ଆସହ୍ୟ ଗରମରେ ଲୋକ ଆଉଟୁପାଉଟୁ… ଲୋକଙ୍କ ଏବେ ପାଳୁଅ ଉପରେ ଭରସା

ମାଲକାନଗିରି: ରାଜ୍ୟର ଭୁବନେଶ୍ବର ଓ ଟିଟଲାଗଡକୁ ଛାଡିଦେଲେ ମାଲକାନଗିରିରେ ମଧ୍ୟ ଉତ୍ତାପ ରେକର୍ଡ ଛୁଇଁଥାଏ। ଏହି ସମୟରେ ଜିଲ୍ଲାବାସୀ ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି। କାକୁଡି, ତରଭୁଜ, ପଇଡ ଠାରୁ ଆରମ୍ଭ କରି ବଜାରରେ ମିଳୁଥିବା ଥଣ୍ଡାପାନୀୟ ଉପରେ ମଧ୍ୟ ଅଧିକା ନିର୍ଭର କରିଥାନ୍ତି। ପୁଣି ଲୋକେ ଦାହକୁ ଶୀତଳ ରଖିବ ପାଇଁ ବିଭିନ୍ନ ପ୍ରାକୃତିକ ଔଷଧୀୟ ଜିନିଷ ବ୍ୟବହାର କରିଥାନ୍ତି। ସେଗୁଡିକ ମଧ୍ୟରେ ପାଳୁଅ ଅନ୍ୟତମ। ଏହା ସେବନ କରିବା ଦ୍ବାରା ପେଟ ଥଣ୍ଡା ରହିବା ସହ ଏହାର ଔଷଧୀୟ ଗୁଣ ରହିଥିବାରୁ ବିଭିନ୍ନ ସମୟରେ ଏହାକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ବହୁଳ ପରିମାଣରେ ବଜାରରେ ମିଳୁନଥିବା ବେଳେ ଲୋକେ ନିଜ ଘରେ ଏହାକୁ ସାଇତି ରଖି ବର୍ଷ ସାରା ବିଭିନ୍ନ ଭାବେ ଏହାକୁ ବ୍ୟବହାର କରିଥାନ୍ତି। ତେବେ ମାଲକାନଗିରିରେ ଯଥେଷ୍ଟ ଭାବରେ ପାଳୁଅ ମିଳୁନଥିବାରୁ ବାହାର ଜିଲ୍ଲାରୁ ବେପାରୀମାନେ ଆସି ଏଠାରେ ପସରା ମେଲାଇଥାନ୍ତି।ଲୋକେ ମଧ୍ୟ ଏହି ସୁଯୋଗରେ ପାଳୁଅ କିଣି ନେଉଥିବାରୁ ଏହାର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି।

ଗ୍ରୀଷ୍ଣ ଋତୁରେ ମାଲକାନଗିରିରେ ପ୍ରବଳ ଗରମ ହେଉଥିବାର ସୁଯୋଗ ନେଇ କୋରାପୁଟ ଜିଲ୍ଲାର ପୋଡାଗଡ ଏବଂ ବୈପାରିଗୁଡା ଅଂଚଳରୁ ବହୁ ବ୍ୟବସାୟୀ ଏଠାରେ ପହଞ୍ଚି ପାଳୁଅ ବେପାର କରୁଥିବା ଦେଖିବାକୁ ମିଳିଛି।ଏମାନଙ୍କ କହିବା ଅନୁଯାୟୀ ଏମାନେ ପ୍ରତିବର୍ଷ ମାଲକାନଗିରିକୁ ପାଳୁଅ ବେପାର କରିବାକୁ ଆସିଥାନ୍ତି। କୋରାପୁଟ ଜିଲ୍ଲା ଅପେକ୍ଷା ମାଲକାନଗିରି ଜିଲ୍ଲାରେ ସବୁଠାରୁ ବେଶୀ ପାଳୁଅ ବ୍ୟବସାୟ ହୋଇଥାଏ।ଏହି ବ୍ୟବସାୟୀମାନେ ନିଜର ସଂପର୍କୀୟ ଘରେ ଦିନେ କିମ୍ବା ଦୁଇ ଦିନ ରହି ଆଣିଥିବା ପାଳୁଅକୁ ବେପାର କରିଥାନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ଲୋକେ ପ୍ରଚୁର ମାତ୍ରାରେ ପାଳୁଅ କିଣି ନେଉଥିବାରୁ ଏଠାରେ ଦିପଇସା ଲାଭ ହୋଇଥାଏ।

କୋରାପୁଟ ଜିଲ୍ଲାରେ ବେଶୀ ପରିମାଣରେ ପାଳୁଅ ଚାଷ କରାଯାଇଥାଏ। ପ୍ରାୟତଃ କୋରାପୁଟ ଜିଲ୍ଲାର ମାଳି ସଂପ୍ରଦାୟର ଲୋକ ବାସ କରୁଥିବା ଗ୍ରାମଗୁଡିକରେ ପାଳୁଅ ଚାଷ କରାଯାଇଥାଏ ବୋଲି ଏମାନେ ପ୍ରକାଶ କରଥିଲେ। ପୁଣି ନିଜ ପାଖରେ ରହିଥିବା ଏକ କିମ୍ବା ଦୁଇ ଏକର ଜମିରେ ପାଳୁଅ ଚାଷ କରୁଥିବା ମଧ୍ୟ କହିଥିଲେ। ଏକ ଏକର ଜମିରେ ପ୍ରାୟ ଏକଶହ କ୍ବିଣ୍ଟାଲ ପାଳୁଅ କନ୍ଦା ଉତ୍ପାଦନ କରାଯାଇଥାଏ।ଏପ୍ରିଲ ମାସ ଆରମ୍ଭ ବେଳକୁ ଜମିରୁ ପାଳୁଅ ଖୋଳି ବାହାର କରାଯାଇଥାଏ। ସେହି କନ୍ଦାକୁ ଟିକି ଟିକି କରି କଟାଯାଏ। କିନ୍ତୁ ବର୍ତ୍ତମାନ ଏହି କନ୍ଦାକୁ ଗୁଣ୍ଡ କରିବା ପାଇଁ ସ୍ବତନ୍ତ୍ର ମିଲ ବ୍ୟବହାର କରାଯାଉଥିବାରୁ ସହଜରେ ଅଳ୍ପ ସମୟରେ ପ୍ରଚୁର ପରିମାଣରେ କନ୍ଦାକୁ ଗୁଣ୍ଡ କରାଯାଇପାରୁଥିବା କୁହାଯାଇଥିଲା। ଏହି ଗୁଣ୍ଡକୁ ସଫା କନାରେ ବାନ୍ଧି ଗୋଟିଏ ରାତିରେ ପାଣିରେ ବତୁରାଯାଏ। ଯେଉଁ ପାଣି ବାହାରେ ସେହି ପାଣିକୁ ସେହି ପାଣିକୁ କିଛି ଘଣ୍ଟା ରଖିଦେଲା ପରେ ତାହା ଟାଣ ହୋଇଯାଇଥାଏ। ଏହାକୁ ପରେ ଗୁଣ୍ଡକରି ବଜାରକୁ ବିକ୍ରି ପାଇଁ ଅଣାଯାଇଥାଏ।

ତେବେ ବହୁ ବର୍ଷ ପୂର୍ବେ ଜଂଗଲରୁ କନ୍ଦା ସଂଗ୍ରହ କରାଯାଇ ପାଳୁଅ ପ୍ରସ୍ତୁତ କରାଯାଉଥିଲା।କିନ୍ତୁ ବର୍ତ୍ତମାନ ଲୋକେ ନିଜ ଜମିରେ ପାଳୁଅ ଚାଷକରି ବେଶ ରୋଜଗାରକ୍ଷମ ହୋଇପାରୁଛନ୍ତି ଏବଂ ବେଶ ଦିପଇସା ଲାଭ ମଧ୍ୟ ପାଇପାରୁଛନ୍ତି। ପାଳୁଅକୁ ଯେ ଲୋକେ କେବେଳ ଗ୍ରୀଷ୍ଣ ଋତୁରେ ବ୍ୟବହାର କରୁଛନ୍ତି ତାହା ନୁହେଁ ବରଂ ତରଳ ଝାଡା ଭଳି କେତେକ ରୋଗର ଉପସମ ପାଇଁ ମଧ୍ୟ ପାଳୁଅ ବ୍ୟବହାର କରାଯାଇଥାଏ।ଏହା ଏକ ପ୍ରାଚୀନ ପଦ୍ଧତି ହୋଇଥିଲେ ମଧ୍ୟ ଏବେ ବି ଲୋକେ ଘରେ ଘରେ ଏହି ପଦ୍ଧତିରେ ଚିକିତ୍ସା କରିଥାନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଉପବାସ କରୁଥିବା ଲୋକ ପାଳୁଅକୁ ଘାଣ୍ଟି ଖାଇଥାନ୍ତି। ବିଭିନ୍ନ ଦିଗରୁ ପାଳୁଅ ଲୋକଙ୍କ ପାଇଁ ବିଶେଷ ଉପକାରୀ ସାମଗ୍ରୀ ହୋଇଥିବାରୁ ଲୋକେ ଏହାକୁ ସାଇତି ରଖୁଥିବାର ଦେଖିବାକୁ ମିଳିଛି। ଏହାର ସବୁବେଳେ ଗୁରୁତ୍ବ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ।

 

ସମ୍ବନ୍ଧିତ ଖବର