ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ୍ ତାଙ୍କ ପ୍ରସ୍ତୁତି ଜୋର୍‌ଦାର କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ଅଢ଼େଇ ଗୁଣା ବଢ଼ାଇବାକୁ କମିସନ୍ ସୋମବାର ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସହ ନିର୍ବାଚନ ପ୍ରଚାର କାର୍ଯ୍ୟରେ ମଧ୍ୟ ଯାନ ବ୍ୟବହାରର ସୀମା ବୃଦ୍ଧି କରାଯାଇଛି। ମତଦାନ ସମୟ ମଧ୍ୟ ପରିବର୍ତନ କରାଯାଇଛି।

Advertisment

publive-image

ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ନିର୍ବାଚନରେ ସର୍ବାଧିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ସେହିପରି ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରହିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ଥିଲା ବେଳେ ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚଙ୍କ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କା ରହିଥିଲା।

publive-image DNA India

ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ସର୍ବାଧିକ ୫ଟି ଜିପ୍ ବା କାର୍‌ ଓ ୧୦ଟି ମୋଟର ସାଇକେଲ୍‌ ବ୍ୟବହାର କରିପାରିବେ। ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଟି ଜିପ୍ ବା କାର୍‌ ଓ ୫ଟି ମୋଟର ସାଇକେଲ୍‌ ବ୍ୟବହାର କରିପାରିବେ। ଗାଡ଼ି ଓ ମୋଟର ସା‌ଇକେଲ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ। ମୋଟର୍‌ ଯାନ ବ୍ୟବହାର ଦିନ ଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଯାନର ପ୍ରକାର, ପଞ୍ଜୀକରଣ ନମ୍ବର ଓ ଗାଡ଼ି ମାଲିକଙ୍କ ନାମ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବେ। ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରାର୍ଥୀ ଗାଡ଼ି ସମ୍ପର୍କିତ ଏହି ତଥ୍ୟ ବିଡିଓଙ୍କୁ ଲିଖିତ ଭାବେ ଦେବେ। ଏହି ତଥ୍ୟର ତିନିଟି ନକଲ ଦାଖଲ କରାଯିବ। ତଥ୍ୟର ଗୋଟିଏ ନକଲ ଉପଜିଲ୍ଲାପାଳ/ବିଡିଓ ନିକଟସ୍ଥ ଆର୍‌ଟିଓଙ୍କୁ ଦେବେ ଓ ଅନ୍ୟଟି ନିଜ ପାଖରେ ରଖିବେ। ତୃତୀୟ ନକଲରେ ଉପଜିଲ୍ଲାପାଳ/ବିଡିଓ କିମ୍ବା ତାଙ୍କ କ୍ଷମତାସମ୍ପନ୍ନ ଅଧିକାରୀ ସ୍ବାକ୍ଷର ଓ ଅଫିସ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇ ଦେବେ। କୌଣସି ସମୟରେ ନିର୍ବାଚନ ଅଧିକାରୀ କିମ୍ବା ତାଙ୍କ ଦ୍ବାରା କ୍ଷମତାସମ୍ପନ୍ନ ଅଧିକାରୀ ଏହି ତଥ୍ୟ ଆବଶ୍ୟକ କଲେ, ପ୍ରାର୍ଥୀ ତଦାରଖ ନିମନ୍ତେ ତାହା ଉପସ୍ଥାପନ କରିବେ। ମୋଟର ଯାନ ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ସୀମିତ ରହିବ। ପ୍ରଚାର କାର୍ଯ୍ୟରେ ବ୍ୟବହୃତ ମୋଟର ଯାନ ଭୋଟ୍‌ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯିବ।
ପଞ୍ଚାୟତ ନିର୍ବାଚନରେ ମତଦାନ ସମୟ ମଧ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ମତଦାନ ଚାଲିବ। ପୂର୍ବରୁ ୧୨ଟା ‌ବେଳେ ମତଦାନ ‌ଶେଷ ହେଉଥିଲା।