ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ପାନ, ଗୁଟ୍‌ଖା ଖାଇ ମନ୍ଦିର ଗଲେ ଜୋରିମାନା

ଏଥର ୨୫ ସେବକ କରିଛନ୍ତି ବ୍ୟବସ୍ଥାର ଉଲ୍ଲଂଘନ, ଅନୁଧ୍ୟାନ ପାଇଁ ଗଠିତ ହେଲା ପାଞ୍ଚ ଜଣିଆ କମିଟି, ଉଲ୍ଲଂଘନ ପାଇଁ ବିଧାୟକ ମାଗିଛନ୍ତି ଭୁଲ

ପୁରୀ : ରଥଯାତ୍ରା ପରେ ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମନ୍ଦିରର ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଏଣିକି ମନ୍ଦିର ଭିତରକୁ କେହି ପାନ, ଗୁଟ୍‌ଖା ଖାଇ ଯାଇପାରିବେ ନ‌ାହିଁ। ଅଗଷ୍ଟ ପହିଲାରୁ ଏ ନେଇ କଟକଣା ଜାରି କରାଯିବ। ଏହାକୁ କେହି ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବେ। ସେବକ, କର୍ମଚାରୀ, ଭକ୍ତ କେହି ବି ଏଥିରୁ ଛାଡ଼ ପାଇବେନି ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ସେହିପରି ରଥଯାତ୍ରା ସମୟରେ ବ୍ୟବସ୍ଥାବଳୀ ଅନୁପାଳନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ନୀତି ଶୃଙ୍ଖଳିତ ହୋଇଥିଲେ ବି କିଛି ତ୍ରୁଟି ରହିଥିବା ଅନୁଧ୍ୟାନରୁ ଜଣାପଡିଥିଲା।

ଗତ ବର୍ଷ ୪୮ ଜଣ ସେବକ ବ୍ୟବସ୍ଥାବଳି ଉଲ୍ଲଂଘନ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୨୫ ରହିଥିବା ଭିଡିଓରୁ ଜଣାପଡିଛି। ତ୍ରୁଟି ଅନୁଧ୍ୟାନ ପାଇଁ ଆଜି ଏକ ୫ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ପରିଚାଳନା କମିଟିର ୫ ଜଣ ସଭ୍ୟ (ସେବକ ସଂପ୍ରଦାୟ) ରହିବେ। ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡାଙ୍କୁ ଏହାର ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। କମିଟି ତ୍ରୁଟି ଅନୁଧ୍ୟାନ କରିବା ପରେ ଆଇନ ମୁତାବକ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଅନ୍ୟପକ୍ଷରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସ୍ନାନଯାତ୍ରା ଦିନ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ପ୍ରସଙ୍ଗରେ ମତ ରଖିଥିଲେ ମୁଖ୍ୟ ପ୍ରଶାସକ। ଏହି ତ୍ରୁଟି ପାଇଁ ବିଧାୟକ ଶ୍ରୀ ଷଡ଼ଙ୍ଗୀ ବ୍ୟକ୍ତିଗତ ଭାବେ ତାଙ୍କୁ ସାକ୍ଷାତ କରି କ୍ଷମାପ୍ରାର୍ଥନା କରିବା ସହ ଦିଆଯାଇଥିବା ନୋଟିସ୍‌ର ଉତ୍ତର ପଠାଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ।

ବୈଠକରେ ୨୦୧୮-୧୯ ଖର୍ଚ୍ଚ ହିସାବର ଅଡିଟ୍‌ ରିପୋର୍ଟ ପରିଚାଳନା କମିଟି ଆଗରେ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିଥିବାରୁ ପରିଚାଳନା କମିଟି ସଭ୍ୟମାନେ ଖୁସି ପ୍ରକଟ କରିଥିଲେ।

ପରିଚାଳନା କମିଟି ବୈଠକରେ ଗଜପତି ମହାରାଜ ଦିବ୍ୟ ସିଂହଦେବଙ୍କ ସମେତ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍‌ପି ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର