ସୋର: ପାକିସ୍ତାନୀ ଝିଅ ଭାରତ ବୋହୂ। ବାଲେଶ୍ବର ଜିଲ୍ଲା ସୋରରେ ପରିବାର ସହ ରହୁଛନ୍ତି। ହେଲେ ଏବେ ସରକାରୀ ନିର୍ଦ୍ଦେଶ ଆସିଛି, ଦୁଇଦିନ ଭିତରେ ଦେଶ ଛାଡ଼। ଯାହାକୁ ନେଇ ଉକ୍ତ ପରିବାର ଚିନ୍ତାରେ ପଡ଼ିଛି। ଗତ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ବର ଜିଲ୍ଲା ଈଶାଣୀର ପ୍ରଶାନ୍ତ କୁମାର ଶତପଥୀଙ୍କ ସହ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଭାରତ ସରକାର ଆକ୍ସନ ମୁଡ୍କୁ ଆସିଛନ୍ତି। ଯେଉଁ ପାକିସ୍ତାନୀଙ୍କ ଭାରତୀୟ ନାଗରିକତ୍ବ ନାହିଁ, ସେମାନଙ୍କୁ ୨୭ ତାରିଖ ସୁଦ୍ଧା ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୧୧ ଜଣଙ୍କ ସହ ବାଲେଶ୍ୱର ଜିଲ୍ଲା ସୋରର ୭୨ ବର୍ଷୀୟା ବିଧବା ରେଜିଆ ସୁଲତାନା ଏନେଇ ଗତ ୨୫ ତାରିଖ ଦିନ ନିର୍ଦ୍ଦେଶନାମା ପାଇଛନ୍ତି। ଫଳରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି।
ଏନେଇ ରେଜିଆ କହିଛନ୍ତି, ଆମର ସ୍ଥାୟୀ ଠିକଣା ସୋରରେ। ଭାରତୀୟ ଭାବେ ଆମ ପାଖରେ ପରିଚୟପତ୍ର ଅଛି। ତଥାପି ଆମକୁ ପାକିସ୍ତାନୀ କହିବା ସହ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବା ଦୁର୍ଭାଗ୍ୟଜନକ। ଆମେ ଏଠାରୁ କେଉଁଠିକୁ ଯିବୁନି। ଅନ୍ୟପଟେ ସୋର ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ କହିଛନ୍ତି, ରେଜିଆଙ୍କ ପରିବାର ଭାରତରେ ରହୁଥିଲେ ବି ତାଙ୍କର ନାଗରିକତ୍ବ ପାକିସ୍ତାନର ଅଛି। ତେଣୁ ଜିଲ୍ଲା ପ୍ରଶାସନ ତାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ କରିଛି। ଏନେଇ ସରକାର ତଥା ପ୍ରଶାସନ ନିଷ୍ପତ୍ତି ନେବେ।
ଉଲ୍ଲେଖ ଥାଉକି; ରେଜିଆଙ୍କ ବାପା ହାଇଦର ଅଲ୍ଲୀଙ୍କର ଘର ବିହାର ଅଞ୍ଚଳରେ। ସେ ସୋରର କୌସୁର ବିବିଙ୍କୁ ବିବାହ କରିଥିଲେ। ପରେ ହାଇଦର ପରିବାର ସହ ପ୍ରଥମେ ବାଂଲାଦେଶ ଏବଂ ପରେ ପାକିସ୍ତାନ ପଳାଇଥିଲେ। ପାକିସ୍ତାନରେ ୫ ବର୍ଷ ରହିବା ସହ ସେଠିକାର ନାଗରିକତ୍ୱ ଗ୍ରହଣ କରିଥିଲେ। ଏଇଭିତରେ ତାଙ୍କର ୩ ଝିଅ ଓ ଜଣେ ପୁଅ ଜନ୍ମ ହୋଇଥିଲେ। ତେବେ ୧୯୫୭ ମସିହାରେ ହାଇଦର ପୁଣି ଶ୍ବଶୁର ଘର ସୋରକୁ ପଳାଇ ଆସିଥିଲେ। ହାଇଦରଙ୍କ ସାନଝିଅ ରେଜିଆ ସୋର ପାରମହଲାର ଶେଖ ସାମସୁଦ୍ଧିନଙ୍କୁ ବିବାହ କରିବା ପରେ ହାଇଦର ପତ୍ନୀ କୌସୁର, ଅନ୍ୟ ୨ ଝିଅ ଓ ପୁଅକୁ ନେଇ ପୁଣି ପାକିସ୍ତାନ ପଳାଇଥିଲେ। ଏପଟେ ସ୍ବାମୀ ସାମସୁଦ୍ଧିନ ୨୦୨୩ରେ କ୍ୟାନ୍ସରରେ ମୃତ୍ୟୁବରଣ କରିଥିବା ବେଳେ ବିଧବା ରେଜିଆ ଏବେ ସୋରରେ ୨ ପୁଅ, ୨ ବୋହୂ ଓ ୫ ବର୍ଷର ନାତୁଣୀଙ୍କ ସହ ରହୁଛନ୍ତି। ସେହିପରି ତାଙ୍କର ୩ ଝିଅଙ୍କ ବିବାହ ହୋଇସାରିଛି।