ଯାଜପୁରସଦର : ପକ୍ଷୀ ବେପାରରୁ ପାକିସ୍ତାନ ଲିଙ୍କ୍। ଆଉ ଦେଶଦ୍ରୋହ ଅଭିଯୋଗ। ଓଡ଼ିଶାରୁ ୩ ଜଣ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛି ଯାଜପୁର ଜିଲ୍ଲା ବରୀ ଥାନା କିମ୍ଭୀରିଆପାଳ ପଞ୍ଚାୟତ ଉଦୟପୁର ଗାଁର ସୌମ୍ୟ ପଟ୍ଟନାୟକ। ନିଜ ଗାଁରେ ପକ୍ଷୀ ବେପାର କରୁଥିବା ସୌମ୍ୟ ଦେଶଦ୍ରୋହୀ କାର୍ଯ୍ୟକଳାପରେ ସାମିଲ ଥିବାନେଇ ଆଜି ଭୁବନେଶ୍ବରରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍ଟିଏଫ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୌମ୍ୟ (୨୦) ମାଟ୍ରିକ ପାସ୍ ପରେ ଘରେରହି ବିଭିନ୍ନ ଦେଶୀବିଦେଶୀ ପକ୍ଷୀ ରଖି ବେପାର କରୁଥିଲେ। ତାଙ୍କ ଜୀବନଶୈଳୀ ବ୍ୟୟବହୁଳ ଥିଲା। ମା’ ପ୍ରତିମାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସୌମ୍ୟ ମାଟ୍ରିକ୍ ପରେ ପାଖାପାଖି ୨ ବର୍ଷ ଧରି ନିଜ ଘରେ ବିଭିନ୍ନ ପ୍ରକାର ବିଦେଶୀ ପାରା, କୁକୁର ଓ ଅନ୍ୟ ପ୍ରଜାତିର ପକ୍ଷୀ ବେପାର କରୁଥିଲେ। ଦାମୀ କାର୍, ଲକ୍ଷାଧିକ ଟଙ୍କାର ବାଇକ୍ ଚଳାଉଥିଲା। ୬ ଟି ଦାମୀ ମୋବାଇଲ୍ ବ୍ୟବହାର କରୁଥିଲେ। ବାପା ବିନୟ ପଟ୍ଟନାୟକ ରେଳ ବିଭାଗରେ କାର୍ଯ୍ୟ କରୁଥିବାବେଳେ କମ୍ ବୟସର ପୁଅର ଏଭଳି ଥାଟବାଟ ସାହିପଡ଼ିଶା, ସାଙ୍ଗସାଥୀଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ତେବେ, ଗାଡ଼ିଚୋରି ଘଟଣାରେ ଗିରଫ ହେବାପରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଥିଲା। ଏହାପରେ ଗତ ୧୨ତାରିଖ ବିଳମ୍ୱିତ ରାତିରେ ନିଜଘରୁ ସୌମ୍ୟଙ୍କୁ ଉଠାଇ ନେଇଥିଲେ ଏସ୍ଟିଏଫ୍ ଟିମ୍। ୬ଟି ମୋବାଇଲ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପୁଲିସ ଜବତ କରିଥିବା ସୌମ୍ୟଙ୍କ ମା’ ପ୍ରତିମା ସୂଚନା ଦେଇଛନ୍ତି। ତେବେ, ପକ୍ଷୀ ବେପାର ପଛର ରହସ୍ୟକୁ ସ୍ଥାନୀୟ ଲୋକେ ଭେଦ କରିପାରୁ ନାହାନ୍ତି।