ତେଲେଙ୍ଗାନାକୁ ତାଳଗଛ ଚାଲାଣ, ବଳି ପଡ଼ିଲାଣି ହଜାର ହଜାର ଗଛ

ନିଅଣ୍ଟ ହେବ ହାତୀର ଖାଦ୍ୟ, ତାଳଗୁଡ଼ ଶିଳ୍ପକୁ ବିପଦ, ଉଜୁଡ଼ୁଛି ପକ୍ଷୀଙ୍କ ବସା

ବନ୍ତଳା/ବଅଁରପାଳ : ପଡ଼ିଆରେ ଅଲୋଡ଼ା ଠିଆ ହୋଇଥିବା ତାଳଗଛ ହଠାତ୍‌ ଏବେ ଖୋଜା ପଡ଼ିଛି। ଗୋଟାକୁ ୫ଶହରୁ ୭ଶହ ଟଙ୍କାରେ ଖର୍ଦ୍ଦି କରି ଦଲାଲଙ୍କ ମଧ୍ୟସ୍ଥତାରେ ତାଳଗଛର ମଞ୍ଜ ସବୁ ସୁଦୂର ତେଲେଙ୍ଗାନାକୁ ଚାଲାଣ ଚାଲିଛି। ତେଲେଙ୍ଗାନା ଲୋକଙ୍କ ନଜର କାହିଁକି ଅନୁଗୁଳ ମାଟିର ତାଳଗଛ ଉପରେ ପଡ଼ିଛି ତାକୁ ନେଇ ପରିବେଶବିତ୍‌ ସନ୍ଦେହ ପ୍ରକଟ କରିଛନ୍ତି। ହଜାର ହଜାର ତାଳଗଛ କାଟି ନିଆଗଲେ ଏ ଗଛ ଉପରେ ନିର୍ଭର କରୁଥିବା ଜନ୍ତୁ ଏବଂ ପକ୍ଷୀମାନେ ସାଂଘାତିକ ଭାବେ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ତାଳଗଛ ହେଉଛି, ପରିବେଶର କିଛି ଚଢ଼େଇର ଆବାସ ସ୍ଥଳୀ। ଏବେ ଏ ଗଛରୁ ତାଳ ଫଳିବା ସମୟ। ତାଳ ହିଁ ଅନେକ ଚାଷୀଙ୍କ ପାଇଁ କାଳ ସଦୃଶ ହୋଇଛି। ବର୍ତ୍ତମାନ ହାତୀପଲ ତାଳ ଖାଇବା ପାଇଁ ଏ କ୍ଷେତରୁ ସେ କ୍ଷେତକୁ ଘୂରି ବୁଲୁଚନ୍ତି। ତାଳ ଖାଇବା ଚକ୍କରରେ କ୍ଷେତ ସବୁ ନଷ୍ଟ ହେଉଛି ବୋଲି ଚାଷୀକୁଳ ଅଭିଯୋଗ କରି ଆସୁଛନ୍ତି। ଧାନ ଫସଲ ପାଇଁ ତାଳଗଛ ଚାଷୀଙ୍କର ଏକ ପ୍ରକାର ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ସୁଦୂର ତେଲେଙ୍ଗାନାର ବେପାରି ଏ ସବୁ ଖର୍ଦ୍ଦି କରିବା ଲୋକଙ୍କୁ ବେଶ୍ ସୁହାଇଛି। ଗୋଟିଏ ଗଛ ପିଛା ପ୍ରାୟ ୫/୭ଶହ ଟଙ୍କାର ମୂଲ୍ୟ ଲୋକଙ୍କୁ ଦିଆଯାଉଛି। ଗତ କେଇଟା ମାସ ମଧ୍ୟରେ ମହୀଧରପୁର, ତଳମୂଳ, କୁରୁମିଠା, ଫୁଲପଡ଼ା, ତୁଳସୀପାଳ, ଗଡ଼ସନ୍ତ୍ରୀ, ବନ୍ତଳା ପ୍ରମୁଖ ଇଲାକାରୁ ହଜାର ହଜାର ଗଛ କଟରରେ କାଟି ସଫା କରା ସରିଲାଣି। ପ୍ରତିଟି ଗଛର ମଞ୍ଜ ଅଂଶକୁ ୧୨ଚକିଆ ଗାଡ଼ିରେ ଲୋଡ଼୍‌ କରି ନିଜ ରାଜ୍ୟକୁ ବେପାରି ବୋହି ଚାଲିଥିବାବେଳେ ଏଥିରେ କିଛି ଦଲାଲ୍ ମଧ୍ୟସ୍ଥି ସାଜିଛନ୍ତି।

ପୂର୍ବରୁ ଏତେ ମାତ୍ରାରେ ତାଳଗଛ କେବେ କଟା ଯାଇନଥିଲା। ହଠାତ୍‌ ଅନୁଗୁଳ ଜିଲ୍ଲାରୁ ଏତେ ସଂଖ୍ୟାରେ ତାଳଗଛ କାଟି ସଫା କରାଯିବା ଘଟଣା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। କାହିଁକି ଏତେ ସଂଖ୍ୟାରେ ତାଳଗଛ କଟା ଚାଲିଛି? ଗାଡ଼ି ଭଡ଼ା କରି ଦୂର ଦୂରାନ୍ତକୁ ବେପାରି ବୋହିବା ପଛରେ କ’ଣ କାରଣ ? ତାହାକୁ ନେଇ ପରିବେଶପ୍ରେମୀ ପ୍ରଶ୍ନ କରିଛନ୍ତି। ତାଳ‌ଗଛ ସିଧାସଳଖ ଲୋକଙ୍କର ବିଶେଷ କୌଣସି ଉପକାର ନ କଲେ ମଧ୍ୟ ବର୍ଷାଦିନେ ଅନ୍ତତଃ ହାତୀଙ୍କ ପାଇଁ ଖାଦ୍ୟ ଯୋଗାଏ। ଅନେକ ପକ୍ଷୀଙ୍କ ବସା ତା’ ଉପରେ ରହିଛି। ଅନୁଗୁଳର ତାଳଗୁଡ଼ ଶିଳ୍ପ ତା ଉପରେ ନିର୍ଭରଶୀଳ। ଏତେ ସଂଖ୍ୟାରେ ତାଳଗଛ କାଟି ସଫା କରିଦେଲେ ମଣିଷ ଏବଂ ପରିବେଶ ସହିତ ଜଡ଼ିତ ଏହି ସବୁ ଉପାଦାନଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ପରିବେଶପ୍ରେମୀ ତଥା ସାଥୀ ପରିବାରର ସଦସ୍ୟ ସୁବ୍ରତ ପ୍ରଧାନ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସେ ଦାବି କରିଛନ୍ତି।

କିନ୍ତୁ, ତାଳଗଛ କଟା ଉପରେ ଯେହେତୁ କୌଣସି ଆଇନଗତ ଅଙ୍କୁଶ ନାହିଁ, ତେ‌ଣୁ ବନ ବିଭାଗର କୌଣସି ବାରଣ କରାଯାଇ ପାରୁନାହିଁ ବୋଲି ବନ୍ତଳା ରେଞ୍ଜର ମାଧବ ଚନ୍ଦ୍ର ନାୟକ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର