ପଞ୍ଚାୟତ ନିର୍ବାଚନ: ଅଡ଼ୁଆ ବଢ଼ାଇବେ ୨୯୮ ପ୍ରାର୍ଥୀ

ସବୁଠି ପ୍ରାର୍ଥୀ ଦେଲା ବିଜେଡି, ସଫଳତାରୁ ଅଭିଯାନ ଆରମ୍ଭ
ବିଜେପିକୁ ଝଟକା, ୪ଟି ଜୋନ୍ ବାଲଟରେ ଚିହ୍ନ ରହିବନି
କଂଗ୍ରେସ ହାତରୁ ଗଲା୧୬ ଜୋନ୍‌, ୧୩୬ରେ ଲଢ଼ିବ
ବାମ ଦଳ, ଜେଏମ୍ଏମ୍ ଦବଦବା ବଢ଼ିବା ପରିବର୍ତ୍ତେ କମୁଛି

ଭୁବନେଶ୍ୱର : କୋଟିଆରେ ସବୁ ରାଜନୈତିକ ଦଳ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିଛନ୍ତି। ଏହି ଆସନକୁ ଛାଡି ବିଜୁ ଜନତା ଦଳ ବାକି ସମସ୍ତ ୮୫୨ଟି ଜୋନରେ ପ୍ରାର୍ଥୀ ଦେଇଛି। ଗୋଟିଏ ଆସନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଥିବା ପରିପ୍ରେକ୍ଷୀରେ ଏବେ ମଇଦାନରେ ୮୫୧ ଜଣ ପ୍ରାର୍ଥୀ ଅଛନ୍ତି। ବଲାଙ୍ଗୀର, ମାଲକାନଗିରି, ଯାଜପୁର ଏବଂ ବରଗଡ ଜିଲ୍ଲା ଭଟଲିର ଗୋଟିଏ ଜୋନକୁ ମିଶାଇ ୪ଟି ଜୋନ ହାତଛଡା କରିଦେଲା ବିଜେପି। ଅର୍ଥାତ୍ ରାଜ୍ୟର ମୁଖ୍ୟ ବିରୋଧୀ ଦଳ (ବିଜେପି) ଏବେ ୮୪୮ ଆସନରେ ଲଢ଼ିବ। ପୁରୀ ଜିଲ୍ଲା ସତ୍ୟବାଦୀର ୬ଟି ଜୋନ ସମେତ ମୋଟ ୧୬ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ିପାରିଲେ ନାହିଁ। ମଇଦାନରେ ରହିଯାଇଛନ୍ତି ଦଳର ୮୩୬ ପ୍ରାର୍ଥୀ।

ଏସବୁକୁ ମିଶାଇ ନିର୍ବାଚନ ହେବାକୁ ଥିବା ୮୫୨ (ମୋଟ ୮୫୩ ଜିଲ୍ଲା ପରିଷଦ ଆସନ) ଜୋନରେ ୩ ହଜାର ୪୦୭ ପ୍ରାର୍ଥୀ ଜିଲ୍ଲା ପରିଷଦ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ହିସାବ କଲେ ଗୋଟିଏ ଗୋଟିଏ ଆସନରେ ହାରାହାରି ୪ଜଣ ପ୍ରାର୍ଥୀ ଲଢୁଛନ୍ତି।

ଏହି ପରିସଂଖ୍ୟାନ କିନ୍ତୁ ଅନେକ କାରଣରୁ ରାଜନୈତିକ ତଥ୍ୟାଭିଜ୍ଞ ମହଲକୁ ତର୍ଜମା ପାଇଁ ଖୋରାକ ଯୋଗାଇଛି। ପଞ୍ଚାୟତ ନିର୍ବାଚନ ଘୋଷଣା ହେବା କ୍ଷଣି ଯେଉଁ ପ୍ରସଙ୍ଗଟି ଗଣମାଧ୍ୟମ ଓ କର୍ମୀ ମହଲରେ ଆଲୋଚନା ହେଉଥିଲା- ତାହା ଥିଲା ‘ଅନ୍ତଃକନ୍ଦଳ’। ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିେଜପି ଏବଂ କଂଗ୍ରେସ ସବୁ ଶିବିରକୁ ଏହା ପ୍ରଭାବିତ କରି ରଖିଥିଲା। ପ୍ରାର୍ଥୀଚୟନ କ୍ଷେତ୍ରରେ ଏହାର ଜବରଦସ୍ତ ପ୍ରତିଫଳନ ଘଟିଛି। ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପରେ ସବୁଠାରୁ ଅଧିକ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି।

ଯାବତୀୟ ଚାପ କୌଶଳ ପ୍ରୟୋଗ ପରେ; ଶୀର୍ଷସ୍ତରରେ ଦିନରାତି ବୁଝାସୁଝା ସତ୍ତ୍ବେ ନିର୍ବାଚନ ମଇଦାନରେ ୨୯୮ ଜଣ ସ୍ବାଧୀନ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବିଭିନ୍ନ ରାଜନୈତିକ ଦଳର କଟ୍ଟର ନେତାଙ୍କ ସଂଖ୍ୟା ଅଧିକ। ଏମାନେ ବିଦ୍ରୋହୀ ନେତାଙ୍କ ପ୍ରଚ୍ଛନ୍ନ ସହଯୋଗରେ ନିର୍ବାଚନକୁ ଡେଇଁଛନ୍ତି। ଏମାନେ ହିଁ ଏବେ ଭୋଟ ଫଳାଫଳରେ ନିର୍ଣ୍ଣାୟକ ଭୂମିକା ଗ୍ର୍ରହଣ କରିପାରନ୍ତି ବୋଲି ରାଜନୈତିକ ମହଲ ମତ ରଖିଲେଣି।
ଦ୍ବିତୀୟ ପ୍ରସଙ୍ଗଟି ହେଲା ବିଜୁ ଜନତା ଦଳ ବିଜୟ କାର୍ଡରୁ (ଭଟଲିର ଅମ୍ବାଭୋନା ଜୋନ-୨) ନିର୍ବାଚନ ଆରମ୍ଭ କରିଛି ଏବଂ ରାଜ୍ୟର ଏକ ନମ୍ବର ରାଜନୈତିକ ଦଳ ହିସାବରେ ନିଜର ସବୁଠାରେ ଉପସ୍ଥିତି ଜାହିର କରିଛି। ପ୍ରାକ୍ ନିର୍ବାଚନ ଚିତ୍ର ସୂଚାଉଛି ଯେ ଶାସକ ଦଳର ପ୍ରଚାର ଠାରୁ ଆରମ୍ଭ କରି ପ୍ରସ୍ତୁତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଟିକିଏ ଆଗୁଆ।

Outlook India

୨୦୧୯ ନିର୍ବାଚନରେ ପାଖାପାଖି ୩୨.୪୯ ପ୍ରତିଶତ ଭୋଟ ପାଇଥିବା ବିଜେପିକୁ ଆରମ୍ଭରୁ ଝଟ୍‌କା ଲାଗିଛି। ତୃତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ହେଲା, ମାଲକାନଗିରିରେ ବିଜେପି ବିଧାୟକ ଆଦିତ୍ୟ ମାଢୀଙ୍କ ଦୁର୍ଗରୁ ଜଣେ ପ୍ରାର୍ଥୀ ଶେଷ ମୁହୂର୍ତରେ ଖସିଗଲେ। ବିଜେପିର ପ୍ରଭାବଶାଳୀ ସାଂସଦ ସୁରେଶ ପୂଜାରୀଙ୍କ ନିର୍ବାଚନମଣ୍ଡଳୀ ତଥା ବିଜେପିର ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ନିଜ ରାଜନୈତିକ କ୍ଷେତ୍ର ଭଟଲି ଜଗିପାରିଲେ ନାହିଁ। ଦଳ ଯାହାକୁ ପ୍ରାର୍ଥୀ କଲା, ଶେଷ ମୁହୂର୍ତରେ ସେ ମଇଦାନରୁ ଉଭାନ। ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କ ବଲାଙ୍ଗୀରରେ ଦଳ ଏମିତି ଜଣେ ପ୍ରାର୍ଥୀ ଦେଲା ଯେ ତାଙ୍କ ନାମାଙ୍କନପତ୍ର ନାକଚ ହୋଇଗଲା। ସର୍ବୋପରି ସାଧାରଣ ନିର୍ବାଚନ ପୂର୍ବରୁ ହାଇଭୋଲଟେଜ୍ ଲଢେଇ ଯାଜପୁର ଜିଲ୍ଲାରେ ହେବ ବୋଲି ବିଚାର କରାଯାଉଥିଲା। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାସଙ୍କ ସହିତ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିବା ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ନିଜ ଘରକୁ ସୁରକ୍ଷିତ ରଖିପାରିଲେନି। ଏବେ ସେଠାରେ ୨୯ ନମ୍ବର ଜୋନ ବାଲଟ ପେପରରେ ପଦ୍ମ ଚିହ୍ନ ରହିବ ନାହିଁ। ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତା ପ୍ରମୁଖ ନିର୍ବାଚନ ମଇଦାନରେ ସକ୍ରିୟ ନଥିବା ବେଳେ ଅନ୍ୟପଟରେ ବିଜେପି ନିଜ ପ୍ରାର୍ଥୀଙ୍କୁ ପାଖରେ ନ ରଖିପାରିବା ଘଟଣା ରାଜନୈତିକ ମହଲର‌େ ଚର୍ଚାର ବିଷୟ ହୋଇଛି।

