ଗାୟକରତ୍ନ ନରୋତ୍ତମ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ବିଶିଷ୍ଟ ପାଲାକାର ତଥା ଗାୟକ ରତ୍ନ ନରୋତ୍ତମ ମହପାତ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଶ୍ରୀମହାପାତ୍ର ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ଖୋର୍ଦ୍ଧା ନିକଟବର୍ତୀ କଂଟାବାଡ଼ ଗ୍ରାମସ୍ଥିତ ପୈତୃକ ବାସଭବନରେ ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି।

ଶ୍ରୀ ମହାପାତ୍ର ୬୦ରୁ ଊର୍ଧ୍ବ ବର୍ଷ ଧରି ପାଲାଗାୟନ କ୍ଷେତ୍ରରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ଆସୁଥିଲେ। ଖଲ୍ଲିକୋଟର ରାଜା ରାମଚନ୍ଦ୍ର ଦେବଙ୍କ ତାଙ୍କୁ ଗାୟକରତ୍ନ ଉପାଧି ପ୍ରଦାନ କରିଥିଲେ। ଏହାଛଡ଼ା ବାଣୀରତ୍ନ, ଗାୟକ ସମ୍ରାଟ, ଗାୟକଜ୍ଞାନ ସାଗର ଆଦି ଉପାଧି ସମେତ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।

ଓଡ଼ିଶାର ପୁରପଲ୍ଲୀ ସମେତ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର ଅନେକ ଅଂଚଳରେ ସେ ପାଲାଗାୟନ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଲୋକ କଳାଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହି ଜନପ୍ରିୟ ପାଲା ଗାୟକଙ୍କ ବିୟୋଗରେ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ବଳଭଦ୍ର ପଣ୍ଡା, ପ୍ରହ୍ଲାଦ ସାହୁଙ୍କ ଭଳି ବିଶିଷ୍ଟ ପାଲାକାରଙ୍କ ସମେତ ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ସନ୍ଦୀପ ମିଶ୍ର, ବିପ୍ଳବ ସମ୍ବିତ କୁମାର, ଅନ୍ନଦା ଶଙ୍କର ଦାଶ, ଚକ୍ରଧର ବାରିକ ଓ ଅନ୍ୟ କର୍ମକର୍ତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର