ଅଣକାଠୁଆ ରଥରୁ ବଡ଼ରଥ: ପାଳଲହଡ଼ା ରଥଯାତ୍ରା ତାମ୍ବୁରରୁ ଆରମ୍ଭ

ପାଳଲହଡ଼ା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବହୁ ପୂର୍ବକାଳରୁ ପାଳଲହଡ଼ା ଜନସାଧାରଣଙ୍କର ଅଚଳାଚଳ ଭକ୍ତି ରହିଆସିଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାର ୨୬ଟି ଗଡ଼ଜାତ ରାଜ୍ୟ ମଧ୍ୟରୁ ପାଳଲହଡ଼ା ହେଉଛି ଗୋଟିଏ। ଶହ ଶହ ବର୍ଷ ତଳେ ଏହାର ରାଜଧାନୀ ଥିଲା ତାମ୍ବୁର। ମାଲ୍ୟଗିରି ପାଦଦେଶ‌ରେ ଥିବା ତାମ୍ବୁର ଗାଁରେ ଆଦିବାସୀ ସହର ସଂପ୍ରଦାୟର ଲୋକେ ବାସ କରୁଥିଲେ। ବର୍ତ୍ତମାନ ଏହି ଆଦିବାସୀ ବହୁଳ ଗାଁ ବଡ଼ସଡ଼ା ପଞ୍ଚାୟତ ଅଧୀନରେ ରହିଛି। ତାମ୍ବୁର ଯେ ପାଳଲହଡ଼ା ରାଜ୍ୟର ରାଜଧାନୀ ଥିଲା, ତାହାର ସଂକେତ ଏବେ ବି ସେଠାରେ ମିଳୁଛି।

ଯେତେବେଳେ ପୁରୀ ଶ୍ରୀକ୍ଷେତ୍ରରେ ଓ ଅନ୍ୟ ଗଡ଼ଜାତ ରାଜ୍ୟରେ ରଥଯାତ୍ରା ଆରମ୍ଭ ହେଲା, ସେହି ସମୟରେ ତାମ୍ବୁରଠାରେ ମଧ୍ୟ ରଥଯାତ୍ରା ଆରମ୍ଭ ହୋଇଥିଲା। ଆଦିବାସୀମାନେ ଜଙ୍ଗଲରୁ କାଠ ଆଣି ଗୋଟିଏ ଛୋଟ ରଥ ତିଆରି କରୁଥିଲେ। ସେଥିରେ କେବଳ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ବସାଇ ଯାତ୍ରା କରୁଥିଲେ। ଠାକୁରଙ୍କୁ ଜଙ୍ଗଲୀ ଫଳମୂଳ ଭୋଗ ଲଗାଉଥିଲେ। ରଥଯାତ୍ରା ଦିନ ସେମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ରଥ ଟାଣୁଥିଲେ। ଆଦିବାସୀମାନେ ଏହିଭଳି ରଥଯାତ୍ରା କରିଆସୁଥିଲେ। କିଂବଦନ୍ତି କହେ, ୭ ଶହ ବର୍ଷ ତଳେ ତତ୍‌କାଳୀନ ରାଜା ସାହେବ ମୁନିପାଳ ପାଳଲହଡ଼ାରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କଲେ। ତାଳଚେର ଜଗନ୍ନାଥ ମନ୍ଦିରର ମୂର୍ତ୍ତି ଯେଉଁ ମହାରଣା ନିର୍ମାଣ କରିଥିଲେ, ସେ ପାଳଲହଡ଼ାରେ ମଧ୍ୟ ମୂର୍ତ୍ତି ନିର୍ମାଣ କରିଥିଲେ ବୋଲି ଇତିହାସରୁ ଜଣାପଡ଼ିଛି। ରାଜାଙ୍କ ଅଧୀନରେ ମନ୍ଦିର ପରିଚାଳିତ ହେଉଥିଲା।

ମନ୍ଦିର ପୂଜକ, ବ୍ରାହ୍ଣଣ, ପଣ୍ତା ଓ ଅନ୍ୟ ସେବାୟତ ପାଇଁ ରାଜା ଖଞ୍ଜା ବ୍ୟବସ୍ଥା କରିଥିଲେ। ପାଳଲହଡ଼ାରେ ମୂର୍ତ୍ତି ନିର୍ମାଣ ପରେ ତାମ୍ବୁରରେ ରଥଯାତ୍ରା ବନ୍ଦ ହୋଇଥିଲା। ସେଠାରେ ଥିବା ଛୋଟ ଜଗନ୍ନାଥ ମୂର୍ତ୍ତିକୁ ରାଜା ଆଣି ପାଳଲହଡ଼ା ମନ୍ଦିରରେ ସ୍ଥାପନ କରିଥିଲେ। ଏଠାରେ ତିନିମୂର୍ତ୍ତି ବ୍ୟତୀତ ପ୍ରଭୁ ପତିତପାବନଙ୍କ ମୂର୍ତ୍ତି ମଧ୍ୟ ବିରାଜିତ। ଦେଶ ସ୍ବାଧୀନ ହେବା ପରେ ଗଡ଼ଜାତ ମିଶ୍ରଣ ହୋଇଥିଲା। ଏହାପରେ ପାଳଲହଡ଼ା ଜଗନ୍ନାଥ ମନ୍ଦିର ରାଜ୍ୟ ସରକାରଙ୍କ ଦେବୋତ୍ତର କମିସନର୍‌ ଟ୍ରଷ୍ଟକୁ ଚାଲିଯାଇଥିଲା। ପାଳଲହଡ଼ା ଉପଜିଲ୍ଲାପାଳ ତଥା ସ୍ଥାୟୀ ଦେବୋତ୍ତର ଅଧିକାରୀଙ୍କୁ ଏହାର ଦାୟିତ୍ବ ପ୍ରଦାନ କରାଗଲା। ଦେବୋତ୍ତର କମିଟିରେ ପାଳଲହଡ଼ାର ରାଜା ସ୍ଥାୟୀ ସଦସ୍ୟ ରହିବେ ଓ ରଥଯାତ୍ରାରେ ସେ ରଥ ଉପରେ ଛେରାପହଁରା କରିବେ ବୋଲି ବ୍ୟବସ୍ଥା ହୋଇଥିଲା। ଏବେ ମଧ୍ୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାଳଲହଡା ରାଜାଙ୍କୁ ସମ୍ମାନ ଦେଇ ଯାତ୍ରା ଦିନ ଛେରାପହଁରା କରିବାକୁ ନିମନ୍ତ୍ରଣ କରାଯାଉଛି। ଏହି ରଥକୁ ଅଞ୍ଚଳର କେତେକ ମହାରଣା ନିର୍ମାଣ କରିଥିଲେ।

ଏହାକୁ ଅଣକାଠୁଆ ରଥ କୁହାଯାଏ। ରଥ ନିର୍ମାଣ ଚାଲିଥିବା ସମୟରେ ଭୂୟାଁ ସଂପ୍ରଦାୟର ଲୋକମାନେ ଜଙ୍ଗଲରୁ ସିଆଳି ଲତା ଆଣି ଦଉଡ଼ି ତିଆରି କରନ୍ତି। ମହାପ୍ରଭୁଙ୍କ ରଥରେ ଏହି ଦଉଡ଼ି ଲଗାଇ ଟାଣିବା ପାଇଁ ମନ୍ଦିରକୁ ଭେଟି ଦିଅନ୍ତି। ୧୯୮୧ ମସିହାରେ ଏହି ଅଣକାଠୁଆ ରଥକୁ ବଦଳାଇ ନୂତନ ରଥ ନିର୍ମାଣ କରାଗଲା। ପୁରୀରୁ ମହାରଣା ଆସି ଏହି ରଥ ନିର୍ମଣ କରିଥିଲେ। ସେଦିନଠାରୁ ଠିକ୍‌ ରୂପେ ରଥ ନିର୍ମାଣ କରାଯାଉଅଛି। କେନ୍ଦୁଝର ବଳଦେବଜିଉ ମନ୍ଦିରର ମହାରଣା ଆସି ପାଳଲହଡା ରଥ ନିର୍ମାଣ କରିଥା’ନ୍ତି। ପାଳଲହଡ଼ା ତାହାର ପ୍ରାଚୀନ କୀର୍ତ୍ତି ବଜାୟ ରଖିବା ସହ ପାରମ୍ପରିକ ଭାବେ ରଥଯାତ୍ରା ପାଳନକରି ଆସୁଛି। ପ୍ରାଚୀନ ରାଜଧାନୀ ତାମ୍ବୁରରେ ଆଦିବାସୀ ସହରମାନଙ୍କ ଦ୍ବାରା ରଥଯାତ୍ରା ଆରମ୍ଭ ହୋଇଥିଲା ବୋଲି ଇତିହାସ ସାକ୍ଷୀ ରହିଛି।

ସମ୍ବନ୍ଧିତ ଖବର