ଦଶରଥପୁର : ପକ୍କାଘରଟିଏ ସ୍ବପ୍ନ ହୋଇ ରହିଛି। ଭଙ୍ଗା ଚାଳରେ ଚିରାଫଟା ପଲିଥିନ୍ ଛାଉଣି ଘରେ ବିତୁଛି ଜୀବନ। ଚଷାଖଣ୍ଡ ପଞ୍ଚାୟତ ମିଆଁପାଟଣା ଗ୍ରାମର ସେକ୍ ମମିନ୍ ଅଲ୍ଲୀଙ୍କ ପରିବାର ଏପରି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏବେ ମୁଣ୍ଡଫଟା ଖରା ସମୟରେ ପଲିଥିନ୍ ତଳେ କିଭଳି ତାତିରେ ସେମାନେ ରହୁଛନ୍ତି, ତାହା କେବଳ ଅନୁଭବୀ ହିଁ କହିପାରିବେ।
ମମିନ୍ଙ୍କ ପରିବାର କହିଲେ ୫ ପ୍ରାଣୀ କୁଟୁମ୍ବ। ଦୈନିକ ମୂଲ ଲାଗିଲେ ତାଙ୍କ ଘରେ ଚୁଲି ଜଳେ। ସେହି ରୋଜଗାରରେ ଘର ଖଣ୍ଡେ କରିବା ତ ଦୂରର କଥା, ଚାଳ ଛପର କରିବାକୁ ସେ ସକ୍ଷମ ହେଉନାହାନ୍ତି। ପକ୍କା ଘରଟିଏ ଯୋଗାଇ ଦେବାକୁ ସେ ବହୁବାର ପ୍ରଶାସନ ନିକଟରେ ନିବେଦନ କରିଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁ ନଥିବା କହିଛନ୍ତି। ସରପଞ୍ଚଙ୍କଠାରୁ ଉତ୍ତର ମିଳୁଛି ଯେ ତୁମ ଘର ପାଇଁ ବ୍ଲକ ଅଫିସ୍ରୁ ଲିଷ୍ଟ ଆସିଲେ ମିଳିବ। ପର ଘରେ ମୂଲମଜୁରି ଲାଗି ଯାହା ମିଳେ କଷ୍ଟରେ ମୋ ପରିବାର ଚଳୁଛି। ଘର ଖଣ୍ଡେ ମିଳୁ ନଥିବାରୁ ଭଙ୍ଗାଦଦରା ଘରେ ଜରିପାଲ ପକାଇ ରହୁଛୁ ବୋଲି ମମିନ୍ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2023/04/awas-jajpur-750x430.jpg)
ସେହିପରି ସେହି ଗ୍ରାମର ବସନ୍ତ ମଲ୍ଲିକଙ୍କ ମଧ୍ୟ ସମାନ ଅବସ୍ଥା। ସେ ମଧ୍ୟ ଜରିପାଲ ଛାଉଣି କରି ରହିଛନ୍ତି। ପ୍ରତିବର୍ଷ ଆମ ପଞ୍ଚାୟତରେ ଅନେକ ପରିବାରକୁ ଘର ମିଳୁଛି। ମୁଁ ବାରମ୍ବାର ବ୍ଲକ ଓ ପଞ୍ଚାୟତରେ ଗୁହାରି କରିଥିଲେ ମଧ୍ୟ ମୋ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଭୟ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି ​ହୋଇଛି।
Follow Us