ଛତ୍ରପୁର : ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଛି। କେବଳ ତାରିଖ ଘୋଷଣାକୁ ସବୁ ରାଜନୈତିକ ଦଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଥିପାଇଁ ବିଭିନ୍ନ ପଞ୍ଚାୟତରେ ଆଶାୟୀ ପ୍ରାର୍ଥୀମାନେ ଚଳଚଞ୍ଚଳ‌ ହୋଇ ଉଠିଛନ୍ତି। ତେବେ କିଛି ରା‌ଜନୈତିକ ଦଳର ତୁଙ୍ଗ ଓ ବୟୋଜ୍ୟେଷ୍ଠ ନେତାଙ୍କ ପାଇଁ ଏହି ପଞ୍ଚାୟତ ନିର୍ବାଚନ ଭାଗ୍ୟ ନିର୍ଦ୍ଧାରକ ଭାବେ ଉଭା ହୋଇଛି। ଏଭଳି ଜଣେ ବୟୋଜ୍ୟେଷ୍ଠ ନେତା ହେଲେ, ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବର୍ତ୍ତମାନ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ତା। ରାଜନୈତିକ କ୍ୟାରିୟରରେ ଉତ୍‌ଥାନ ପତନ ଦେଇ ଗତି କରୁଥିବା ରାମଚନ୍ଦ୍ରଙ୍କୁ ଏହି ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଗୁରୁତ୍ବ ଦେବ ନା ସେ ଅଲୋଡ଼ା ପାଲଟିବେ, ଏହାକୁ ନେଇ ଏବେ ଗଞ୍ଜାମ ଜିଲ୍ଲା, ବିଶେଷ କରି ଛତ୍ରପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋର୍ ଧରିଛି।

Advertisment

ଛତ୍ରପୁରର ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କ ପତିଆରା ଓ ଅଭିଜ୍ଞତା ବଳରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଛତ୍ରପୁର ବ୍ଲକ୍ ଓ ଗଞ୍ଜାମ ବ୍ଲକ୍‌କୁ ଶାସକ ଦଳ ଦଖଲ କରିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ସବୁ ସମୀକରଣ ହଠାତ୍ ବଦଳିଗଲା। ଛତ୍ରପୁର ବିଜେଡିର ଦଖଲରେ ଥିବାବେଳେ ଗଞ୍ଜାମ ବ୍ଲକ୍ ବିଜେପି ହାତକୁ ଚାଲି ଯାଇଥିଲା। ଶାସକ ବିଜେଡିର ସମର୍ଥନ ପାଇ ୯ଜଣ ସମିତିସଭ୍ୟ ବିଜୟୀ ହୋଇଥିଲେ ବି ବ୍ଲକ୍ ଅଧ୍ୟକ୍ଷ ପଦବିକୁ ବିଜେପି ହାତେଇବାରେ ସଫଳ ହୋଇଥିଲା। ଶ୍ରୀ ପଣ୍ଡାଙ୍କୁ ଏହି ନିର୍ବାଚନ ବେଳେ ଗୁରୁତ୍ବ ଦିଆନଯିବାରୁ ଶାସକ ଦଳ ପାଇଁ କ୍ଷତି ହୋଇଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଥିଲେ।

publive-image Sambad English

ଅନ୍ୟପକ୍ଷରେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଶ୍ରୀ ପଣ୍ତା ହଠାତ୍ ବିଜେପି ଛାଡ଼ି ବିଜେଡିରେ ଯୋଗଦେବା ପରେ ବି ତାଙ୍କର ଅନେକ ସମର୍ଥକ ଦଳ ଛାଡ଼ି ନଥିଲେ। ସେତେବେଳେ ଯେଉଁ ୯ଜଣ ସମିତି ସଭ୍ୟ ନିର୍ବାଚିତ ହୋଇଥି‌ଲେ, ସେମା‌ନେ ସମସ୍ତେ ଶ୍ରୀ ପଣ୍ଡାଙ୍କ ସହିତ ଛତ୍ରପୁରର ପୂର୍ବତନ ବିଧାୟକ ଡା.ପ୍ରିୟାଂଶୁ ପ୍ରଧାନଙ୍କ ସମର୍ଥକ ଥିଲେ। ହେଲେ, ଶ୍ରୀ ପଣ୍ତାଙ୍କ ଅତି ନିକଟତମ ତଥା ସମିତିସଭ୍ୟ ସୁରଥ ପାହାନଙ୍କୁ ବ୍ଲକ୍ ଅଧ୍ୟକ୍ଷ କରିବାକୁ ନେଇ ଗୋଷ୍ଠୀ କନ୍ଦଳ ସ୍ଥିତି ଉପୁଜିଥିଲା। ଯାହାର ଫାଇଦା ପାଇଥିଲା ବିଜେପି। ଆଉ ବିଜେପି ସମର୍ଥିତ ନେତା ପ୍ରଶାନ୍ତ କୁମାର ନାୟକ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇଥିଲେ। ଶ୍ରୀ ପଣ୍ତା ବିଜେପିରେ ଥିବାବେଳେ ପ୍ରଶାନ୍ତ ନାୟକ ତାଙ୍କର ରାଜନୈତିକ ଶିଷ୍ୟ ଭ‌ାବେ ନିଜକୁ ପରିଚିତ କରିଥିଲେ।

ଏଭଳି ପରିସ୍ଥିତିରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବାକୁ ଶାସକ ଦଳ କସରତ ଆରମ୍ଭ କରିଛି। ଆଉ ଶ୍ରୀ ପଣ୍ଡାଙ୍କୁ ବିଜେଡି ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିବ ଓ ତାଙ୍କ ଅଭିଜ୍ଞତାକୁ କାମରେ ଲଗାଇବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଶ୍ରୀ ପଣ୍ତା ଛତ୍ରପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମେଣ୍ଟ ସରକାରରେ ଉପବାଚସ୍ପତି ଥିଲେ। ଆଜି ବି ଛତ୍ରପୁର ବ୍ଲକ୍‌ର କିଛି ପଞ୍ଚାୟତ ସମେତ ଗଞ୍ଜାମ ବ୍ଲକ୍‌ରେ ଶ୍ରୀ ପଣ୍ତାଙ୍କ ପତିଆରା ରହିଛି। ଗଞ୍ଜାମ ବ୍ଲକ୍ ରାଜନୀତି କହିଲେ ଆଜି ମଧ୍ୟ ‘ରାମଚନ୍ଦ୍ର ପଣ୍ଡା ବନାମ ଅନ୍ୟ ସମସ୍ତ ଦଳ’ ଭିତରେ ଟକ୍ଟର୍‌କୁ ବୁଝାଉଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ତାଙ୍କ ସମର୍ଥକମାନେ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ଛତ୍ରପୁର ନିର୍ବାଚନମଣ୍ତଳୀର ଶାସକ ଦଳ ନେତୃତ୍ବ ନେଉଥିବା ମୁଣ୍ଡିଆଳମାନେ ବରିଷ୍ଠ ନେତା ଶ୍ରୀ ପଣ୍ଡାଙ୍କ ସହ କିଭଳି ସମନ୍ବୟ ରଖିବେ ଏହା ଉପରେ ସମସ୍ତଙ୍କ ନଜର। ବର୍ତ୍ତମାନ ଶ୍ରୀ ପଣ୍ତା ଛତ୍ରପୁର ଓ ଗଞ୍ଜାମ ବ୍ଲକ୍‌ରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହିଛନ୍ତି। କିନ୍ତୁ ଶ୍ରୀ ପଣ୍ଡାଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଗୁରୁତ୍ବ ଦେଉଛି, ତାହା ଦେଖିବାକୁ ବାକି ରହିଛି।