୋଲି ଆଶା ବାନ୍ଧିଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ବଲାଙ୍ଗୀରର ଜଣେ ଝିଅ ପାକିସ୍ତାନୀ ଯୁବକଙ୍କୁ ବାହା ହୋଇଯାଇଥିଲେ। ସେହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଜଣେ ପାକିସ୍ତାନୀ ଝିଅ ବଲାଙ୍ଗୀରର ବୋହୂ ଥିବା ଜଣାପଡ଼ିବା ପରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର