ସୌନ୍ଦର୍ଯ୍ୟକରଣ ନାଁରେ ସ୍ମାର୍ଟସିଟି ଅର୍ଥ ଆତ୍ମସାତ୍‌! ଲାଗିଥିବା ୩୦% ପାମ୍‌ ଗଛ ନଷ୍ଟ

ଜାଣି ପାରୁନାହାନ୍ତି କନିଷ୍ଠ ଯନ୍ତ୍ରୀ

ରାଉରକେଲା: ଖର୍ଚ୍ଚ ନ ହୋଇ ବ୍ୟାଙ୍କରେ ପଡିଥିବା ସ୍ମାର୍ଟସିଟି ପାଣ୍ଠି ବିନିଯୋଗ କରିବାକୁ ଲାଗି ପଡିଛନ୍ତି ସମସ୍ତେ। ସ୍ମାର୍ଟସିଟି ଅଧିକାରୀ, କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଠିକା ସଂସ୍ଥା ସମେସ୍ତ ମିଳି ମିଶି ଚଳୁ ଦେବାକୁ ଯେମିତି ମସୁଦା ଚଳାଇଛନ୍ତି। କାରଣ ପୁରୁଷ ବିଶ୍ବକପ୍‌ ହକି ପୂର୍ବରୁ ତରବରିଆ ଭାବେ ସମସ୍ତ କାମ ସାରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏଥିପାଇଁ ସମେସ୍ତ ଯେମିତି ପୁରା ଦମରେ ଲାଗିପଡିଛନ୍ତି। ନିକଟରେ ପାର୍କ ଠାରୁ ଆରମ୍ଭ କରି ରାସ୍ତା ସୌନ୍ଦର୍ଯ୍ୟକରଣ ସବୁଠି ବ୍ୟାପକ ଅନିୟମିତା ହେଉଥିବା ଅନେକ ଅଭିଯୋଗ ହେଇଛି।

ପାନପୋଷ-ଉଦିତନଗର ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାମ ଅସରାଏ ବର୍ଷାରେ ଦବି ଯାଇଥିଲା। ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ ତତ୍କାଳୀନ ସ୍ମାର୍ଟସିଟି ସିଇଓ କାର୍ଯ୍ୟାନୁଷ୍ଠାନ ନେଇଥିଳେ। ଏବେ ଯେଉଁ କାମ ପାଇଁ ୩/୪ କୋଟି ଖର୍ଚ୍ଚ ହେବା କଥା, ସେଠି ଖର୍ଚ୍ଚ ହେଉଛି, ଏହାର ଦୁଇଗଣା ଅର୍ଥାତ୍‌ ୮ରୁ ୧୦ କୋଟି ଟଙ୍କା। ବିଗତ ଦିନରେ ୫୦ ଲକ୍ଷରୁ ଆରମ୍ଭ କରି କୋଟିଏ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ସ୍ମାର୍ଟ ପାର୍କର ବାସ୍ତବ ଚିତ୍ର ଓଲଟା। ଏବେ ରାସ୍ତା ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଛି ବ୍ୟାପକ ହରିଲୁଟ୍‌। ଠିକା ସଂସ୍ଥା ଓ ସ୍ମାର୍ଟସିଟି ଅଧିକାରୀଙ୍କ ଭିତିରି ସଲାସୁତୁରା‌ରେ ଏସବୁ କାମ ହେଉଥିବା ଅଭିଯୋଗ ହେଉଛି। ସହରର ପ୍ରବେଶ ପଥ ପାନପୋ‌ଷ ଗାନ୍ଧି ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ (ପ୍ରାୟ ୩.୫ କି.ମି.) ରାସ୍ତାର ସୌନ୍ଦର୍ଯ୍ୟକରଣ କାମ ଚାଲିଛି।

ଆଲୋକୀକରଣ, ଫୁଟ୍‌ଫାଥ୍‌ ସମେତ ପାମ୍‌ ଗଛ ଲଗାଯାଉଛି। ଠିକା ସଂସ୍ଥା ‘ ଗ୍ରୀନ୍‌ ବ୍ଲୋ’କୁ ଏସବୁ କାମ ଦିଆଯାଇଥିବା ସ୍ମାର୍ଟସିଟି ଅଧିକାରୀ କହିଛନ୍ତି। ମାତ୍ର ଉଦିତନଗରରୁ ପାନପୋଷ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଶହ ଶହ ପାମ୍‌ ଗଛ ଲଗାଯାଇଛି। ଠିକା ସଂସ୍ଥା ଗଛ ଗୁଡ଼ିକୁ ‌ତରବରିଆ ଭାବେ ସେମିତି ପୋତି କାମ ସାରି ଦେଇଛନ୍ତି। ଏହାର ଚତୁଃପାର୍ଶ୍ବକୁ ଘେରାବନ୍ଦୀ କରାଯାଇ ନାହିଁ। ଫଳରେ ଯେତିକି ଗଛ ଲାଗିଛି ତା’ର ୩୦% ନଷ୍ଟ ହୋଇସାରିଲାଣି। ଗଛଗୁଡ଼ିକ ଏମିତି ଲାଗିଛି ଯେ, ଯଦି ୩/୪ ଦିନରେ ୩୦% ଗଛ ନଷ୍ଟ ହୋଇ ଗଲାଣି। ଆସନ୍ତା ସପ୍ତାହକ ମଧ୍ୟରେ ଅବଶିଷ୍ଟ ଗଛ ରହିବ କି ନାହିଁ ସନ୍ଦେହ। ଯଦି ଗଛ ଲଗା କାମରୁ ଠିକା ସଂସ୍ଥାର କାର୍ଯ୍ୟଶୈଳୀ ଏମିତି, ଆଗାମୀ ଦିନରେ କରିବାକୁ ଯାଉଥିବା ଅନ୍ୟ କାମଗୁଡ଼ିକ କେମିତି ହେବ, ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି।

ସେପଟେ ଗଛ ଗୋଟାକୁ ୮୦୦ରୁ ୧୦୦୦ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି। ଏମିତି ଭାବେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ‌ହୋଇଛି। ଏହି କ୍ଷତି ସମ୍ପୃକ୍ତ ଠିକା ସଂସ୍ଥା ଠାରୁ ଭରଣା କରାଯିବ କି ? ଏମିତି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଠିବା ସ୍ବାଭାବିକ। ଏ ସଂକ୍ରାନ୍ତରେ କାମ ତଦରଖ ଦାୟିତ୍ବରେ ଥିବା କନିଷ୍ଠଯନ୍ତ୍ରୀ ଅମରଜିତ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଦାୟିତ୍ବରେ ଅଛି। କିନ୍ତୁ ଏ ସଂକ୍ରାନ୍ତରେ କିଛି ଜାଣି ନାହିଁ। ଏ ସଂକ୍ରାନ୍ତରେ ସ୍ମାର୍ଟସିଟିର ଅଧିକାରୀଙ୍କୁ ପଚାରନ୍ତୁ, ସେ କହି ପାରିବେ। ଅର୍ଥାତ୍‌ ସ୍ମାର୍ଟସିଟି କାମ ତଦାରଖ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ସହରରେ କି କି ବିକାଶମୂଳକ କାମ ହେଉଛି, ନ ଜାଣି ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ଠିକା ସଂସ୍ଥାର ଏଭଳି କାମ ସମ୍ପର୍କରେ ସ୍ମାର୍ଟସିଟି ସିଇଓ ତଥା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଅବଗତ ଥିବା ସ୍ମାର୍ଟସିଟିର ଅଧିକାରୀ କହିଛନ୍ତି। ଏଭଳି ନିମ୍ନମାନର କାମ କରୁଥିବା ଠିକା ସଂସ୍ଥା ଓ କାର୍ଯ୍ୟ ତଦାରଖ ରଖୁଥିବା କନିଷ୍ଠ ଯନ୍ତ୍ରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର