ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମିନିଷ୍ଟାଡିୟମରେ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ସିଆର୍ପିଏଫ୍ କମାଣ୍ଡାଣ୍ଟ ଶ୍ରୀଇରିକ ଗିଲବରଜସ୍, ଡେପୁଟି କମାଣ୍ଡାଣ୍ଟ ଆର୍.ଏମ୍ ମିଶ୍ର, ଏସ୍ପି ଗୁଣ୍ତାଲା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଜିଲ୍ଲା ପରିଷଦ ସିଡିଓ ମଧୁଛନ୍ଦା ସାହୁ, ଓରମାସ ସିଇଓ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପଣ୍ଡା କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳା କରିବା ସ୍ବାଗତଯୋଗ୍ୟ। ହେଲେ ଅନ୍ୟ ଜିଲ୍ଲାରେ ଲୋକ ମହୋତ୍ସବ ବ୍ଲକ୍ ସ୍ତରରୁ ଆରମ୍ଭ ହେଉଛି। ହେଲେ ନୂଆପଡ଼ା ଜିଲ୍ଲାରେ ମାରାଗୁଡ଼ା ଲୋକ ମହୋତ୍ସବ କାହିଁକି ହେଉ ନାହିଁ ବୋଲି ପ୍ରକାଶ କରିଥିଲେ। ଯାହାକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା। ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟପକ୍ଷରେ ପଲ୍ଲିଶ୍ରୀ ମେଳାରେମୋଟ୍ ୧୪୧ଟି ଷ୍ଟଲ ରହିଥିବା ବେଳେ ମାତ୍ର ୫୦ ଷ୍ଟଲ୍ ଖୋଲା ରହିଛି। ଅନ୍ୟ ଷ୍ଟଲଗୁଡ଼ିକ ଅନ୍ଧାରରେ ଖାଲିପଡ଼ିଛି। ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅବ୍ୟବସ୍ଥା ହୋଇଥିବା ଆଲୋଚନା ହେଉଛି। ସେହିପରି କାର୍ଯ୍ୟକ୍ରମ ଷ୍ଟାଡିୟମରେ ପ୍ରବଳ ଧୂଳି ଉଡୁଥିବାରୁ ସମସ୍ତେ ଅଣନିଶ୍ବାସୀ ହେଉଥିବା ଦେଖିବାକୁ ମିଳିଛି। ପୁଣି ଉଦ୍ଘାଟନୀ ଉତ୍ସବର ମୁଖ୍ୟଅତିଥି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନୀ ସାହୁ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏହି ମେଳାରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ଅଣଦେଖା କରାଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି।