ପାମ୍‌ ସ୍ପ୍ରିଙ୍ଗ୍‌ ଫିଲ୍ମ ଉତ୍ସବରେ ଓଡ଼ିଆ ପୁଅ ଜିତେନ୍ଦ୍ରଙ୍କ ଫିଲ୍ମ

ଭୁବନେଶ୍ବର : ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ଚଳଚ୍ଚିତ୍ର ‘ଦି ଲାଷ୍ଟ୍‌ କଲର’ ପାମ୍‌ ସ୍ପ୍ରିଙ୍ଗ୍‌ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ‌ରେ ପ୍ରଦର୍ଶିତ ହେବ। ସେଫ୍‌ ବିକାଶ ଖାନ୍ନାଙ୍କ ନିର୍ଦେଶିତ ଏବଂ ନିନା ଗୁପ୍ତାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଏକ ବିଶ୍ବସ୍ତରୀୟ ପ୍ରଦର୍ଶନୀରେ ପ୍ରଥମେ ପ୍ରଦର୍ଶିତ ହେବ। ଏହି ଫିଲ୍ମ ପ୍ରଦର୍ଶନୀ ବିଶ୍ବର ବଡ଼ ଉତ୍ସବ ହୋଇଥିବା ବେଳେ ବହୁ ଦର୍ଶକଙ୍କ ସମାଗମ ହୁଏ।

ଜଣେ ୯ ବର୍ଷର ଫୁଲ ବିକାଳି ଛୋଟି ଏବଂ ୭୦ ବର୍ଷର ବିଧବା ବୃଦ୍ଧା ନୁର୍‌ଙ୍କୁ ନେଇ ଫିଲ୍ମ ଗତିଶୀଳ। ନୁର୍‌ଙ୍କ ଜୀବନରେ ଆଶାର କିରଣ ଭରିଦେବା ପାଇଁ ଜଣେ ୯ ବର୍ଷର ବାଳକର ପ୍ରତିଜ୍ଞା ଏହି ଚଳଚ୍ଚିତ୍ରକୁ ବେଶ୍‌ ରୋଚକ କରିଛି। ବିନ୍ଦୁ ଖାନ୍ନା, ପୁନମ୍‌ କୌଲ୍‌ଙ୍କ ସମେତ ଜିତେନ୍ଦ୍ର ମିଳିତ ଭାବେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। ହାଉସ୍‌ ଅଫ୍‌ ଓମ୍‌କାରା ବ୍ୟାନର୍‌ରେ ଏହା ପ୍ରସ୍ତୁତ ହୋଇଥିବା ବେଳେ ଓଡ଼ିଆ ପୁଅ ଶୁଭ୍ରାଂଶୁ ଦାସ କ୍ୟାମେରା ପରିଚାଳନା କରିଛନ୍ତି। ନୀନା ଗୁପ୍ତାଙ୍କ ବ୍ୟତୀତ ଆକ୍ସା ସିଦ୍ଦିକ୍‌ ଏବଂ କିନ୍ନରଙ୍କ ଉପରେ କାମ କରୁଥିବା ରୁଦ୍ରାଣୀ ଛେତ୍ରୀ ଅଭିନୟ କରିଛନ୍ତି। ଜିତେନ୍ଦ୍ର ମିଶ୍ର କହିଛନ୍ତି ଯେ, ଏହି ସୁଯୋଗ ହଲିଉଡ୍‌ରେ ଭିଆଇପି ପ୍ରବେଶ ସହ ସମତୁଲ। ଏହି ଚଳଚ୍ଚିତ୍ର ଏକ ଜାଗତିକ କଥାବସ୍ତୁକୁ ଭିନ୍ନ ରୂପରେ ଉପସ୍ଥାପନ କରାଯାଇଥିବା ବେଳେ ଏହା ଦର୍ଶକଙ୍କୁ ବିଭୋର କରିବ ବୋଲି ସେ କହିଛନ୍ତି। ଜିତେନ୍ଦ୍ର ୧୧୦ରୁ ଅଧିକ ବିଭିନ୍ନ ବର୍ଗର ଚଳଚ୍ଚିତ୍ରରେ ନିଜର ସମ୍ପୃକ୍ତି ଛାଡ଼ିଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଜୁରି ରହିବାର ଗୌରବ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର