ନବୀନଙ୍କ ବିକାଶ ମଡେଲକୁ ପ୍ରଶଂସା କଲେ ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ ପାନାଗରିଆ

ଭୁବନେଶ୍ୱର: ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା କଲମ୍ବିଆ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନାଗରିଆ ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ସଂପାଦକୀୟ ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଏକ ପ୍ରବନ୍ଧ ଲେଖିଛନ୍ତି । ଯେଉଁଥିରେ ୨୨ ବର୍ଷର ନବୀନ ସରକାରରେ ଓଡ଼ିଶାରେ ହୋଇଥିବା ବିକାଶକୁ ସେ ଦର୍ଶାଇଛନ୍ତି । ନବୀନଙ୍କ ୨୨ ବର୍ଷର ଶାସନ ଓଡ଼ିଶା ଭଳି ରାଜ୍ୟକୁ କିପରି ଅର୍ଥନୈତିକ, କୃଷିଭିତ୍ତିକ ଓ ସମାନ୍ତରାଳ ବିକାଶ ଦିଗରେ ଆଗକୁ ବଢ଼ାଇଛି, ସେ ବିଷୟରେ ଉଲ୍ଲେଖ କରିଛନ୍ତି ପାନାଗରିଆ । ୨୦୦୦ ମସିହାର ସ୍ଥିତି ଓ ଆଜିର ସ୍ଥିତି ମଧ୍ୟରେ ଆକାଶ ପାତାଳ ତଫାତ ଦେଖିବାକୁ ମିଳିଛି । ବିକାଶ ସହିତ ଓଡ଼ିଶା କେଉଁଥିରେ ନିଜକୁ ସୁଦୃଢ଼ କରିପାରିବ, ତାକୁ ନେଇ ପରାମର୍ଶ ଦେଇଛନ୍ତି ପାନାଗରିଆ ।

ରାଜ୍ୟରେ ୪୮ ଦଶମିକ ୩ ପ୍ରତିଶତ ଶ୍ରମଜୀବୀ କୃଷି କ୍ଷେତ୍ର ସହ ଜଡ଼ିତ । ଏହି ସଂଖ୍ୟାକୁ କମାଇବାର ଆବଶ୍ୟକତା ରହିଛି । ଶିଳ୍ପ, ଆଇଟି ଭଳି ଅଧିକ ଦରମା ପାଉଥିବା ଶ୍ରମଜୀବୀଙ୍କ ସଂଖ୍ୟା ବଢ଼ାଇବାକୁ ପଡ଼ିବ । ଚାକିରିଆ ନହୋଇ ଉଦ୍ୟୋଗୀ ହେବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ପାନାଗରିଆ । ରାଜନୀତି ହେଉ କି ଅର୍ଥନୀତି ହେଉ, ସବୁଥିରେ ନବୀନଙ୍କୁ ଏକ ନମ୍ବର ଭାବେ ଚିତ୍ରଣ କରିଛନ୍ତି ପ୍ରଫେସର ପାନାଗରିଆ । ମହାବାତ୍ୟା ପରର ଓଡ଼ିଶାକୁ ନବୀନ କିପରି ସମ୍ଭାଳିଛନ୍ତି, ତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ପାନାଗରିଆ । ବିକାଶ ସହିତ ଓଡ଼ିଶା ପ୍ରତି ଥିବା ଚ୍ୟାଲେଞ୍ଜକୁ ମଧ୍ୟ ଚିତ୍ରଣ କରିଛନ୍ତି ପାନାଗରିଆ ।

ଏହି ପ୍ରବନ୍ଧରେ ଅରବିନ୍ଦ ପାନାଗାରିଆ ଲେଖିଛନ୍ତି ଯେ ୨୦୦୪-୦୫ରେ ଓଡ଼ିଶାର ଦାରିଦ୍ର୍ୟ ହାର ଥିଲା ୫୭. ୬ %, ୨୦୧୧-୧୨ ଏହା କମି ୩୨.୯ %କୁ ପହଂଚିଥିଲା | ଓଡ଼ିଶାରେ ଗ୍ରାମାଞ୍ଚଳର ଚିତ୍ର ୨୨ ବର୍ଷରେ ବଦଳିଯାଇଛି ଓ ରାଜ୍ୟର ବାର୍ଷିକ ଆୟ ବୃଦ୍ଧି ପାଇଛି | ଜନସାଧାରଣଙ୍କ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇଛି ଓ ରାଜ୍ୟର ଅଭିବୃଦ୍ଧି ହାର ୨୦୦୦ ମସିହା ତୁଳନାରେ ୩% ବୃଦ୍ଧି ପାଇଛି | ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ବିକାଶ ହୋଇଛି ଓ ଚାଷୀଙ୍କର ବାର୍ଷିକ ଆୟ ଅନ୍ୟ ରାଜ୍ୟ ତୁଳନାରେ ବୃଦ୍ଧି ପାଇଛି |

ସମ୍ବନ୍ଧିତ ଖବର