ପୁରୀ : ଶୁକ୍ରବାର ଦିନ ପବିତ୍ର ପଣା ସଂକ୍ରାନ୍ତିରେ ଶ୍ରୀକ୍ଷେତ୍ରର ବିଭିନ୍ନ ମହାବୀର ମନ୍ଦିରକୁ ମହାପ୍ରଭୁଙ୍କ ଲାଗିମାଳ ବିଜେ କରାଯାଇଛି। ଶ୍ରୀମନ୍ଦିର ଚାରିଦ୍ବାରରେ ଥିବା ମହାବୀରଙ୍କ ସହ ଶ୍ରୀଜଗନ୍ନାଥବଲ୍ଲଭ ଓ ଚକ୍ରତୀର୍ଥ ରୋଡ୍ ବେଡି ହନୁମାନଙ୍କ ମନ୍ଦିରକୁ ଏହି ଲାଗିମାଳ ବିଜେ କରାଯାଇଛି। ଏଥିପାଇଁ ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ୧୧ଟି ଲାଗିମାଳ ବିଭିନ୍ନ ମହାବୀର ମନ୍ଦିରକୁ ଶୋଭାଯାତ୍ରା ସହକାରେ ବିଜେ କରିଛନ୍ତି।
ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ପରେ ଦକ୍ଷିଣ ଘରେ ଥିବା ମହାବୀରଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ପରେ ଶ୍ରୀମନ୍ଦିର ଚାରିଦ୍ବାରରେ ଥିବା ମହାବୀର, ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ବିଜେ ତିନି ମହାବୀର, ଚକ୍ରତୀର୍ଥ ରୋଡ୍ ବେଡି ହନୁମାନ ମନ୍ଦିର ଆଦି ସ୍ଥାନକୁ ମହାପ୍ରଭୁଙ୍କ ଲାଗି ମାଳ ବିଜେ କରାଯାଇଥିଲା। ଲାଗିମାଳ ସମର୍ପଣ ପରେ ସେବକମାନେ ଶ୍ରୀମନ୍ଦିରକୁ ଫେରିଥିଲେ।