ବ୍ରହ୍ମପୁର : ତିନି ଶହ କ୍ବିଣ୍ଟାଲ୍ରୁ ଅଧିକ ସରକାରୀ ଚାଉଳ ହେର୍ଫେର୍ ମାମଲାର ବିଚାରଣା କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣ କୁମାର ସାହୁ ବୁଧବାର ଦିନ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏଥିରେ ଉପଯୁକ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ଏହି ମାମଲାରେ ଅଭିଯୁକ୍ତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଝାମି ପଂଚାୟତର ତତ୍କାଳୀନ ପଂଚାୟତ ସଂପାଦକ ପି. ଘାସିନାଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ, ୫ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ହେଲେ ଅଧିକ ୨ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ୨୦୦୫-୦୬ ମସିହାରେ ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନାରେ ଝାମି ପଂଚାୟତକୁ ଆସିଥିବା ୩୩୦ କ୍ବିଣ୍ଟାଲ୍ ୨୬କେଜି ୪୫୦ଗ୍ରାମ ଚାଉଳ ହେର୍ଫେର୍ କରିଥିବା ନେଇ ତତ୍କାଳୀନ ପଂଚାୟତ ସଂପାଦକ ପି. ଘାସିନାଥଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ୨୦୦୭ ମାର୍ଚ୍ଚ ୩୧ରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଏହି ଅଭିଯୋଗର ତଦନ୍ତ କରାଯାଇ ସମ୍ପୃକ୍ତ ସଂପାଦକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ କୋର୍ଟରେ ହୋଇଥିଲା। ୧୦ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।