ପାଣି ଭିତରୁ ଉପୁଡ଼ିଗଲା ୩ ଲିଙ୍ଗ!

ପଞ୍ଚଲିଙ୍ଗେଶ୍ୱର ପୀଠରେ ଅଭାବନୀୟ ଘଟଣା

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠରେ ଘଟିଛି ଅଭାବନୀୟ ଘଟଣା। ଆରାଧ୍ୟ ଦେବତା ବାବା ପଞ୍ଚଲିଙ୍ଗେଶ୍ୱର ଲିଙ୍ଗ ଉପୁଡ଼ି ଯାଇଛି। ଘଟଣା ସତ୍ୟ କି ଗୁଜବ, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଏହି ଖବର ସାରା ଇଲାକାର ଶୈବଭକ୍ତମାନଙ୍କୁ ବ୍ୟଥିତ କରିଛି। ଏହି ଘଟଣା ପ୍ରଚାର ହୋଇଯିବା ପରେ ଲିଙ୍ଗସ୍ପର୍ଶ ପାଇଁ ବାରଣ କରାଯାଇଛି। ଲିଙ୍ଗ ନିକଟକୁ କାହାକୁ ଛଡ଼ାଯାଉ ନାହିଁ। ଠାକୁରଙ୍କ ପୂଜକ ଓ ପରିଚାଳନା କମିଟି ସଦସ୍ୟମାନେ ଠାକୁରଙ୍କ ପାଖକୁ ଯିବା ବାଟରେ ଲାଗିଥିବା ଗେଟ୍‌ରେ ଗତକାଲିଠାରୁ ତାଲା ପକାଇ ଦେଇଛନ୍ତି। ଫଳରେ ଦୁଇଦିନ ହେଲା ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ନିରାଶ ହୋଇ ଫେରୁଛନ୍ତି। କଡ଼ା କଟକଣା ପରେ କୌଣସି ଭକ୍ତ କି ପର୍ଯ୍ୟଟକଙ୍କୁ ଆଉ ପଞ୍ଚଲିଙ୍ଗେଶ୍ୱରଙ୍କ ପଞ୍ଚଲିଙ୍ଗ ସ୍ପର୍ଶ କରିବାର ସୁଯୋଗ ମିଳୁନାହିଁ। ଏହି ଘଟଣା ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ର ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗତ ୩୦ ତାରିଖ ଦିନ ଲିଙ୍ଗ ଉପୁଡ଼ି ଯାଇଥିବା ଜଣା ପଡ଼ିଥିଲା। ପାଣି ଭିତରେ ବିଜେ ୫ଟି ଲିଙ୍ଗ ମଧ୍ୟରୁ ୩ଟି ଲିଙ୍ଗ ଉପୁଡ଼ି ଉପରେ ପଥର ଚଟାଣରେ ପଡ଼ିଥିଲା। ଠାକୁର ପାଣି ବଦଳରେ ଉପରେ ପଡ଼ିଥିବା ପ୍ରଥମେ ସେବକ ସନାତନ ବାରିକ ଓ ପୂଜକ ବସନ୍ତ କର ଦେଖିଲେ। ପରେ ପୂଜକମାନେ ପାଣିରେ ଅଣ୍ଡାଳି ଠାକୁର ନଥିବା ଜାଣିବାରୁ ଏ କଥା ପ୍ରଘଟ ହୋଇଗଲା। ଗତକାଲି ତିନି ଲିଙ୍ଗଙ୍କୁ ପୂର୍ବ ସ୍ଥାନରେ ସ୍ଥାପିତ କରାଯାଇଛି। ତା’ପରଠୁ କେହି ଯେମିତି ଠାକୁରଙ୍କୁ ସ୍ପର୍ଶକରି ନପାରିବେ, ସେଥିପାଇଁ ବାରଣ କରାଯାଇଛି। ଏହାକୁ ନେଇ ଏଠାରେ ନାନା କଥା ଆଲୋଚନା ହେଉଛି। ପ୍ରଖର ଜଳସ୍ରୋତ ଯୋଗୁଁ ଲିଙ୍ଗ ତାଡ଼ିହୋଇ ଯାଇଥିବା ଅନ୍ୟ କେତେକ କହୁଛନ୍ତି। ଏହା ପଛରେ କିଛି ତାନ୍ତ୍ରିକଙ୍କ ହାତଥିବା ମଧ୍ୟ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର