ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଫେବ୍ରୁଆରି ୧୬ରୁ ଆରମ୍ଭ ହେବାକୁ ଥିବାବେଳେ ୫ଟି ପର୍ଯ୍ୟାୟରେ ୨୪ତାରିଖ ପର୍ଯ୍ୟନ୍ତ ମତଦାନ ହେବ। ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ବ୍ଲକ୍ ସ୍ତରରେ ଭୋଟ୍ ଗଣତି ହେବ। ଏନେଇ ରବିବାର ଦିନ ରାଜ୍ୟ ନିର୍ବାଚନ କମିସନର ନିୟମାବଳୀ ଜାରି କରିଛନ୍ତି।
ରାଜ୍ୟ ନିର୍ବାଚନ କମିସନର କହିଛନ୍ତି ଯେ ଭୋଟ୍ ଗଣତିରେ ଅସାବଧାନତା ଯୋଗୁଁ ନିର୍ବାଚନ ଫଳାଫଳ ଭୁଲ୍ ହୋଇପାରେ। ନିର୍ବାଚନ ହେବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଭୋଟ୍ ଗଣତି କେନ୍ଦ୍ର ନିରୂପଣ କରିବେ। ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀୱାରି ଭୋଟ୍ ଗଣତି କାର୍ଯ୍ୟ ଗୋଟିଏ ବଡ଼ ହଲ୍ରେ କରାଯିବ। ବ୍ଲକ୍ ମୁଖ୍ୟାଳୟରେ ମତଗଣନା କାର୍ଯ୍ୟ ତିନି ଦିନ ଧରି ଚାଲିବ, ଯେମିତିକି ଗୋଟିଏ ବ୍ଲକ୍ ସମସ୍ତ ଜିଲ୍ଲା ପରିଷଦ ମଣ୍ଡଳୀର ଭୋଟ୍ଗୁଡ଼ିକର ଗଣତି କାର୍ଯ୍ୟ ତିନି ଦିନ ମଧ୍ୟରେ ଶେଷ ହେବ।
ପ୍ରତ୍ୟେକ ବ୍ଲକର ଜିଲ୍ଲା ପରିଷଦ ନିର୍ବାଚନମଣ୍ଡଳୀ ଅନୁସାରେ ନିର୍ବାଚନ ଅଧିକାରୀମାନେ କେତୋଟି ଭୋଟ୍ ଗଣତି କେନ୍ଦ୍ର ସ୍ଥାପନ କରାଯିବ ତାହା ନିରୂପଣ କରିବେ। ଉଦାହରଣ ସ୍ବରୂପ କୌଣସି ଏକ ବ୍ଲକର ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ତିନିରୁ ଅଧିକ ଅଛି ସେଠାରେ ନିଶ୍ଚିତ ଭାବେ ଏକରୁ ଅଧିକ ମତଗଣନା କେନ୍ଦ୍ର ହେବ। ଗୋଟିଏ ବ୍ଲକର ମତଗଣନା କାର୍ଯ୍ୟ ନିଶ୍ଚିତ ଭାବେ ତିନି ଦିନ ମଧ୍ୟରେ ଶେଷ କରିବା ଲାଗି ନିର୍ବାଚନ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ନେବେ। ମତଗଣନା କେନ୍ଦ୍ର ବ୍ଲକ୍ ମୁଖ୍ୟାଳୟ ନିକଟରେ ହେବା ଉଚିତ। ଯଦି ସେଠାରେ ମତଗଣନା କେନ୍ଦ୍ର ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ନଥିବ ତେବେ ବ୍ଲକ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର, ବିଶେଷ କରି ମହାବିଦ୍ୟାଳୟ କିମ୍ବା ଉଚ୍ଚ ବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବ। ମତଗଣନା କେନ୍ଦ୍ର ନିକଟରେ ଷ୍ଟ୍ରଙ୍ଗରୁମ୍ ନିମନ୍ତେ ଏକ ବଡ଼ କୋଠରୀ ରହିବ। ମତଗଣନା କେନ୍ଦ୍ର ଚିହ୍ନଟ କରିବା ସମୟରେ ସେଠାରେ ଆବଶ୍ୟକ ଚେୟାର, ଟେବୁଲ୍, ରୢାମ୍ପ, ପରିସ୍ରାଗାର ଓ ପାନୀୟଜଳର ସୁବିଧା ଦିଗରେ ଦୃଷ୍ଟି ଦିଆଯିବ। ମତଗଣନା କାର୍ଯ୍ୟ ଅସ୍ଥାୟୀ ମତଗଣନା କେନ୍ଦ୍ରରେ କରିବାକୁ ନିର୍ବାଚନ କମିସନର ବାରଣ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ଚାହିଁଲେ ଷ୍ଟ୍ରଙ୍ଗରୁମ୍ ବାହାରେ ନିର୍ଦ୍ଧାରିତ ସ୍ଥାନରେ ରହି ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗରୁମ୍କୁ ଜଗି ପାରିବେ ବୋଲି କମିସନ କହିଛନ୍ତି।
ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ନିମନ୍ତେ ବିହିତ ବ୍ୟବସ୍ଥା ହେବ। ସୂଚନା ପ୍ରଦାନ ନିମନ୍ତେ ଡାକବାଜି ଯନ୍ତ୍ର ଲାଗିବ। ଏକ ଆଦର୍ଶ ମତଗଣନା କେନ୍ଦ୍ରର ଆକାର ୩୫ଫୁଟରେ ୨୦ଫୁଟ ରହିବ। ଯେଉଁଠାରେ ୮ଟି ଗ୍ରାମପଞ୍ଚାୟତର ଭୋଟ୍ଗଣତି ଗୋଟିଏ ହଲ୍ରେ କରାଯାଇପାରିବ। ମତଗଣନା କେନ୍ଦ୍ର ନିକଟରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ଟି ୨୪ଘଣ୍ଟିଆ ସିସିଟିଭି ନଜରରେ ରହିବ। ଷ୍ଟ୍ରଙ୍ଗରୁମ୍କୁ ବାଲଟ୍ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ସିସିଟିଭି ଲାଗିବ ଓ ଭୋଟ୍ ଗଣତି, ନିର୍ବାଚନ ଫଳାଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ଷ୍ଟ୍ରଙ୍ଗରୁମ୍ ବାହାରେ ଦ୍ବିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୨୪ଘଣ୍ଟା କାର୍ଯ୍ୟ କରିବ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗରୁମ୍ର ସୁରକ୍ଷା ପର୍ଯ୍ୟବେକ୍ଷଣ ନିମନ୍ତେ ଚିଠି ମାଧ୍ୟମରେ ଜଣାଇ ଦିଆଯିବ। ଏହାବ୍ୟତୀତ ଗଣତିର ୭୨ଘଣ୍ଟା ପୂର୍ବରୁ ମତଗଣନା ସମ୍ପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯିବ। ଗୋଟିଏ ମତଗଣନା ଟେବୁଲ୍ ପାଇଁ ନିର୍ବାଚନ ଅଧିକାରୀ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ଜଣଙ୍କୁ ନିୟୋଜିତ କରିବେ।
କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କେବଳ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ ଏବଂ ଜିଲ୍ଲା ପରିଷଦ ସଭ୍ୟ ପଦବି ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଥିବା ଗ୍ରାମପଞ୍ଚାୟତ ସଂଖ୍ୟା ଅନୁସାରେ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ। ନିର୍ବାଚନ କମିସନଙ୍କ ଦ୍ବାରା ଧାର୍ଯ୍ୟ ତାରିଖ ଓ ସମୟରେ ମତଗଣନା କାର୍ଯ୍ୟ ଆରମ୍ଭ ହେବ। ମତଗଣନାରେ ନିୟୋଜିତ ଥିବା କର୍ମଚାରୀମାନେ ମତଗଣନା ନିମନ୍ତେ ଧାର୍ଯ୍ୟ ସମୟର ୧୫ମିନିଟ ପୂର୍ବରୁ ମତଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ ଓ ମତଗରନା ସମ୍ପର୍କିତ ସମସ୍ତ କାର୍ଯ୍ୟର ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ େଦଇଛନ୍ତି।