ମେଳା ବନ୍ଦ ପରେ ବିକ୍ରି ହୋଇପାରୁନି କଳାକୃତି: ଦୁର୍ଦ୍ଦଶାରେ ତାଳପତ୍ର ଖୋଦେଇ ଶିଳ୍ପୀ

ପୁରୀ : କରୋନାର କରାଳ ପ୍ରଭାବରୁ ଶିଳ୍ପୀମାନେ ଏଯାଏ ମୁକୁଳି ପାରିନାହାନ୍ତି। ତାଳପତ୍ର ଖୋଦେଇ କାରିଗରୀ ଶିଳ୍ପକୁ ଭରସା କରି ବହୁ କଳାକାର ପରିବାର ପ୍ରତିପୋଷଣ କରୁଥିଲେ ହେଁ ବିକ୍ରିବଟାର ବାଟ ବନ୍ଦ‌ ହୋଇଯାଇଛି। ନା ‌ମେଳା ଆୟୋଜନ ହେଉଛି, ନା ବିଦେଶକୁ ରପ୍ତାନୀ ‌ହୋଇପାରୁଛି। ତେଣୁ କାରିଗରୀ ବୃତ୍ତି ହରାଇ ଦହଗଞ୍ଜ ହେଉଛନ୍ତି ତାଳପତ୍ର ଖୋଦେଇ ଶିଳ୍ପୀ।

ପୁରୀ ଜିଲ୍ଲାରେ ୨ହଜାରରୁ ଅଧିକ ଶିଳ୍ପୀ ତାଳପତ୍ର ଖୋଦେଇ କରି ଜୀବିକା ନିର୍ବାହ କରୁଛନ୍ତି। ଏହାବ୍ୟତୀତ ତାଳ ଗଛରେ ଚଢ଼ି ପତ୍ର କାଟି ଯୋଗାଉଥିବା ଚମାରଠାରୁ ଆରମ୍ଭ କରି ବହୁ ବ୍ୟକ୍ତିବିଶେଷ ଏହି ବୃତ୍ତି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ସହ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର କେବଳ ଏହି କଳା ପ୍ରତି ସମର୍ପିତ। କଳା ବିନା ସେମାନଙ୍କ ପାଇଁ ଆୟର ଅନ୍ୟ କୌଣସି ପନ୍ଥା ନାହିଁ। ଯଦିଓ କରୋନାର ଦ୍ବିତୀୟ ଲହର ପରେ ପୁଣି ଆଶା ଜାଗିଥିଲା, କିନ୍ତୁ ଓମିକ୍ରନ ଓ ସାମ୍ଭାବ୍ୟ ତୃତୀୟ ଲହର ପରେ ପୁଣି ମୋଡ଼ ବଦଳିଗଲା। କଞ୍ଚାମାଲ୍‌ର ଅଭାବ ନାହିଁ କି କାରିଗରୀ ବି ଥମିଯାଇନାହିଁ। କିନ୍ତୁ ମେଳା ବନ୍ଦ ପରେ କଳାକୃତିର ବିକ୍ରିବଟା ଠପ୍‌ ହୋଇଯାଇଛି। ଫଳରେ ଜୀବିକା ନିର୍ବାହ ପାଇଁ ଶିଳ୍ପୀମାନେ ଧାର କରଜରେ ବୁଡ଼ିଗଲେଣି। ପ୍ରତିଥର କରୋନାର ଧାରା କମିବା ପରେ ସେମାନଙ୍କ ଆଶା ଜାଗିଛି, କିନ୍ତୁ ପୁନର୍ବାର କରୋନା ରୂପ ବଦଳାଇ ପୁଣି ଦହଗଞ୍ଜ କରିଛି।
ବିଶେଷକରି ଉତ୍କଳିକାର ସମଗ୍ର ଦେଶରେ ୧୪ଟି କାଉଣ୍ଟର ରହିଥିବା ବେଳେ ସେଠାରେ ତାଳପତ୍ର ଖୋଦେଇ କାରିଗରୀ ବିକ୍ରିବଟା ପାଇଁ କିଣି ନିଅନ୍ତି। କିନ୍ତୁ ସେଗୁଡ଼ିକ ବନ୍ଦ ରହିଛି। ଏହା ବ୍ୟତୀତ ବର୍ଷକୁ ୨୪ ଥର ଗାନ୍ଧୀ ଶିଳ୍ପ ବଜାରର ଆୟୋଜନ ହୋଇ ଆସୁଥିବା ବେଳେ ତାହା ବି ବନ୍ଦ ହୋଇଯାଇଛି। ସେହିପରି ରାଜ୍ୟ ସରକାରଙ୍କର ଶିଶିର ସରସ, ତୋଷାଳି, ଆଦିବାସୀ ମେଳା ଭଳି ୧୦ରୁ ୧୨ଟି ମେଳାରେ ମଧ୍ୟ ଏହି କଳା କିଣିବା ପାଇଁ ଆଗ୍ରହ ପରିଲକ୍ଷିତ ହୁଏ। ସୂରଜ କୁଣ୍ଡ ମେଳାଠୁ ନେଇ ଟ୍ରେଡ୍‌ ଫେୟାର ମଧ୍ୟ ବନ୍ଦ ରଖାଯାଇଛି। ତେଣୁ କଳାକୃତି ପ୍ରସ୍ତୁତ କରି ମହଜୁଦ ରଖାଯାଇଥିଲେ ହେଁ ବିକ୍ରିବଟା ହୋଇପାରୁନଥିବାରୁ ଶିଳ୍ପୀମାନେ ନିଜର ପାରିଶ୍ରମିକ ପାଉନାହାନ୍ତି।

ଏନେଇ ଜାତୀୟ ପୁରସ୍କାରପ୍ରାପ୍ତ ତାଳପତ୍ର ଖୋଦେଇ ଶିଳ୍ପୀ ଶରତ କୁମାର ପ୍ରଧାନ କହିଛନ୍ତି, ରଘୁରାଜପୁର ସମେତ ବଳଙ୍ଗା, ନିମାପଡ଼ା, ପୁରୀ ସହରରେ ମଧ୍ୟ ତାଳପତ୍ର କାରିଗର ଅଛନ୍ତି। ବଙ୍ଗାଳି ପର୍ଯ୍ୟଟକଙ୍କ ସମେତ ବିଦେଶୀମାନେ ଏହି କଳା ପ୍ରତି ରୁଚି ରଖୁଥିବାରୁ ଶିଳ୍ପୀମାନେ ଭଲ ଆୟ କରି ଆସୁଥିଲେ। ଧୀରେଧୀରେ ଯୁବକ ଯୁବତୀମାନେ ମଧ୍ୟ ଏହାକୁ ପେସା କରିବା ଲକ୍ଷ୍ୟରେ ତାଲିମ୍‌ ନେଇ କାମ କରି ଆସୁଥିଲେ। ମାତ୍ର ଅଢ଼େଇ ବର୍ଷ ହେବ ବିକ୍ରିବଟା ବନ୍ଦ ଯୋଗୁ ସେମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ଶ୍ରୀ ପ୍ରଧାନଙ୍କ କହିବା ମୁତାବକ, ବଙ୍ଗାଳି ପର୍ଯ୍ୟଟକମାନେ ତାଳପତ୍ର ଖୋଦେଇ କାରିଗରୀ କିଣିବାକୁ ପସନ୍ଦ କରନ୍ତି। କିନ୍ତୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ଯୋଗୁ ବଙ୍ଗାଳି ପର୍ଯ୍ୟଟକ ଆସୁନାହାନ୍ତି କି ଏହାର ବିକ୍ରିବଟା ହେଉନାହିଁ। ତେଣୁ ଅନ୍ତତଃ ସରକାର ଶିଳ୍ପୀମାନଙ୍କୁ କିଛି ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର