ପଞ୍ଚାୟତ ନିର୍ବାଚନ ସ୍ଥଗିତ ପ୍ରସଂଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ : ବର୍ତ୍ତମାନ ପରିସ୍ଥିତିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ (ଓବିସି)ଙ୍କ ପାଇଁ ଆସନ ସଂରକ୍ଷଣ ପ୍ରଦାନ କରା ନ ଯିବା ଓ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିବା କାରଣରୁ ନିର୍ବାଚନ ଏବେ ବନ୍ଦ ରଖାଯାଉ ବୋଲି ଦର୍ଶାଇ ଭାରତୀୟ ବିକାଶ ପରିଷଦ ତରଫରୁ ସୁବ୍ରତ କୁମାର ଦାସ ଓ ଗୁରୁଦେବ ବେହେରI ଏହି ଆବେଦନ ଦାୟର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆବେଦନରେ ଉଲ୍ଲେଖ କରାଯାଇଛି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶତି ସାନି ବିଜ୍ଞପ୍ତିରେ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ରଖା ନ ଯିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ପଞ୍ଚାୟତ ସମିତି ଆଇନ, ଜିଲ୍ଲା ପରିଷଦ ଆଇନ ଓ ଭାରତୀୟ ସମ୍ବିଧାନର ଧାରା ୨୪୩-ଡିର ଉଲ୍ଲଂଘନ କରୁଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ‘ଟ୍ରିପଲ ଟେଷ୍ଟ’ ପ୍ରକ୍ରିୟା ସଂପୂର୍ଣ୍ଣ କରି ଓବିସି ବର୍ଗକୁ ଉପଯୁକ୍ତ ସଂରକ୍ଷଣ ପ୍ରଦାନ କରାଯାଉ। ‘ଟ୍ରିପଲ ଟେଷ୍ଟ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ କରା ନ ଯାଉ। ଏଥିସହିତ ପୁଣି କରୋନା ସଂକ୍ରମଣ ସ୍ଥିତି ସାରା ଦେଶରେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜ୍ୟ ସରକାର ଜାନୁଆରି ମାସରେ ଦୁଇଟି ନିୟମାବଳୀ ଜାରି କରି ନାଇଟ କର୍ଫ୍ୟୁ ଜାରି କରିବା ସହିତ ବିଭିନ୍ନ କଟକଣା କଡ଼ା କଡ଼ି କରିଛନ୍ତି। ପଞ୍ଚାୟତ ନିର୍ବାଚନ ହେଲେ ଭିଡ଼ ବଢିବ, ସାମାଜିକ ଦୂରତ୍ବ ରହିବ ନାହିଁ। ସଂକ୍ରମଣ ବଢିବା ଆଶଙ୍କା ରହିଛି। ତେଣୁ ପଞ୍ଚାୟତ ନିର୍ବାଚନ ଏବେ ସ୍ଥଗିତ ରଖାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ପଞ୍ଚାୟତିରାଜ ସଚିବ, ନଗର ଉନ୍ନୟନ ସଚିବ ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।