Northeast Now

କଂଗ୍ରେସ ସ୍ଥିତି ଆହୁରି ଗମ୍ଭୀର। ନିର୍ବାଚନ ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ ପାଇଁ ଦଳରେ କାହିଁ କେତେ କସରତ ଚାଲିଥିଲା। ଅନେକ ନେତା ଦୌଡରେ ସାମିଲ ଥିଲେ। ଚତୁର୍ଥ ଘଟଣାଟି ହେଲା; ବର୍ଷତମାମ ନେତୃତ୍ବ କନ୍ଦଳ ଭିତରେ ଫସିଥିବା ଦଳ ତୃଣମୂଳସ୍ତରର ଏହି ନିର୍ବାଚନରେ ବି ସମାନ ଆଚରଣ ପ୍ରଦର୍ଶନ କରିଛି। ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିର୍ବାଚନମଣ୍ଡଳୀ ସତ୍ୟବାଦୀରେ ଗୋଟିଏ ବି ଆସନରେ କଂଗ୍ରେସ ପ୍ରାର୍ଥୀ ନାହାନ୍ତି। ବରଗଡ ଜିଲ୍ଲାରେ ଭଟଲିରୁ କଂଗ୍ରେସ ପ୍ରାର୍ଥୀ ମଇଦାନରୁ ଓହରିଗଲେ। କଂଗ୍ରେସ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଦଳ ପୁରୀ ଜିଲ୍ଲାର କଣାସ ଆସନରେ ଟିକେଟ୍ ଦେଇଥିଲେ ହେଁ ନାକଚ ହୋଇଯାଇଛି। ଅନ୍ୟ ପାଞ୍ଚଟିରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ। କେନ୍ଦୁଝରରେ ବି ଦୁଇଟି ଆସନରେ ଦଳ ପ୍ରାର୍ଥୀ ଦେଇନଥିଲା। ଅନ୍ୟ ୯ଟିରେ ଦଳୀୟ ପ୍ରାର୍ଥୀ ଓହରିଯାଇଛନ୍ତି, ଯାହା ଆଦୌ ଶୁଭ ଲକ୍ଷଣ ନୁହେଁ।
ରାଜନୈତିକ ମହଲକୁ ଗୋଟିଏ ଚିତ୍ର ବେଶି ଆନ୍ଦୋଳିତ କରୁଛି। ତାହା ହେଲ‌ା, ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ ପ୍ରଭାବ ରଖୁଥିବା ବାମଦଳ ଓ ଜେଏମଏମ ଧୀରେ ଧୀରେ ସଙ୍କୁଚିତ ହେବା ଆରମ୍ଭ କଲେଣି। ସିପିଆଇ ମାତ୍ର ୩୮ଟି ଆସନରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇଛି। ସିପିଏମ ୭୨ ଆସନରେ ଲଢ଼ିବ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ବାମଦଳର କର୍ତ୍ତୃତ୍ବ ତୃଣମୂଳସ୍ତରରେ ଆଉ ନାହିଁ, ଏହା ତାର ଆଉ ଏକ ଆଭାସ। ସେହିଭଳି ଜେଏମଏମ ମାତ୍ର ୪୭ ଆସନରେ ପ୍ରାର୍ଥୀ ଦେଇଛି। ଉଭୟ ସୁନ୍ଦରଗଡ (୩୫) ଏବଂ ମୟୂରଭଂଜ (୫୬)ରେ ଦଳର ଦବଦବା ରହିଥିଲା। କିଛି ସମର୍ଥକ କେନ୍ଦୁଝର, ଯାଜପୁର ଆଦିରେ ରହିଛନ୍ତି। ହେଲେ ଦଳର ପ୍ରାର୍ଥୀଙ୍କ ସଂଖ୍ୟା ସୂଚାଇ ଦେଉଛି ଯେ ଫଳାଫଳ କଣ ହେବ ତାହା ଅଲଗା କଥା; ଜେଏମଏମ୍ ତାକତ ବଢ଼ିବା ପରିବର୍ତ୍ତେ କମିଛି।

ଏସବୁ ଭିତରେ ବିଏସପି ୧୫୯ ଆସନରେ ଲଢୁଛି, ଆପ ୩୨ ଜୋନରେ ପ୍ରାର୍ଥୀ ଦେଇଛି। ଏଜେଏସୟୁ ୧୨ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ମିଶି ୨୧୪ ଆସନରେ ଲଢୁଛନ୍ତି।

ସମ୍ବନ୍ଧିତ ଖବର