ପୁଣି ହାଇକୋର୍ଟରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ମାମଲା: ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ

କଟକ : ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ବିବାଦ ପ୍ରସଙ୍ଗ ପୁଣି ହାଇକୋର୍ଟରେ ପହଞ୍ଚିଛି। ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ସରପଞ୍ଚ ପଦବି ସଂରକ୍ଷିତ ନ ରହିବା ପ୍ରସଙ୍ଗକୁ ବିରୋଧ କରି ଦାୟର ଦୁଇଟି ମାମଲାକୁ ହାଇକୋର୍ଟ ଆଜି ବିଚାର ପାଇଁ ଗ୍ରହଣ କରିଛନ୍ତି। ଏହି ଦୁଇ ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ନିର୍ବାଚନ କମିସନ, ପଞ୍ଚାୟତିରାଜ ସଚିବଙ୍କ ସହିତ ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନକାରୀ ଦାଖଲ କରିଥିବା ଅଭିଯୋଗ ଉପରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦୁଇ ମାମଲାରେ ସତ୍ୟପାଠ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୧୦ ତାରିଖ ଦିନ ୨ଟାରେ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲାରେ ୧୯୦ଟି ସରପଞ୍ଚ ପଦରୁ ଗୋଟିଏ ବି ଏସ୍‌ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖା ଯାଇନାହିଁ। ଖୋର୍ଦ୍ଧା‌ରେ ସମ୍ବିଧାନରେ ଥିବା ବ୍ୟବସ୍ଥା ସହିତ ସଂରକ୍ଷଣ ଆଇନ ଉଲ୍ଲଂଘନ ଅଭିଯୋଗ କରି ଟୁକୁ ମାଝୀ ଓ ଅନ୍ୟ ଚାରିଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ନିରଞ୍ଜନ ହୋତା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର