ପଞ୍ଚାୟତ ନିର୍ବାଚନ: ରକ୍ତଚାପ ବଢ଼ାଉଛନ୍ତି ସରପଞ୍ଚ ଆଶାୟୀ

ବୁଝାସୁଝା, ତାଳିପକାରେ ବିଧାୟକଙ୍କ ସମୟ ଯାଉଛି

ଅଧିକାଂଶ ସ୍ଥାନରେ ପୁରୁଣା ସରପଞ୍ଚଙ୍କ ପ୍ରାର୍ଥିତ୍ୱକୁ ନା
ଅମାନିଆ ସରପଞ୍ଚଙ୍କୁ ଭିଜିଲାନ୍ସ ଧମକ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ସେଥିପାଇଁ ସରଗରମ ହୋଇ ଉଠିଛି ଗାଁ ରାଜନୀତି। ଉପଯୁକ୍ତ ପ୍ରାର୍ଥୀ ଚୟନ ହିଁ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଏଥିପାଇଁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦିନରାତି କସ୍‌ରତ କରୁଛନ୍ତି ବିଧାୟକମାନେ। ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଅପେକ୍ଷା ସରପଞ୍ଚ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯାଇଛି। ଏହି ଆଶାୟୀମାନେ ଏବେ ବିଧାୟକଙ୍କ ରକ୍ତଚାପ ବଢ଼ାଇଦେଲେଣି। ସେମାନଙ୍କ ମଧ୍ୟରେ ବୁଝାମଣା କରି କିପରି ଜଣଙ୍କୁ ପ୍ରାର୍ଥୀ କରିବେ, ତାହା ଏବେ ବିଧାୟକଙ୍କ ପାଇଁ ଅତ୍ୟନ୍ତ କାଠିକର ପାଠ ହୋଇପଡ଼ିଛି।

ଗତ କିଛି ବର୍ଷ ହେଲା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କ ଗୁରୁତ୍ବ ସର୍ବାଗ୍ରେ ରହୁଛି। ଗ୍ରାମୀଣ ଓଡ଼ିଶା ପାଇଁ କରାଯାଉଥିବା ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟର ମାର୍ଫତ୍‌ଦାର ହୋଇଛନ୍ତି ସରପଞ୍ଚମାନେ। ଗାଁ ଗାଁରେ ବିକାଶର ଚାବିକାଠି ଏବେ ସେମାନଙ୍କ ହାତରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ବହୁ ଯୋଜନାର ଅର୍ଥ ସିଧାସଳଖ ପଞ୍ଚାୟତକୁ ଦେଉଛନ୍ତି। ଗାଁର ବିକାଶର ନକ୍ସା ପଞ୍ଚାୟତରେ ହିଁ ଅଙ୍କାଯାଉଛି। ଫଳରେ ସରପଞ୍ଚମାନଙ୍କ ଅର୍ଥନୈତିକ ଓ ରାଜନୈତିକ କ୍ଷମତା ବହୁମାତ୍ରାରେ ବଢ଼ିଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସରପଞ୍ଚ ପଦବି ଏବେ ମୁଖ୍ୟ ଆକର୍ଷଣ ସାଜିଛି। ଏହି ପଦବିର କାଟ୍‌ତି ଏତେ ଯେ ଆଶାୟୀଙ୍କ ସଂଖ୍ୟା ବହୁ ଗୁଣିତ ହୋଇଯାଇଛି। ସବୁଠି ସ୍ଥାନୀୟ ବିଧାୟକଙ୍କ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। କାହାକୁ ଛାଡ଼ିବେ, କାହାକୁ ବସାଇବେ ଓ କାହାକୁ ଆଗକୁ ଆଣି ପଞ୍ଚାୟତରେ ନିଜର ପ୍ରଭାବ ବଢ଼ାଇବେ, ସେହି ଅଙ୍କ ଏବେ ବିଧାୟକଙ୍କ ମୁଣ୍ଡ ଗୋଳମାଳ କରିଦେଲାଣି। ରାତି ପାହିଲେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେଉଥିଲେ ବି ପ୍ରାର୍ଥୀ ଚୟନର ଅଙ୍କ ଛିଡ଼ୁନି।

ବର୍ତ୍ତମାନ ସ୍ଥିତି ଏପରି ଯେ ଅଧିକାଂଶ ପଞ୍ଚାୟତ ଅଧୀନରେ ଥିବା ସବୁ ଗାଁରେ ସରପଞ୍ଚ ଆଶାୟୀ ବାହାରିଛନ୍ତି। ଗୋଟିଏ ଗୋଟିଏ ରେ ମଧ୍ୟ ଏକାଧିକ ଆଶାୟୀ। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ହୋଇଥିଲେ ବି ସରପଞ୍ଚ ପଦବି ପାଇଁ ଏବେ ଏକାଧିକ ଗୋଷ୍ଠୀ‌ରେ ସେମାନେ ଭାଗ ହୋଇଛନ୍ତି। ଆଉ ପ୍ରାର୍ଥୀ ହେବାକୁ ବିଧାୟକଙ୍କ ପାଖରେ ଡେରା ପକାଉଛନ୍ତି। ଯଦିଓ ସରପଞ୍ଚ ପଦବି ପାଇଁ ଆଶାୟୀମାନେ ସିଧାସଳଖ ରାଜନୈତିକ ଦଳର ପ୍ରାର୍ଥୀ ହେବେନି, କିନ୍ତୁ ବିଭିନ୍ନ ଦୃଷ୍ଟିକୋଣରୁ ସ୍ଥାନୀୟ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ପୁଣି ଗୋଟିଏ ଦଳର ସମର୍ଥକଙ୍କ ମଧ୍ୟରୁ ଏକାଧିକ ପ୍ରାର୍ଥୀ ହେଲେ ହାରିଯିବାର ଆଶଙ୍କା ରହିଛି। ତେଣୁ ସବୁ ଗୋଷ୍ଠୀ ବିଧାୟକଙ୍କ ପାଖରେ ଲବି କରୁଛନ୍ତି।

ପଞ୍ଚାୟତରେ ଭଲ ଭାବମୂର୍ତ୍ତି ଓ ପ୍ରଭାବ ଥିବା ଠିକ୍ ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଧାୟକମାନେ ଚାହୁଁଛନ୍ତି। କାରଣ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସେହି ଲୋକଙ୍କୁ ହିଁ ମାଧ୍ୟମ କରି ତୃଣମୂଳ ସ୍ତରରେ ସଂଗଠନ ଦୃଢ଼ କରିବାକୁ ପଡ଼ିବ। ବିଭିନ୍ନ ଗୋଷ୍ଠୀକୁ ବୁଝାଇ ଜଣଙ୍କ ନାମରେ ସହମତି ଆଣିବାକୁ ବିଧାୟକମାନେ ଉଦ୍ୟମ କରୁଛନ୍ତି। କିଛି ସ୍ଥାନରେ ଉଦ୍ୟମ ସଫଳ ହେଉଥିଲା ବେଳେ ଅଧିକାଂଶ ସ୍ଥାନରେ ସହମତି ଆସିପାରୁ ନାହିଁ। ଯଦିଓ ସମିତି ସଭ୍ୟ ପଦବି ପାଇଁ ଆଶାୟୀଙ୍କ ସଂଖ୍ୟା କମ୍, ତେବେ ସରପଞ୍ଚ ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରୁ ନ ଥିବାରୁ ଅନ୍ୟ ପଦବି ପାଇଁ ପ୍ରାର୍ଥୀ ଚୟନ ଝୁଲି ରହିଛି।

ବର୍ତ୍ତମାନର ସରପଞ୍ଚମାନେ ହିଁ ବିଧାୟକମାନଙ୍କ ଚିନ୍ତାର ସବୁଠାରୁ ବଡ଼ କାରଣ ପାଲଟିଛନ୍ତି। ୨୦୧୭ରେ ଜିତିଥିବା ପ୍ରାୟ ୯୦% ସରପଞ୍ଚ ପୁନର୍ବାର ଲଢ଼ିବାକୁ ଚାହୁଛନ୍ତି। ଯଦି ନିଜ ପଞ୍ଚାୟତରେ ସଂରକ୍ଷଣ ବ୍ୟବସ୍ଥା ନିଜ ପାଇଁ କିମ୍ବା ପରିବାର ସଦସ୍ୟଙ୍କ ପାଇଁ ଅନୁକୂଳ ରହିଛି, ତେବେ ସେମାନେ ଛାଡ଼ିବାକୁ ନାରାଜ। ବିଧାୟକଙ୍କ ଉପରେ ସେମାନଙ୍କ ଚାପ ସର୍ବାଧିକ ରହୁଛି। କିନ୍ତୁ ବର୍ତ୍ତମାନର ସରପଞ୍ଚଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ଅଞ୍ଚଳରେ ଦୁର୍ନାମ ମୁଣ୍ଡାଇଛନ୍ତି। କାହା ନାମରେ ଆର୍ଥିକ ହେର୍‌ଫେର୍ ଅଭିଯୋଗ ରହିଛି ତ କାହା ନାମରେ ପ୍ରିୟାପ୍ରୀତିତୋଷଣର ଅଭିଯୋଗ। ତେଣୁ ସେମାନଙ୍କୁ ପ୍ରାର୍ଥୀ କଲେ ଆଗାମୀ ଦିନରେ ବିଧାୟକଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ଆହୁରି ମଧ୍ୟ ବର୍ତ୍ତମାନର ସରପଞ୍ଚମାନଙ୍କୁ ପୁନର୍ବାର ପ୍ରାର୍ଥୀ ନ କରାଇବାକୁ ଯଥାସାଧ୍ୟ ଉଦ୍ୟମ କରିବାକୁ ଶାସକ ଦଳ ବିଧାୟକମାନଙ୍କୁ ମୌଖିକ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ସେହି ଅନୁଯାୟୀ ପଞ୍ଚାୟତରେ ଗୋଟି ଚାଳନା କରୁଛନ୍ତି।

Bhatkallys.com

ପ୍ରତି ନିର୍ବାଚନମଣ୍ଡଳୀରେ ହାତଗଣତି କିଛି ପଞ୍ଚାୟତକୁ ଛାଡ଼ି ଦେଲେ ସରପଞ୍ଚମାନଙ୍କୁ ଆଉ ଥରେ ପ୍ରାର୍ଥୀ ନ କରିବାକୁ ବିଧାୟକମାନେ ସବୁ ପ୍ରକାର ରଣକୌଶଳ ଲଗାଇଦେଇଛନ୍ତି। ବର୍ତ୍ତମାନର ସରପଞ୍ଚଙ୍କୁ ଆଉ ଥରେ ପ୍ରାର୍ଥୀ ନ ହେବାକୁ ବିଧାୟକମାନେ ବିଭିନ୍ନ ଆଶା ଦେଖାଇ ପ୍ରବର୍ତ୍ତାଉଛନ୍ତି। ତେବେ ଯେଉଁଠି ସରପଞ୍ଚମାନେ ଜିଦ୍‌ କରି ପ୍ରାର୍ଥୀ ହେବାକୁ ଚାହୁଛନ୍ତି କିମ୍ବା ବିରୋଧୀ ଶିବିର ସହଯୋଗରେ ପ୍ରାର୍ଥୀ ହେବାକୁ ଧମକାଉଛନ୍ତି ସେମାନଙ୍କୁ ବିଧାୟକଙ୍କ ଶିବିର ପକ୍ଷରୁ ପାଲଟା ଚେତାବନୀ ବି ଦିଆଯାଉଛି। ଆବଶ୍ୟକ ସ୍ଥଳେ ନିର୍ବାଚନ ପରେ ଭିଜିଲାନ୍ସ ଚଢ଼ାଉ କରାଯାଇ ବିଗତ ପାଞ୍ଚ ବର୍ଷର କାରନାମାକୁ ଲୋକଲୋଚନକୁ ଅଣାଯିବ ବୋଲି ରୋକ୍‌ଠୋକ୍ ଜଣାଇ ଦିଆଯାଇଛି। ଏହି ଭୟରେ କିଛି ସରପଞ୍ଚ ଏକପ୍ରକାର ଆତ୍ମସମର୍ପଣ ମଧ୍ୟ କରିସାରି‌ଲେଣି। କିନ୍ତୁ ଆହୁରି କିଛି ଜିଦ୍‌ ଛାଡ଼ି ନାହାନ୍ତି।

ଶାସକ ଦଳର ଜଣେ ବିଧାୟକ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦଳୀୟ ଚିହ୍ନରେ ଲଢ଼ାଯାଉଥିବାରୁ ଜିତିବାକୁ ଅସୁବିଧା ହେବ ନାହିଁ। ଏକାଧିକ ଆଶାୟୀ ଥିଲେ ବି ଯିଏ ପ୍ରାର୍ଥୀ ହେବ ତାହାର ଜିତିବାର ସମ୍ଭାବନା ରହିବ। କିନ୍ତୁ ସରପଞ୍ଚ ପଦବି ପାଇଁ ମାପିଚୁପି ପ୍ରାର୍ଥୀ ନ ଦେଲେ ତୃଣମୂଳ ସ୍ତରରେ ସଂଗଠନ ବିଗିଡ଼ିଯିବ। ସମିତି ସଭ୍ୟ ମଧ୍ୟ ସମାନ ଭାବରେ ଗୁରୁତ୍ବ ବହନ କରୁଛନ୍ତି। ଜିଲ୍ଲା ପରିଷଦରେ ବିଜୟ ରାଜ୍ୟ ରାଜନୀତିରେ ଦଳର ଗୁରୁତ୍ବ ବଢ଼ାଇବ। କିନ୍ତୁ ସରପଞ୍ଚ ପ୍ରାର୍ଥୀଙ୍କ ବିଜୟ ତୃଣମୂଳ ସ୍ତରରେ ଦଳର ସ୍ଥିତିକୁ ମଜବୁତ୍‌ କରାଇବ। ତେଣୁ ମାପିଚୁପି ପଦକ୍ଷେପ ନ ନେଲେ ସାଧାରଣ ନିର୍ବାଚନରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ।

ସମ୍ବନ୍ଧିତ ଖବର