ପଞ୍ଚାୟତ ନିର୍ବାଚନ: ନାମାଙ୍କନକୁ ନେଇ ଗୋଷ୍ଠୀ ସଂଘର୍ଷ

୩ ଆହତ, ଜଣେ ଗୁରୁତର: ଦୁଇଟି ମାମଲା ରୁଜୁ

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଛି ହିଂସା। ଧରାକୋଟ ଥାନା ମୁଣ୍ଡମରାଇରେ ନାମାଙ୍କନ ଦାଖଲକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଘମାଘୋଟ ସଂଘର୍ଷ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାନୁସାରେ, ସମିତିସଭ୍ୟ ପଦରେ ନାମାଙ୍କନ ଦାଖଲ ପାଇଁ ଗୋଟିଏ ଗୋଷ୍ଠୀ ବ୍ଲକ୍ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ମୁଣ୍ଡମରାଇ ଗାଁ ବଜାରରେ ଶିବଶଙ୍କର ପାତ୍ର ଓ ତାଙ୍କ ଗୋଷ୍ଠୀର କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ଫଳରେ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ବଚସା ହେବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲେ। ପ୍ରତିପକ୍ଷ ଗୋଷ୍ଠୀର କିଛି ଯୁବକ ଏଥିରେ ଉତ୍‌କ୍ଷିପ୍ତ ହୋଇ ଶିବଶଙ୍କରଙ୍କ ଗୋଷ୍ଠୀର ଯୁବକମାନଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ଆହତ ହୋଇଥିବାବେଳେ ଅନେଶ ନାୟକଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଗାଁରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅନ୍ୟପକ୍ଷରେ ଶିବଶଙ୍କର ପାତ୍ର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ସେ କିଛି ଯୁବକଙ୍କ ସହ ବଜାରରେ ଛିଡ଼ା ହୋଇଥିବା ବେଳେ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ହଠାତ୍ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ସେହିପରି ପ୍ରତିପକ୍ଷ ଗୋଷ୍ଠୀର କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ଏତଲା କ୍ରମେ ତାଙ୍କ ପୁଅ କଲେଜ ଯାଉଥିବା ବେଳେ ବିରୋଧୀ ଗୋଷ୍ଠୀ ତାଙ୍କୁ ମାଡ଼ ମାରିଥିଲେ ବୋଲି ପାଲଟା ଏତଲା ଦେଇଛନ୍ତି। ଉଭୟ ଏତଲା ଆଧାରରେ କେସ୍ ନମ୍ବର ୧୯ ଓ ୨୦ ଅନୁସାରେ ଦୁଇଟି ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ସହ ୯ଜଣଙ୍କୁ ଅଟକ ରଖାଯାଇଥିବା ଥାନାଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଉଭୟ ଗୋଷ୍ଠୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର