ପୁରୀ: ପଞ୍ଚକପର୍ବର ପ୍ରଥମ ଦିନରେ ମହାପ୍ରଭୁ ଦୁର୍ଲ୍ଲଭ ଲକ୍ଷ୍ମୀନାରାୟଣ ତଥା ଠିଆକିଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତ, ହବିଷିଆଳିଙ୍କ ଭିଡ଼ ଲାଗି ରହିଥିଲା। ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ଓ ବିଭୁକୃପା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ସମବେତ ହୋଇଥିଲେ। ସେପଟେ ଆଜି ହରି ଉତ୍ଥାପନ ନୀତି ସହ ମାଙ୍ଗଳିକ କାର୍ଯ୍ୟର ଶୁଭବେଳା ଆରମ୍ଭ ହୋଇଛି। ଆସନ୍ତାକାଲି ମହାପ୍ରଭୁ ବାଙ୍କଚୁଡ଼ ବା ବାମନ ବେଶରେ ଦର୍ଶନ ଦେବେ। ଏହା ସହ ଗରୁଡ଼ ଉତ୍ଥାପନ ନୀତି ବି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଜି ଭୋର ସାଢ଼େ ୪ଟାରେ ଶ୍ରୀମନ୍ଦିରରେ ଦ୍ବାରଫିଟା, ୫ଟା ୧୫ରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।
ଠିଆକିଆ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପ୍ରଥମ ଦିନରେ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ରୋଷହୋମ ପରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଆରମ୍ଭ ହୋଇଥିଲା। ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ଏହି ବେଶ କରିଥିଲେ। ତିନିଠାକୁରଙ୍କୁ ସୁବର୍ଣ୍ଣର ବିଭିନ୍ନ ଆୟୁଧ ଓ ଅଳଙ୍କାର ଲାଗି ହୋଇଥିଲା। ବଡ଼ଠାକୁର ବଳଭଦ୍ର ହଳ, ମୁଷଳ, ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର ଆଦି ଆୟୁଧ ଧାରଣ କରିଥିଲେ। ମଥାରେ କିଆ ଆଦି ଅଳଙ୍କାର ଲାଗି କରାଯାଇଥିବା ବେଳେ ବଡ଼ଠାକୁର ବଳଭଦ୍ରଙ୍କୁ ସବୁଜ, ଶ୍ରୀଜଗନ୍ନାଥଙ୍କୁ ହଳଦିଆ ଓ ମା’ ସୁଭଦ୍ରାଙ୍କୁ ନାଲି ପାଟବସ୍ତ୍ର ଲାଗି କରାଯାଇଥିଲା। ଅପରାହ୍ଣ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି କରାଯାଇଛି। ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିଥିବା ବେଳେ ଉତ୍ତରଦ୍ବାର ଓ ଅନ୍ୟ ଦ୍ବାର ଦେଇ ବାହାରିଥିଲେ। ଭକ୍ତଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ପ୍ରଶାସନ, ପୁଲିସ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସିଂହଦ୍ବାରରେ ଭକ୍ତଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା।