ପଞ୍ଚାୟତ ନିର୍ବାଚନ ହେବ ତ? ମୁଖ୍ୟସଚିବ, ଏସ୍‌ଆର୍‌ସି, ସ୍ୱାସ୍ଥ୍ୟ ସଚିବଙ୍କୁ ଡାକିଲେ ନିର୍ବାଚନ କମିସନ

ସରକାର ହଁ ମାରିଲେ ଆଗକୁ ବଢ଼ିବେ କମିସନ, ତାରିଖ ଘୋଷଣା ହେବ

ଚିନ୍ତାରେ ପଡ଼ିଲେଣି ସରକାର, କୋଭିଡ୍ ବଢ଼ିଲେ ବଦନାମ ହୋଇପାରନ୍ତି
ସାମ୍ନାକୁ ଆସିଲା କଂଗ୍ରେସ; ମୁଖ୍ୟମନ୍ତ୍ରୀ ନିଜ ବଚନ ରକ୍ଷା କରିବା ବେଳ ଆସିଛି
ଆଗ ଜୀବନ ପରେ ନିର୍ବାଚନ ହେଉ ବୋଲି କହିଲେ ନରସିଂହ

ଭୁବନେଶ୍ୱର : କୋଭିଡ୍ ସଂକ୍ରମଣରେ ହଠାତ୍ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ କି ନ ହେବ ସେ ନେଇ ବିତର୍କ ବଢ଼ୁଥିବା ବେଳେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ ଆଜି ଗୋଟିଏ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୂ ମିଳୁଥିବା ସୂଚନା ଅନୁସାରେ, ସଂପ୍ରତି ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ରାଜ୍ୟ ନିର୍ବାଚନ କମିସନ ଶ୍ରୀ ପାଢୀ ଏହି ବୈଠକ ପୂର୍ବାହ୍ନ ୧୧ଟା ବେଳେ ଡାକିଥିବା ସୂଚନା ମିଳିଛି। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏବଂ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ଯୋଗଦେବେ।

କମିସନଙ୍କ ଏଭଳି ଆଭିମୁଖ୍ୟ ପରେ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି। ସରକାର କେଉଁ ଆଭିମୁଖ୍ୟ ନେବେ, ସେ ସଂକ୍ରାନ୍ତରେ ଆଜି ଉଚ୍ଚସ୍ତରରେ ଘନ ଘନ ବୈଠକ ହୋଇଛି। କାରଣ ଆଜି ‘ହୁ’ ସତର୍କ କରାଇ ଦେଇଛି ଯେ ଓମିକ୍ରନକୁ ହାଲକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ। ଆହୁରି ବଡ଼ କଥା ହେଲା, ସରକାର ଲକ୍ଷ୍ୟ ରଖୁଛନ୍ତି ଯେ ରାଜ୍ୟରେ କୋଭିଡ୍ ସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ଛୋଟ ପିଲା ସଂକ୍ରମିତ ହେଉଛନ୍ତି। ଯଦି ଆଗକୁ ଏହା ଅଧିକ ଭୀଷଣ ରୂପ ନେବ, ତେବେ ଜନମତ ସରକାରଙ୍କ ବିରୋଧରେ ଯିବା ଲାଗି ବେଶୀ ସମୟ ଲାଗିବ ନାହିଁ। କେବଳ ସେତିକି ନୁହେଁ, କରୋନା ସଂକ୍ରମଣ ବଢ଼ିଲେ ଏ ବାର୍ତ୍ତା ବି ଯାଇପାରେ ଯେ ନିର୍ବାଚନ ମନସ୍କ ହୋଇ ସରକାର ରାଜ୍ୟକୁ ବିପଦକୁ ଠେଲିଦେଲେ। ଏଣୁ ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରାଯିବ, ସେ ସଂକ୍ରାନ୍ତରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆଲୋଚନା ଜାରି ରହିଥିବା ଜଣାପଡିଛି। ପ୍ରଚାର ବିନା ନିର୍ବାଚନ କରିବା ଲାଗି ପ୍ରସ୍ତାବ ଦେଇପାରନ୍ତି କିମ୍ବା ଆଉ କିଛି ସମୟ ଅପେକ୍ଷା କରିବା ଲାଗି କମିସନଙ୍କୁ ଜଣାଇପାରନ୍ତି। ତେବେ ଆସନ୍ତାକାଲିର ବୈଠକକୁ ଗୁରୁତ୍ବ ଦିଆଯାଉଛି।

Times of India

ଜଣେ ଅଧିକାରୀ କହିଛନ୍ତି, ସଂପ୍ରତି କୋଭିଡ୍ ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିର୍ବାଚନ କରିପାରିବେ କି ନାହିଁ, ସେ ସଂକ୍ରାନ୍ତରେ ଆସନ୍ତାକାଲି କମିସନ ବୈଠକ ଡାକିଛନ୍ତି। କାରଣ କୋଭିଡ୍ ସଂକ୍ରମଣ ରୋକିବା ରାଜ୍ୟ ସରକାରଙ୍କର ଯେଭଳି ଦାୟିତ୍ବ; ନିର୍ବାଚନ କିଭଳି ସୁରୁଖୁରୁରେ ହେବ, ସେ କଥା ବି ପ୍ରଶାସନ ନିଶ୍ଚିତ କରିବାକୁ ହେବ। ଏଣୁ ରାଜ୍ୟ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ଦିଗକୁ ତର୍ଜମା କରୁଛନ୍ତି। କାଳେ ନିର୍ବାଚନ କାରଣରୁ ରାଜ୍ୟରେ କୋଭିଡ୍ ବଢିବ ଓ ଅଣାୟତ ଆଡକୁ ଯିବ, ସେ ସଂପର୍କରେ ନିର୍ବାଚନ କମିସନ ନିଜ ଆଡୁ ସରକାରଙ୍କୁ ସତର୍କ କରିପାରନ୍ତି।

ତେବେ ଆଜି ମୁଖ୍ୟଶାସନ ସଚିବ, ଏସଆରସି ଏବଂ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯଦି ଆଶ୍ବସ୍ତ କରିବେ ଓ ଦାୟିତ୍ବ ନେବେ ଯେ କୋଭିଡ୍ ବୃଦ୍ଧି ସମୟରେ ନିର୍ବାଚନ ହେଲେ, କୌଣସି ସମସ୍ୟା ହେବ ନାହିଁ, ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ିବ ନାହିଁ, ତେବେ କମିସନ ଆଗକୁ ଯାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ। କାରଣ ଆଜି ସଂରକ୍ଷଣ ଚାଲିକା ଚୂଡାନ୍ତ ହୋଇଯାଇଥିବାରୁ ଆସନ୍ତାକାଲିଠାରୁ ସପ୍ତାହେ ଭିତରେ କମିସନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ। ଆସନ୍ତା ୧୦ ତାରିଖରେ ବିରୋଧୀ ଦଳ ସହିତ ଆଲୋଚନା ହୋଇପାରେ ଏବଂ ୧୨ ତାରିଖରେ ଜିଲ୍ଲାପାଳ ଏବଂ ଏସପିଙ୍କ ସହିତ ଆଲୋଚନା ପରେ କମିସନ ୧୩ ତାରିଖ ବେଳକୁ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।

