ପୁରୀ : ଆଧୁନିକତାର ସ୍ରୋତରେ ହଜିଯିବାକୁ ବସିଛି ତାଳପତ୍ର କାରିଗରୀ। ଦ୍ରୁତ ସହରୀକରଣ ପାଇଁ ହଜାର ହଜାର ତାଳଗଛ ବଳି ପଡ଼ିବା ପରେ ତାଳପତ୍ର ମିଳିବା କାଠିକର ହୋଇଗଲାଣି। କଞ୍ଚାମାଲର ଅଭାବ ଏବଂ ବାହାରୁ ଚଢ଼ା ଦରରେ ପତ୍ର କିଣିବାକୁ ପଡ଼ୁଥିବାରୁ କାରିଗର ତଥା ବୃତ୍ତିଧାରୀମାନେ ମୁହଁ ମୋଡ଼ିଲେଣି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରୁ ଶୁଖିଲା ଭୋଗ କିମ୍ବା ଅବଢ଼ା ଆଣିବା ପାଇଁ ବ୍ୟବହାର ହେଉଥିବା ତାଳପତ୍ର ଭୋଗେଇ ମଧ୍ୟ କେଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବା ଆଶଙ୍କା ଦେଖା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିଦ୍ଧ ମହାବୀର ରେଳ ଫାଟକ ନିକଟ ଚମାର ସାହିରେ ୪୦ରୁ ଅଧିକ ପରିବାରର ୭୦ରୁ ଅଧିକ କାରିଗର ତାଳପତ୍ର ଭୋଗେଇ ଓ ଅନ୍ୟ କାରିଗରୀ ପ୍ରସ୍ତୁତି କରି ଜୀବିକା ନିର୍ବାହ କରୁଥିଲେ ହେଁ ବର୍ତ୍ତମାନର ପିଢ଼ି ଏହି ପାରମ୍ପରିକ କାରିଗରୀରୁ ମୁହଁ ଫେରାଇ ନେଲେଣି। କୁଟୀରଶିଳ୍ପକୁ ପ୍ରୋତ୍ସାହନ ଦିଆଯାଉଥିଲେ ସୁଦ୍ଧା ତାଳପତ୍ର ପାରମ୍ପରିକ କାରିଗରୀ ପ୍ରୋତ୍ସାହନ ଅଭାବରୁ ବୁଡ଼ିଯିବାକୁ ବସିଛି। ଦିନେ ତାଳଗଛ ପାଇଁ ପରିଚୟ ବହନ କରୁଥିବା ତାଳବଣିଆ ଏବେ ତାଳଗଛ ଶୂନ୍ୟ ହୋଇଗଲାଣି। ତାଳଗଛ କାଟି ତାଳବଣିଆ ଅଞ୍ଚଳ ବିକଶିତ ହୋଇଛି, ଅର୍ଥାତ ଯେଉଁ ତାଳଗଛ ଚମାରସାହି ବାସିନ୍ଦାଙ୍କ ଜୀବିକା ପାଲଟିଥିଲା ତାକୁ ପୁନଃରୋପଣ ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ।
ଚମାରସାହିର ତାଳପତ୍ର କାରିଗର ଲୋକନାଥ ବେହେରା କହିଛନ୍ତି, ତାଳବଣିଆ ସମେତ ବାଲିଘାଟ, ସମଙ୍ଗରାରେ ତାଳଗଛ ଭର୍ତ୍ତି ହୋଇଥିଲା। ତେଣୁ ଆଗରୁ ତାଳପତ୍ର କାଟି ଆଣିବା ପାଇଁ ପଇସାଟିଏ ଦେବାକୁ ପଡ଼ୁନଥିଲା। ମାତ୍ର କାଳକ୍ରମେ ମଧୁର ଜଳ ପ୍ରକଳ୍ପ ଓ ଅନ୍ୟ ଅଞ୍ଚଳରେ ଘରଦ୍ବାର ଗଢ଼ି ଉଠିବା ଫଳରେ ତାଳଗଛ କାଟି ଦିଆଗଲା।
ସେତେବେଳେ ପ୍ରାୟ ୧୦ ହଜାରରୁ ଅଧିକ ତାଳଗଛ ଥିଲେ ହେଁ ଏବେ ୧୦୦ ଟା ବି ନାହିଁ। ତାଙ୍କ କହିବା ମୁତାବକ, ଏବେ ତାଳପତ୍ର କିଣିବା ପାଇଁ ଡେଲାଙ୍ଗ ଓ କଣାସ ଅଞ୍ଚଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଦୂରରୁ ଆସୁଥିବାରୁ ପରିବହନ ଖର୍ଚ୍ଚ ବେଶି ବାଧୁଛି। ୧୦୦ ତାଳପତ୍ର ବରଡ଼ା କିଣିବା ପାଇଁ ୭୦୦ ଟଙ୍କା ବ୍ୟୟ କରିବାକୁ ପଡ଼ୁଛି। ଗୋଟିଏ ତାଳପତ୍ର ବରଡ଼ାର ଦାମ ୭ ଟଙ୍କା ହୋଇଥିବା ବେଳେ ଏଥିରେ ୧୪ ଟଙ୍କାର ଭୋଗେଇ ପ୍ରସ୍ତୁତ କରି ହେଉଛି। ତେଣୁ ଅଧା ଖର୍ଚ୍ଚ କଞ୍ଚାମାଲ୍ କିଣାରେ ଯାଉଛି। ମୂଲ ମଜୁରି ଅଧା କାଟ୍ ଖାଉଥିବାରୁ ଦିନକର ମଜୁରି ବି ଉଠୁ ନାହିଁ ବୋଲି ସେ କହିଛନ୍ତି। ଚମାରସାହି ଯୁବକ ସଂଘର ଟୁଲୁ ବେହେରା କହିଛନ୍ତି, ଚମାରସାହିରେ ବଂଶଗତ ସୂତ୍ରରେ ପିଲାମାନେ ତାଳପତ୍ରରେ ବିଭିନ୍ନ କାରିଗରୀ ଶିଖନ୍ତି। ଝୁମୁକାଠୁ ନେଇ କଣ୍ଢେଇ ଓ ଘରକରଣା ଜିନିଷ ପ୍ରସ୍ତୁତ କରନ୍ତି। କାରିଗରୀ କାମ ସବୁବେଳେ ହେଉନଥିଲେ ହେଁ ଶ୍ରୀମନ୍ଦିରକୁ ତାଳପତ୍ର ଭୋଗେଇ ଯୋଗାଇବା ପାଇଁ କାମ ମିଳିଯାଏ। ଏପରିକି ଘରର ପୁରୁଷମାନେ ବି ଏହି କାରିଗରୀକୁ ଆଦରି ବଞ୍ଚି ଆସୁଥିଲେ। ମାତ୍ର ଏବେ କଞ୍ଚାମାଲ୍ର ଅଭାବ ଯୋଗୁ ଅଧିକାଂଶ ଭେଣ୍ଡିଆ ବ୍ୟକ୍ତି ମୂଲ ଲାଗି ଯାଉଛନ୍ତି। ମୂଲ ଲାଗିବାକୁ ଗଲେ ଦିନକୁ ୫ଶହ ଟଙ୍କା ମିଳୁଛି, ହେଲେ ତାଳପତ୍ର କାମରେ ଦିନକୁ ୨୫୦ ଟଙ୍କା ମିଳିବା କାଠିକର ହୋଇଯାଉଛି। ତେବେ ସ୍ଥିତି ଏମିତି ହେଲାଣି ଯେ ତାଳପତ୍ର କାରିଗରୀ ଆଗାମୀ ପିଢ଼ି ପାଇଁ ସ୍ବପ୍ନ ହୋଇଯିବ। ବେଳ ଆସିବ, ତାଳପତ୍ର ଭୋଗେଇ ଆଉ ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ନାହିଁ ବୋଲି ସେ କହିଛନ୍ତି।
କେବଳ ଚମାରସାହି ନୁହେଁ ବରଂ ସାକ୍ଷୀଗୋପାଳ, ଅଳୁଗୁମ, ବଳଙ୍ଗା, ମଙ୍ଗଳପୁର, ଡେଲାଙ୍ଗ, ବ୍ରହ୍ମଗିରି, ଚନ୍ଦନପୁର ଅଞ୍ଚଳରୁ ମଧ୍ୟ ବହୁ ପରିବାର ତାଳପତ୍ର ଭୋଗେଇ ଶ୍ରୀମନ୍ଦିର ଲାଗି ପ୍ରସ୍ତୁତ କରୁଛନ୍ତି। ମାତ୍ର ଦ୍ରୁତ ସହରୀକରଣ ମଧ୍ୟରେ ଏହି କାରିଗରୀ ହଜିଯିବାକୁ ବସିଛି। ସୌଖିନ ସାମଗ୍ରୀ ତ ଦୂରର କଥା ତାଳପତ୍ର ଭୋଗେଇ ମଧ୍ୟ ମିଳିବା ଦୁରୂହ ବ୍ୟାପାର ହେବ କାରିଗରମାନେ ଆଶଙ୍କା ପ୍ରକଟ କରିଛନ୍ତି।