ପଞ୍ଚାୟତ ନିର୍ବାଚନ: ବିଜେଡି ଆଗୁଆ, ହେଲେ ଅନ୍ତଃକନ୍ଦଳ ଅଡୁଆ

ସରକାର ବିରୋଧରେ ପୁଳା ପୁଳା ପ୍ରସଙ୍ଗ, ବିରୋଧୀଙ୍କ ପ୍ରସ୍ତୁତି ନାହିଁ
ଓଡ଼ିଶାରେ ବିଜେପି ବଢୁଛି କି ଛିଡୁଛି ଫଳାଫଳ ବୟାନ କରିବ
କଂଗ୍ରେସର ପ୍ରଦର୍ଶନ କହିବ, ତୃଣମୂଳସ୍ତରରେ ହାତର ସ୍ଥିତି କେମିତି?

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ରାଜ‌ନୈତିକ ପରିବେଶ ସରଗରମ ହୋଇଉଠିଛି। ଏହି ନିର୍ବାଚନ ଜରିଆରେ ଦୁଇ କୋଟି ୭୯ଲକ୍ଷ ଭୋଟର ତୃଣମୂଳସ୍ତରରେ ସେମାନଙ୍କର ନେତା ବାଛିବେ। ଅନେକ ବିବାଦୀୟ ପ୍ରସଙ୍ଗକୁ ନେଇ ଚାପରେ ଥିବା ରାଜ୍ୟ ସରକାରଙ୍କ ପାଇଁ ଏହା ଏବେ ଅଗ୍ନି ପରୀକ୍ଷା ସଦୃଶ। ତେବେ ଏହାକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଇପାରିବ ନାହିଁ। ୨୦୧୭ ପଞ୍ଚାୟତ ନିର୍ବାଚନ ବନାମ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ନିରେଖି ଦେଖିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ଏଭଳି ମତ ରଖିଛନ୍ତି। ବରଂ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସବୁଠାରୁ ବଡ ନିର୍ବାଚନ ବୋଲି କୁହାଯାଇପାରିବ। କାହା ସପକ୍ଷରେ କେତେ ଭୋଟର ଅଛନ୍ତି, ତାହା ଜାଣିବା ପାଇଁ ମଧ୍ୟ ଏହି ନିର୍ବାଚନ ସହାୟକ ହେବ।

ତେବେ ପ୍ରଶ୍ନ ଉଠୁଛି, ୨୦୧୭ ନିର୍ବାଚନ ତୁଳନାରେ ଶାସକ ବିଜେଡିର ପ୍ରଦର୍ଶନ କିଭଳି ରହିବ? ବିଜେଡି ଅଧିକ ଜିଲ୍ଲା ପରିଷଦ ଆସନ ହାସଲ କରିବ ନା ନାହିଁ? ଦଳର ଭୋଟ ପ୍ରତିଶତ ବଢ଼ିବ କି? ବିଜେଡିକୁ ଟକ୍କର ଦେବା ସ୍ଥିତିରେ ବିଜେପି ରହିବ ତ? ୨୦୧୯ ନିର୍ବାଚନ ତୁଳନାରେ ରାଜ୍ୟ ବିଜେପିର ଭୋଟ ପ୍ରତିଶତ ବଢ଼ିବ ନା ଦଳ ପୁଣି ପୁରୁଣା ଟ୍ରାକ୍‌କୁ ଫେରିଯିବ? ସର୍ବୋପରି ପୂର୍ବ ପଞ୍ଚାୟତ ବା ସାଧାରଣ ନିର୍ବାଚନ ତୁଳନାରେ କଂଗ୍ରେସର ପ୍ରଦର୍ଶନ କିଭଳି ରହିବ? ଏସବୁକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି।

ବର୍ତମାନ ଏତିକି କୁହାଯାଇପାରେ ଯେ ବିଜେଡି ନିର୍ବାଚନ ପ୍ରସ୍ତୁତିରେ ଢେର ଆଗରେ ରହିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବର୍ଗକୁ ସନ୍ତୁଷ୍ଟ କରିବା ଲାଗି କୌଣସି ଗୋଟିଏ ବି ସୁଯୋଗ ହାତଛଡ଼ା କରିନାହାନ୍ତି। ରାଜ୍ୟ ବଜେଟ୍ ଓ ପରବର୍ତ୍ତୀ ସମୟରେ ପ୍ରାୟ ୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ରାସ୍ତା ଖୋଲିଛନ୍ତି। ଏମିତି କ୍ବଚିତ୍ କ୍ଷେତ୍ର ରହିଯାଇଥିବ, ଯେଉଁମାନଙ୍କ ସଂପର୍କରେ ସରକାର ଆଖି ବୁଜିଦେଇଥଇବେ। ଶେଷରେ ନିର୍ବାଚନ ଘୋଷଣାର ଅବ୍ୟବହିତ ପୂର୍ବରୁ ଯୁବ ଭୋଟରକୁ ନିଜ ଆଡକୁ ଟାଣିବା ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ନିଯୁକ୍ତି କ୍ଷେତ୍ରରେ ବୟସସୀମା ବୃଦ୍ଧି କରିବାକୁ ବି ପଛାଇନାହାନ୍ତି। ପଞ୍ଚାୟତ ନିର୍ବାଚନ ଟ୍ରମ୍ପ କାର୍ଡ ଖେଳିବାକୁ ଯାଇ ନବୀନ ସ୍ବାସ୍ଥ୍ୟ ଓ ଶିକ୍ଷା (ସ୍ମାର୍ଟ ହେଲଥ କାର୍ଡ ବଣ୍ଟାଯାଇଛି ଓ ସ୍ମାର୍ଟ କ୍ଲାସରୁମ୍ ଆରମ୍ଭ ହୋଇଛି)କୁ ବ୍ୟବହାର କରିଛନ୍ତି ଓ ଅଧା ଓଡ଼ିଶା ନିଜେ ବୁଲିଛନ୍ତି।

 

ଏପଟେ ସରକାରଙ୍କ କାର୍ଯ୍ୟକ୍ରମକୁ ଆୟୁଧ କରି ଶାସକ ଦଳ ପଞ୍ଚାୟତ ନିର୍ବାଚନକୁ ଏକତରଫା ହାତେଇ ନେବା ଲକ୍ଷ୍ୟରେ ରହିଛି। ଯେଉଁ ନିର୍ବାଚନମଣ୍ଡଳୀରେ ପ୍ରତିପକ୍ଷ ଦଳର ଟାଣୁଆ ନେତା ଥିଲେ, ସେମାନଙ୍କ ଭିତରୁ ବେଶ୍ କିଛି ନେତାଙ୍କୁ ଇତିମଧ୍ୟରେ କାର୍ପଟଦାର ଗୋଷ୍ଠୀ ନିଜ ପକ୍ଷକୁ ଟାଣିଆଣିଛନ୍ତି। ତେବେ ଏସବୁ ଆମଦାନୀ ନେତାଙ୍କୁ ପଞ୍ଚାୟତରେ ଗୁରୁତ୍ବ ମିଳିବ ନା ମିଳିବନି ତାହା ଏବେଠାରୁ କହିବା ମୁସ୍କିଲ୍।

ଶାସକ ଦଳର ଏଭଳି ପ୍ରସ୍ତୁତି ସତ୍ତ୍ବେ ବିରୋଧୀଙ୍କ ପାଖରେ ଅନେକ ଅସ୍ତ୍ର ରହିଛି, ଯାହାକୁ ପ୍ରୟୋଗ କରି ସେମାନେ ସରକାରୀ ଦଳକୁ ଧରାଶାୟୀ କରିପାରିବେ। ଧାନ କିଣା ଅବ୍ୟବସ୍ଥା କଥା କୁହାଯାଉ କି ମମତା ମେହେର ଏବଂ ମାହାଙ୍ଗା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀମାନଙ୍କ ସଂପୃକ୍ତି ଅଭିଯୋଗ। ଘର ନିର୍ମାଣ କେଳେଙ୍କାରୀ ଠାରୁ ଆଇନଶୃଙ୍ଖଳା, ସରକାରୀ ଯୋଜନାରେ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ରହିଛି। ହେଲେ ଏସବୁକୁ ଧରି ସରକାର ବିରୋଧରେ ଭୋଟ ବ୍ୟାଙ୍କ କରିବା ସ୍ଥିତିରେ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଥିବା ଭଳି ମନେହେଉ ନାହିଁ। କାରଣ କିଛିଦିନ ପୂର୍ବରୁ ଏ ସଂକ୍ରାନ୍ତରେ ସେମାନେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ତାହାକୁ ଇତିମଧ୍ୟରେ ଭୁଲି ଯାଇଥିବା ଭଳି ଲାଗୁଛି।

ରାଜନୈତିକ ପର୍ଯ୍ୟବେକ୍ଷକ ଯେଉଁ ଦିଗ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ତାହା ହେଲା ବିଜେଡି ଭିତ‌ରେ ଅନ୍ତଃକନ୍ଦଳ। ଏହା ଦଳ ପାଇଁ ବଡ଼ ଧରଣର ଚାଲେଞ୍ଜ ହୋଇଛି। କେବଳ ସେତିକି ନୁହେଁ, ଏହି ନିର୍ବାଚନର ସଫଳତା ଓ ବିଫଳତା ଉପରେ ବିଜେଡିର କ୍ଷମତାଶାଳୀ ଗୋଷ୍ଠୀର ଆଗାମୀ ଦିନରେ ପ୍ରଭାବ ଓ ପତିଆରା ନିର୍ଭର କରୁଛି। ତେଣୁ ସେମାନେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ସ୍ବାଭାବିକ। ବିଜେଡି ୨୦୧୭ରେ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪୭୬ଟିରେ ବିଜୟ ଲାଭ କରିଥିଲା।
ସେହିଭଳି ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ତିନି ନମ୍ବରକୁ ଠେଲି ଦୁଇନମ୍ବରକୁ ଆସିଥିଲା ବିଜେପି। ଦଳ ୨୯୭ ଜିଲ୍ଲା ପରିଷଦ ଆସନ ପାଇଥିଲା। ଏଥର ଏହି ସଂଖ୍ୟା ବିଜେପି ପାଇବ କି ନାହିଁ, ସେ ନେଇ ଦଳର ଅନେକ ବରିଷ୍ଠ ନେତା ସନ୍ଦେହରେ ଅଛନ୍ତି। କାରଣ ଇତିମଧ୍ୟରେ ରାଜ୍ୟ ବିଜେପିରେ ଅନେକ ନେତା ମୁଣ୍ଡ ଟେକିଛନ୍ତି ଓ ନିଜ ଶୈଳୀରେ ପ୍ରସଙ୍ଗ ଠିଆ କରିଛନ୍ତି। ବିଜେପିର ଆଭ୍ୟନ୍ତରୀଣ ସ୍ଥିତି ସଙ୍କେତ ଦେଉଛି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବାଧୀନ ପ୍ରଭାବଶାଳୀ ଗୋଷ୍ଠୀ ଆଗଭଳି ଆଉ ସରକାର ବିରୋଧରେ ବା ଦଳ ଭିତରେ ସେମାନଙ୍କ ଆକ୍ରମଣାତ୍ମକ ଅଭିଯାନ ଜାରି ରଖିନାହାନ୍ତି। ଯଦି ନିର୍ବାଚନ ଫଳାଫଳ ପ୍ରଭାବିତ ହୁଏ, ସ୍ବାଭାବିକ ଭାବେ ଏହି ଗୋଷ୍ଠୀ କେନ୍ଦ୍ରୀୟ ନେତୃତ୍ବ ପାଖେ ସେମାନଙ୍କ ଉପସ୍ଥିତି ଓ ଅବର୍ତ୍ତମାନରେ ଦଳର ସ୍ଥିତି ସଂପର୍କରେ ଗୋଟିଏ ତୁଳନାତ୍ମକ ଚିତ୍ର ଅବଶ୍ୟ ରଖିପାରିବେ।

ସେହିଭଳି ରାଜ୍ୟ କଂଗ୍ରେସ ସ୍ଥିତି ଶୋଚନୀୟ। ଗତ ପଞ୍ଚାୟତ ନିର୍ବାଚନରେ ୬୦ଟି ଆସନ ହାତେଇଥିବା କଂଗ୍ରେସ ବିଧାନସଭା ନିର୍ବାଚନରେ ଏକ ଅଙ୍କ (୯)ରେ ଅଟକିଯାଇଛି। ଅଢେଇ ବର୍ଷ ଭିତରେ ସବୁ ଉପନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଛି। ଦଳ ଏଭଳି କୌଣସି ଗୋଟିଏ ବି ରଣନୀତି ଗ୍ରହଣ କରିନାହିଁ, ଯାହାଫଳରେ ଗତଥର ଅପେକ୍ଷା ପ୍ରଦର୍ଶନ ଆଖିଦୃଶିଆ ହେବ। ବରଂ ଜାତୀୟ ଓ ରାଜ୍ୟ ରାଜନୀତିରେ କଂଗ୍ରେସର ସ୍ଥିତି ଦେଖି ବହୁ ନେତା ଓ କର୍ମୀ ପ୍ରତିପକ୍ଷ ଦଳରେ। ପଞ୍ଚାୟତ ନିର୍ବାଚନ ଚିତ୍ର ସ୍ପଷ୍ଟ କରିବ ଯେ ଓଡ଼ିଶାର କେଉଁ ଅଞ୍ଚଳରେ ଦଳ ତୃଣମୂଳସ୍ତରରେ ଦୃଢ ରହିଛି ଓ କେଉଁଠାରେ କଂଗ୍ରେସ ସତ୍ତା ହରାଇଲା। ରାଜ୍ୟ କଂଗ୍ରେସର ବହୁ ନେତାଙ୍କ ଭବିଷ୍ୟତ ନିର୍ଧାରଣରେ ମଧ୍ୟ ପଞ୍ଚାୟତ ନିର୍ବାଚନ ମାପକାଠି ହୋଇପାରେ।

ଏଠାରେ ଉଲ୍ଲେଖଥାଉକି, ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ପ୍ରଭାବିତ ହୋଇଥିଲେ ବି ସାଧାରଣ ନିର୍ବାଚନରେ ଦଳ ନିଜକୁ ସଜାଡିନେଇଥିଲା। ହେଲେ ୨୦୧୭ ପଞ୍ଚାୟତ ଭୋଟରେ ବିଜେପିର ଉଲ୍ଲେଖନୀୟ ପ୍ରଦର୍ଶନ ୨୦୧୯ ବିଧାନସଭାରେ ପରିଦୃଷ୍ଟ ହେଲା ନାହିଁ। ଦଳର ଭୋଟ ପ୍ରତିଶତ ବଢ଼ିଲା ସତ, କିନ୍ତୁ ବିଧାନସଭାରେ ମାତ୍ର ୧୫% ଆସନ ପ୍ରାର୍ଥୀ କରାୟତ କରିପାରିଲେ, ସେଥିରେ ପୁଣି ଉପନିର୍ବାଚନରେ ଗୋଟିଏ ଆସନ ଦଳ ହରାଇ ବସିଛି।

ସମ୍ବନ୍ଧିତ ଖବର