ଟିଟିଲାଗଡ଼ : ଟିଟିଲାଗଡ଼ ସହରରୁ ମାତ୍ର ୩ କିମି ଦୂରରେ ଥିବା ଭାଟିପଡ଼ା ଗାଁରେ ମାଳ ମାଳ ସମସ୍ୟା। କେତେବେଳେ ଜନଗଣନାରେ ଗାଁର ଚି଼ହ୍ନବର୍ଣ୍ଣ ନଥିବା ବେଳେ ଆଉ କେତେବେଳେ ଗାଁର ଅଧିବାସୀମାନଙ୍କ ଖୋଜ ଖବର ନାହିଁ। ଅନେକ ଗ୍ରାମବାସୀଙ୍କ ପାଖରେ ଭୋଟର୍‌କାର୍ଡ, ରାସନକାର୍ଡ ଆଦି ରହିଛି। ହେଲେ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଗାଁକୁ ପହଞ୍ଚୁ ନାହିଁ। ନା ରାସ୍ତାଘାଟ ଅଛି ନା ବିଜୁଳି ସମସ୍ୟାର ସମାଧାନ ହୋଇଛି। ଗାଁରେ ବିଜୁ ପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବୁ ସାତସପନ। ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ହେଲେ ଏଯାଏ ଗାଁ ଗାଁର ସମସ୍ୟାର ସମାଧାନ ହୋଇ ନାହିଁ।

Advertisment

ବିଶେଷ କରି ଗ୍ରୀଷ୍ମ ଋତୁରେ ଗାଁର ସ୍ଥିତି ଆହୁରି ସଂଗିନ ହୋଇଥାଏ। ପାନୀୟ ଜଳ ଟିକକ ପାଇଁ ଡହଳବିକଳ ହୋଇଥାନ୍ତି ଗ୍ରାମବାସୀ। ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥାଏ। ଗାଁରେ ଥିବା ନଳକୂପ ଶୁଖି ଯାଉଥିବାରୁ ଗ୍ରାମବାସୀ ବନ୍ଧର ଅଳିଆ ପାଣି ଉପରେ ନିର୍ଭର କରିଥାନ୍ତି। ସମସ୍ୟାର ସମାଧାନ ହେଉ ନଥିବାରୁ ଆଗାମୀ ୨୪ ତାରିଖରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗାଁର ଶତାଧିକ ମହିଳା ଗୁରୁବବାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ଶୁକ୍ରବାର ଆର୍‌ଡବ୍ଲୁଏସ୍‌ଏସ୍‌ ଏସ୍‌ଡିଓ ଉକ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ସମାଧାନ କରାଯିବ ବୋଲି ସେ କହିଥିଲେ।