କଟକ, (କୃଷ୍ଣପ୍ରସାଦ ଦାସ): କଟକ, କେନ୍ଦ୍ରାପଡା, ଜଗତସିଂହପୁରରେ ବିଜେପିର ବଡ଼ ଧରଣର ବିପର୍ଯ୍ୟୟ ପଛର କାରଣ କଣ? ଦଳ କାହିଁକି ଦୋହରାଇ ପାରିଲାନି ୨୦୧୭ର ସଫଳତା? ଏ ପ୍ରଶ୍ନ ଏବେ ସାଧାରଣ ଭୋଟରଙ୍କ ପାଖରେ ଆଲୋଚନାର ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। ୨୦୧୭ ପଂଚାୟତ ନିର୍ବାଚନରେ କଟକ ଜିଲ୍ଲାର ୪୬ଟି ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ହାତେଇଥିଲା ୩୭ଟି ଆସନ। ବିଜେପି ଖାତାରେ ଥିଲା ୮ ଓ ସ୍ବାଧୀନ ପ୍ରାର୍ଥୀ (ଅସନ୍ତୁଷ୍ଟ ବିଜେଡି) ଗୋଟିଏ ଜୋନ୍ରୁ ଜିତିଥିଲେ। ୨୦୨୨ରେ ବିଜେପି ସଂଖ୍ୟା ୮ରୁ ୧କୁ ଖସି ଥିବାବେଳେ ବିଜେଡି ୩୭ରୁ ୪୫କୁ ବଢିଛି। କେନ୍ଦ୍ରାପଡା ଜିଲ୍ଲାର ୩୨ ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ୨୦୧୭ରେ ୨୨ଟି ଜୋନ୍ ଜିତିଥିବା ବେଳେ ବିଜେପି ଜିତିଥିଲା ୧୦ଟି ଜୋନ୍। ଏଥର ବିଜେପି ୨୨ରୁ ୩୧କୁ ବଢିଥିବା ବେଳେ ବିଜେପି ୧୦ରୁ ୧କୁ ଖସିଛି। ପାଟକୁରା ନିର୍ବାଚନମଣ୍ଡଳୀର ଗରଦପୁର ଜୋନ୍ ବିଜେପି ହାତରେ ରଖି ପାରିଛି। ଅନ୍ୟପଟେ ଜଗତସିଂହପୁର ଜିଲ୍ଲାରେ ୨୦୧୭ରେ ୨୬ଟି ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ହାତରେ ୨୩ଟି ଜୋନ୍ ଥିବା ବେଳେ ବିଜେପି ହାତରେ ୨ଟି ଓ କଂଗ୍ରେସ ହାତରେ ଗୋଟିଏ ଜୋନ୍ ଥିବା ବେଳେ ଏଥର ବିଜେଡି ୨୩ରୁ ୨୫କୁ ବଢିଛି। ବିଜେପି ୨ରୁ ଶୂନ ହୋଇଛି ଏବଂ କଂଗ୍ରେସ ପୂର୍ବ ଭଳି ଗୋଟିଏ ଜୋନ୍କୁ ନେଇ ସନ୍ତୁଷ୍ଟ ରହିଛି। ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଢିଙ୍କିଆ ଅଞ୍ଚଳ ଥିବା ଜୋନ୍ କଂଗ୍ରେସ ଖାତାକୁ ଯାଇଛି। ଜେଏସ୍ଡବ୍ଲକୁ ନେଇ ଢିଙ୍କିଆରେ ଚାଲିଥିବା ଆନ୍ଦୋଳନ କଂଗ୍ରେସକୁ ଶୂନ ହେବାରୁ ବଂଚାଇ ଦେଲା ବୋଲି ଆଲୋଚନା ହେଉଛି।
ମୋଟାମୋଟି ବିଚାର କଲେ ଏହି ୩ଟି ଜିଲ୍ଲାର ୧୦୪ ଜୋନ୍ରୁ ବିଜେଡି ୨୦୧୭ ତୁନଳାରେ ୮୧ରୁ ୧୦୧କୁ ବଢିଥିବା ବେଳେ ବିଜେପି ୨୧ରୁ ୨କୁ ଖସିଛି ଏବଂ କଂଗ୍ରେସ ୧ରେ ସ୍ଥିର ରହିଛି। ତିନିଟି ଜିଲ୍ଲାରେ ବିଜେପିର ଏଭଳି ବିପର୍ଯ୍ୟୟର ପ୍ରାଥମିକ ଭାବେ ୩ଟି କାରଣକୁ ନେଇ ଆଲୋଚନା ହେଉଛି। କଟକରେ ସମୀର ଦେଙ୍କ ଅନୁପସ୍ଥିତି, କେନ୍ଦ୍ରାପଡାରେ ବିଜୟ ମହାପାତ୍ରଙ୍କ ଅନୁପସ୍ଥିତି ଏବଂ ଜଗତସିଂହପୁରରେ ରମାକାନ୍ତ ଭୋଇଙ୍କ ଅନୁପସ୍ଥିତି।
୨୦୧୯ରେ ବଡ଼ମ୍ବା ବିଧାନସଭା ଆସନରୁ ଲଢିବା ଯୋଜନାରେ ବିଜେପିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସମୀର ଦେ ୨୦୧୭ ପଂଚାୟତ ନିର୍ବାଚନରେ ସେଠି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଶକ୍ତି ଖଟାଇ ଥିଲେ। ସରୋଜ ରଣାଙ୍କ ଭଳି ସ୍ଥାନୀୟ ନେତାଙ୍କ ସହଯୋଗରେ ସମୀର ଦେ ୨୦୧୭ରେ ନିଜର ଶକ୍ତିସାମର୍ଥ୍ୟ ଓ କୌଶଳ ଖଟାଇ କେବଳ ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ୬ଟି ଜୋନ୍ ବିଜେପି ଖାତାକୁ ଆଣି ପାରିଥିଲେ। ଶାରୀରିକ ଅସୁସ୍ଥତା ଯୋଗୁଁ ଏବେ ସମୀର ଦେ ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି। ଏଭଳି ସ୍ଥିତିରେ ଏଥର ସେଠି ବିଜେପି ଶୂନ ହେଇଗଲା।
କେନ୍ଦ୍ରାପଡାରେ ବିଜେପିର ନେତୃତ୍ବ ନେଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସେଠି ଦଳର ସମ୍ମାନ ବଜାୟ ରଖିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ୨୦୧୭ରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଶକ୍ତି, ସାମର୍ଥ୍ୟ, କୌଶଳ ଖଟାଇ ଦଳ ପାଇଁ ୧୦ଟି ଜୋନ୍ ହାସଲ କରିଥିଲେ। ଏଥର ବିଜୟ ମହାପାତ୍ର ବିଭିନ୍ନ କାରଣରୁ ନିର୍ବାଚନରୁ ଦୂରେଇ ରହିଲେ। ଅବଶ୍ୟ ଅଞ୍ଚଳକୁ ଯାଇ ନିଜ ଅନୁଗତ ଏବଂ କେତେକ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତି ତାଙ୍କର ଆଶୀର୍ବାଦ ଥିବା କହିଥିଲେ। କିନ୍ତୁ ବିଜୟ ବିଜେପିର ନିର୍ବାଚନ ପ୍ରଚାରରୁ ସଂପୂର୍ଣ୍ଣ ଦୂରେଇ ରହିବା ଦଳକୁ ମହଙ୍ଗା ପଡିଲା ଏବଂ ଦଳ ୧୦ରୁ ୧କୁ ଖସିଗଲା। ସେହିଭଳି ଜଗତସିଂହପୁରରେ ୨୦୧୭ରେ ବିଜେପି ପାରାଦୀପ ଅଞ୍ଚଳରେ ୨ଟି ଜୋନ୍ ଜିତିଥିଲା ଏବଂ ତିର୍ତ୍ତୋଲର ରଘୁନାଥପୁର ଜୋନ ଜିତିଥିଲା। ପୂର୍ବଥର ଭଳି ସଂପଦ ସ୍ବାଇଁ ଯଦିଓ ପାରାଦୀପରେ ନେତୃତ୍ବ ନେଇଥିଲେ କିନ୍ତୁ ତିର୍ତ୍ତୋଲରେ ନେତୃତ୍ବ ନେଉଥିବା ରମାକାନ୍ତ ଭୋଇ ଏବେ ବିଜେପି ଛାଡ଼ି ବିଜେଡିରେ। ଏଭଳି ସ୍ଥିତିରେ ସେଠି ବିଜେପି ୩ରୁ ଶୂନ ହୋଇ ଯାଇଛି। ବିଜେପି ଏଭଳି ବିପର୍ଯ୍ୟୟର ଆଗକୁ କିଭଳି ସମୀକ୍ଷା କରୁଛି ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେତେ ସ୍ଥିତି ସୁଧାରି ପାରୁଛି, ତାହା ସମୟ କହିବ।