ପଣସପଦା ସ୍ୱାସ୍ଥ୍ୟକେନ୍ଦ୍ର: ଛତା ତଳେ ସ୍ବାସ୍ଥ୍ୟସେବା

ପୁରୀ : ଛତା ତଳେ ଚାଲିଛି ରୋଗୀ ଚିକିତ୍ସା। ସ୍ବାସ୍ଥ୍ୟକେନ୍ଦ୍ରରେ ବି ଦେଖିବାକୁ ମିଳିଛି ଏଭଳି ଦୂରାବସ୍ଥା। ଶନିବାର ସକାଳୁ ଲଗାଣ ବର୍ଷା ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପାଣି ଭାସୁଥିବା ଦେଖିବାକୁ ମିଳିଛି। ମେଡିକାଲ୍‌ ଛାତରୁ ପାଣି ଗଳୁଥିବାରୁ ଡାକ୍ତର ନିଜେ ଛତା ତଳେ ରୋଗୀଙ୍କୁ ସେବା ଦେଉଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ଛାତ ତଳେ ରୋଗୀଙ୍କୁ ଛତା ଧରି ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। କାନ୍ଥ ଓ ଛାତ ଫାଟି ଆଁ କରିଛି। ତଥାପି ସେଇ ଅସୁରକ୍ଷିତ କୋଠା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ସ୍ବାସ୍ଥ୍ୟ ସେବାର ଏକମାତ୍ର ବିକଳ୍ପ କେନ୍ଦ୍ର ପାଲଟିଛି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ପୁରୀ ପଣସପଦା ପିଏଚ୍‌ସିରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ବ୍ୟବସ୍ଥାର ଏଭଳି ଏକ ଦୟନୀୟ ଚିତ୍ର। ମାସେ କି ବର୍ଷେ ନୁହେଁ, ବର୍ଷ ବର୍ଷ ହେଲା ବର୍ଷା ଦିନେ ରୋଗୀ ସେବା ବ୍ୟାହତ ହେଉଥିଲେ ବି ସ୍ବାସ୍ଥ୍ୟ ବିଭାଗ ଯେମିତି ଆଖି ବୁଜି ଦେଇଛି। ବିଡ଼ମ୍ବନା ଏହି ଯେ ସେଇ ପରିସରରେ ସ୍ବାସ୍ଥ୍ୟକେନ୍ଦ୍ରର ଆଉ ଏକ ନୂତନ କୋଠା ନିର୍ମାଣ ହୋଇଛି, କିନ୍ତୁ କୋଠାକୁ ବିଦ୍ୟୁତ ସଂଯୋଗ କି ପାଣି ସଂଯୋଗ ଦିଆଯାଉନାହିଁ। ଫଳରେ ଆଜିଯାଏ ସେଇ ଅସୁରକ୍ଷିତ କୋଠାରେ ଚିକିତ୍ସା ସେବା ଚାଲୁଛି।

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ପରିସରରେ ପ୍ରାଥମିକ ଚିକିତ୍ସା ସମେତ ଦୁଇଟି ଶଯ୍ୟା ଉପଲବ୍ଧ ରହିଛି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ର କକ୍ଷରେ ଛାତ ଫାଟି ବର୍ଷା ପାଣି ବେଡ୍‌ରେ ପଡ଼ୁଥିବାରୁ ଏହାକୁ ବାହାରକୁ ଆଣି ରୋଗୀଙ୍କୁ ସାଲାଇନ୍‌ ଦିଆଯାଉଛି। ୧୯୮୫ ମସିହା ମେ ମାସ ୪ ତାରିଖରେ ଏଠାରେ ପିଏଚ୍‌ସି ଆରମ୍ଭ ହୋଇଥିଲେ ହେଁ ଏଯାଏଁ ଏହାକୁ ମରାମତି କରିବା ପାଇଁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆନ୍ତରିକତା ପ୍ରକାଶ ପାଇନାହିଁ। ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ଦୂରାବସ୍ଥା ବାବଦରେ ମେଡିକାଲ୍‌ ଅଫିସର ଡାକ୍ତର ରାଜୀବ ଲୋଚନ ପ୍ରତିହାରୀ ଡିପିଏମ୍‌ଙ୍କୁ ଅବଗତ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମେଡିକାଲ୍‌ର ଏଭଳି ଦୂରାବସ୍ଥା ଯୋଗୁ ନୂଆ ବିଲ୍‌ଡିଂ ନିର୍ମାଣ ହୋଇ ଗତ ମାର୍ଚ୍ଚ ମାସ ସୁଦ୍ଧା ପିଏଚ୍‌ସିକୁ ହସ୍ତାନ୍ତର କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଆଜି ଯାଏ ନୂତନ କୋଠାକୁ ବିଦ୍ୟୁତ ଓ ପାଣି ସଂଯୋଗ କରାଯାଇ ପାରିନାହିଁ।

ସମ୍ବନ୍ଧିତ ଖବର