ଏପଟେ କୋଭିଡ୍ ବୃଦ୍ଧି ପାଉଥିବା ବେଳେ ନିର୍ବାଚନ ହେବ କି ନାହିଁ, ସେ ନେଇ ବିଜେଡି ଏବଂ ବିଜେପିର ମତ ଅସ୍ପଷ୍ଟ ଥିବା ବେଳେ କଂଗ୍ରେସ କିନ୍ତୁ ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯେଉଁ ଆଡକୁ ଯାଉଛି, ସେଥିରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସରକାର ସ୍ଥଗିତ ରଖିବା ଦରକାର। ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ କହି ଆସିଛନ୍ତି ଯେ ପ୍ରତି ଜୀବନ ତାଙ୍କ ପାଇଁ ମୂଲ୍ୟବାନ। କିନ୍ତୁ ଏବେ କୋଭିଡ୍ ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ଏବଂ ଆମେ ତଳସ୍ତରରେ ଯେଭଳି ନିର୍ବାଚନୀ ଉଷ୍ଣତା ଓ ଭିଡ ପରିଲକ୍ଷିତ କରୁଛୁ, ସେଥିରେ କରୋନା ବହୁଗୁଣିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଯିଏ ଯେତେ ଆଶ୍ବାସନା ବା କଟକଣା ଜାରି କଲେ ବି ତୃଣମୂଳସ୍ତରରେ ଭିଡ଼ ବା ଗହଳି ରୋକିବା ସମ୍ପୂର୍ଣ୍ଣ କାଠିକର ପାଠ। ଏଣୁ ସଂକ୍ରମଣ କମିବା ପରେ ନିର୍ବାଚନ କଲେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଯଦି ନିର୍ବାଚନ କାରଣରୁ ଜଣେ ବି ସଂକ୍ରମିତ ହେଲେ ଏବଂ ମୃତ୍ୟୁ ମୁଖକୁ କେହି ଜଣେ ବି ଟାଣି ହୋଇଗଲେ, ସେଥିପାଇଁ କିଏ ଉତ୍ତରଦାୟୀ ରହିବ, ଏକଥା ସ୍ପଷ୍ଟ କରି ସମସ୍ତେ ନିର୍ବାଚନକୁ ଯିବା ଉଚିତ୍।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞମାନେ କହିସାରିଲେଣି, ରାଜ୍ୟ ସରକାର ନିର୍ବାଚନକୁ କ୍ଷାନ୍ତ ରହନ୍ତୁ। ତେବେ ଏ ସଂକ୍ରାନ୍ତରେ ଅଧିକ ବିତର୍କକୁ ନ ଯାଇ ସରକାର ଗୋଟିଏ ସୂତ୍ର ଆପଣାଇବା ଦରକାର ଯେ ପ୍ରଥମେ ଜୀବନ, ତା ପରେ ନିର୍ବାଚନ। ଆହୁରି ସରଳ ଭାବେ କହିଲେ, ମୁଖ୍ୟମନ୍ତ୍ରୀ ଏବେ ତାଙ୍କ ନିଜ କଥା ନିଜେ ରକ୍ଷା କରିବାର ବେଳ ଆସିଛି। ସେ ବ୍ୟକ୍ତିଗତ ଭାବେ ଏ ସଂକ୍ରାନ୍ତରେ ପିସିସି ସଭାପତିଙ୍କୁ ଜଣାଇଛନ୍ତି ଓ କଂଗ୍ରେସ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ଲାଗି କହିଛନ୍ତି। ଏଥିସହିତ ଶ୍ରୀ ମିଶ୍ର ନିର୍ବାଚନ କମିସନଙ୍କୁ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଲାଗି ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି।

vallartadaily.com

 

ସୂଚନାଯୋଗ୍ୟ, ନୂଆବର୍ଷ ଆରମ୍ଭ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ଦିନ ରାଜ୍ୟରେ ୬୧ହଜାର ୨୭୭ ନମୁନା ପରୀକ୍ଷା ହୋଇଥିଲା। ସେବେ ସରକାର ଜଣାଇଥିଲେ ଯେ ୨୨୮ଜଣ ଏମାନଙ୍କ ମଧ୍ୟରୁ କରୋନା ସଂକ୍ରମିତ ଅଛନ୍ତି।

ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି ଯେ ଗୁରୁବାର ଅପେକ୍ଷା ସଂକ୍ରମଣରେ ୪୨ ପ୍ରତିଶତ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ଯେଉଁ ୬୮ ହଜାର ୯୭୦ ନମୁନା ପରୀକ୍ଷା ହୋଇଛି, ସେ ମଧ୍ୟରୁ ୨୭୦୩ ଜଣ କରୋନା ସଂକ୍ରମିତ ଅଛନ୍ତି। କରୋନା ସଂକ୍ରମଣର ଏଭଳି ଲମ୍ବା ଡିଆଁ କାରଣରୁ ଗୋଟିଏ ପଟେ ସରକାର କଟକଣା ବଢ଼ାଇ ଚାଲିଥିବା ବେଳେ ଅନ୍ୟପଟରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ କି ନାହିଁ; ତାହା ଉପରେ ଆସନ୍ତାକାଲିର ବୈଠକ ଅନେକ ସଙ୍କେତ ଦେବ।

ସମ୍ବନ୍ଧିତ ଖବର