ପଞ୍ଚାୟତ ନିର୍ବାଚନ ଚିନ୍ତା ଏବେଠୁ : ବିଜୁ ପକ୍କାଘର ଉପରେ ସରକାରଙ୍କ ନଜର

ମାର୍ଚ୍ଚ ୫ରେ ୨୦ଲକ୍ଷ କାର୍ଯ୍ୟାଦେଶ ବଣ୍ଟାଯିବ, ପ୍ରତି ଜିଲ୍ଲାକୁ ଯିବେ ମନ୍ତ୍ରୀ, ସ୍ବତନ୍ତ୍ର ଉତ୍ସବ ହେବ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୫ ତାରିଖ ଦିନ ବିଜୁବାବୁଙ୍କ ଜନ୍ମତିଥି ଓ ପଞ୍ଚାୟତିରାଜ ଦିବସକୁ ବଡ଼ ଧରଣର ଉତ୍ସବରେ ପରିଣତ କରିବା ଲାଗି ଉଭୟ ବିଜେଡି ଓ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେଡି ନେତାମାନେ ପୂର୍ବରୁ ବୈଠକ କରି ସପ୍ତାହେ ବ୍ୟାପୀ ବିଜୁ ଜୟନ୍ତୀ ପାଳନ ଲାଗି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ପଞ୍ଚାୟତିରାଜ ଦିବସକୁ କିଭଳି ସମଗ୍ର ରାଜ୍ୟରେ ଭିନ୍ନ ଢଙ୍ଗରେ ପାଳନ କରାଯିବ, େସ େନଇ ଆଜି ଖସଡ଼ା ପ୍ରସ୍ତୁତ ହୋଇଛି। ଆଜି ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ପରେ ସମସ୍ତ ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଔପଚାରିକ ବୈଠକ କରିଥିଲେ। ବୈଠକର ନିଷ୍ପତ୍ତିକୁ ଗୋପନ ରଖାଯାଇଛି।

ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ୫ ତାରିଖ ଦିନଠାରୁ ରାଜ୍ୟ ସରକାର ୨୦ଲକ୍ଷ ବିଜୁ ପକ୍କା ଘର ବାଣ୍ଟିବେ। ୩୦ଟି ଜିଲ୍ଲାରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ଉତ୍କଳ ଦିବସ ଭଳି ଭଳି ମନ୍ତ୍ରୀମାନେ ସେଦିନ ବିଭିନ୍ନ ଜିଲ୍ଲାଗସ୍ତ କରି ଏକ ସ୍ବତନ୍ତ୍ର ଉତ୍ସବରେ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବାଣ୍ଟିବେ। ତେବେ ଏହିଦିନ କେତେ କାର୍ଯ୍ୟାଦେଶ ବଣ୍ଟା ହେବ ତାହା ସ୍ପଷ୍ଟ ହୋଇନାହିଁ।

ଆଜି ମୁଖ୍ୟମନ୍ତ୍ରୀ ଏ ନେଇ ସବୁ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ହିତାଧିକାରୀ ଚୟନରେ ଯେଭଳି ଶତ ପ୍ରତିଶତ ସ୍ବଚ୍ଛତା ରହିବ େସ ନେଇ ତାଗିଦ୍ କରିଛନ୍ତି। କୁହାଯାଇଛି, କାର୍ଯ୍ୟାଦେଶ ବଣ୍ଟନକୁ ଆଉ ପାଖାପାଖି ୪ ସପ୍ତାହ ସମୟ ରହିଛି। ମନ୍ତ୍ରୀମାନେ ନିଜ ନିଜ ଅଞ୍ଚଳରେ ନିଶ୍ଚିତ କରିବା ଦରକାର େଯ କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ସରକାରଙ୍କ ଏହି ତାଲିକାରୁ ବାଦ୍ ନ ପଡ଼ନ୍ତି। ସେହିଭଳି ଅଯୋଗ୍ୟ ହିତାଧିକାରୀ ଆଦୌ ତାଲିକାରେ ରହିବା ଉଚିତ ନୁହେଁ। ହିତାଧିକାରୀ ଚୟନ ହେଉ କିମ୍ବା ଆବଣ୍ଟନ ବେଳେ ପିସି କାରବାର ଯେଭଳି ନ ହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି।

ବିଜେଡିର ଏଭଳି କାର୍ଯ୍ୟକ୍ରମ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କଲାଣି। ସଦ୍ୟ ସାଧାରଣ ନିର୍ବାଚନ ଶେଷ ହୋଇଛି। ହଠାତ୍ କାହିଁକି ବିଜେଡି ଗାଁ ମନସ୍କ ହେଲା, ସେ ନେଇ ରାଜନୈତିକ ମହଲ କୌଣସି ଆକଳନ ଲଗାଇ ପାରୁନାହାନ୍ତି।

ତେବେ ବିଜେଡିର ଅତି ଶୀର୍ଷ ମହଲର ଖବର ଅନୁସାରେ, ଆସନ୍ତା ୨୦୨୨ ଏପ୍ରିଲମାସରେ ପଞ୍ଚାୟତ ନିର୍ବାଚନ େହଉଥିବା ପରିପ୍ରେକ୍ଷୀରେ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ଦଳ ଆ‌ଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲା। ଏଥର ବିଜେଡି ମୁଖିଆ ଏହାକୁ ଆଉ କୌଣସି ପରିସ୍ଥିତିରେ ଦୋହରାଇବାକୁ ଚାହୁଁନାହାନ୍ତି। ଏଣୁ ଦୁଇବର୍ଷ ପୂର୍ବରୁ ବିଜେଡି ଏହି ନିର୍ବାଚନ ଲାଗି ଖସଡ଼ା ପ୍ରସ୍ତୁତି ଆରମ୍ଭ କରିଛି। ଏହା ସରକାରଙ୍କର ପ୍ରଥମ କାର୍ଯ୍ୟକ୍ରମ ବୋଲି କୁହାଯାଇପାରେ।

େଗାଟିଏ ପଟେ ଗ୍ରାମାଞ୍ଚଳରେ ପିଇବା ପାଣି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟ କ୍ୟାବିେନଟରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ହାତକୁ ନିଆଯାଉଛି। ଅନ୍ୟପଟେ ଘର ନିର୍ମାଣ ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରିବା ଆରମ୍ଭ କଲେଣି। ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଓ ପିଇବା ପାଣି ଦିଆଯିବ ବୋଲି େଘାଷଣା କରିଥିବା ପରିପ୍ରେକ୍ଷୀରେ ସରକାର ବିଜୁ ଜୟନ୍ତୀକୁ ଏଥିପାଇଁ ବାଛିଛନ୍ତି। କେଉଁ ମନ୍ତ୍ରୀ କେଉଁ ଜିଲ୍ଲାକୁ ଯିବେ, ସେ ନେଇ ଯେ କୌଣସି ମୁହୂର୍ତରେ ସରକାରୀ ନିର୍ଦେଶନାମା ପ୍ରକାଶ ପାଇପାରେ।

ସମ୍ବନ୍ଧିତ ଖବର