ପଞ୍ଚାୟତ ନିର୍ବାଚନ ତାରିଖ ଘୋଷିତ: ଫେବ୍ରୁଆରି ୧୬, ୧୮, ୨୦, ୨୨, ୨୪ରେ ଭୋଟ୍

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଲାଗୁ ହେଲା ଆଦର୍ଶ ଆଚରଣ ବିଧି, କୋଭିଡ୍ ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ରୁମ୍‌ ରହିବ

ଭୁବନେଶ୍ବର: ସାରା ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଆଉ ତା’ ଭିତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା ମଧ୍ୟରେ ଧାର୍ଯ୍ୟ ସମୟରେ ହେବ। ଫେବ୍ରୁଆରି ୧୬ରୁ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ଆଜି ମତଦାନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ। ଏହାସହିତ ଆଜିଠାରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ନିର୍ବାଚନ କମିସନଙ୍କ ‌ଘୋଷଣା ଅନୁଯାୟୀ, ଫେବ୍ରୁଆରି ୧୬ରୁ ୨୪ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଜାନୁଆରି ୧୩ରେ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିବେ। ଜାନୁଆରି ୧୭ରୁ ୨୧ ମଧ୍ୟରେ ମନୋନୟନ ପତ୍ର ଦାଖଲ କରାଯିବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ। ପ୍ରଥମ ଥର ପାଇଁ ଏଥର ବ୍ଲକ ସଦର ମହକୁମାରେ ଭୋଟ୍‌ ଗଣତି ହେବ। ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍‌ ଗଣତି ସହ ଫଳାଫଳ ଘୋଷଣା ହେବ। ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ମତଦା‌ତା ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବେ। ଏଥର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ହେବ। କରୋନା ସଂକ୍ରମଣ ବଢିଥିବାରୁ କମିସନର୍‌ ପ୍ରାର୍ଥୀଙ୍କ ଶୋଭାଯାତ୍ରା, ପଦଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। ୫ଜଣ ସହଯୋଗୀଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିବା ସହ ‌ଡିଜିଟାଲ୍/ଭର୍ଚୁଆଲ/ମୋବାଇଲ୍‌ ପ୍ରଚାର ଲାଗି କୁହାଯାଇଛି। କେହି ପ୍ରାର୍ଥୀ ଜିତିଲେ ବି ବିଜୟ ଶୋଭାଯାତ୍ରା କରିପାରିବେନି। ଚଳିତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ନିର୍ବାଚନ ପରିଚାଳନା ପାଇଁ ୧୪୩ କୋଟିର ବଜେଟ୍ ପ୍ରସ୍ତୁତ ହୋଇଛି।

ଆଜି ଗୀତଗୋବିନ୍ଦ ସଦନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ କହିଥିଲେ ଯେ ଭାରତୀୟ ସମ୍ବିଧାନର ଧାରା ୨୪୩-ଇ ଅନୁଯାୟୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଅବଧି ପ୍ରଥମ ବୈଠକ ଠାରୁ ୫ବର୍ଷ ଶେଷ ହେବା ପୂର୍ବରୁ ପୁନର୍ଗଠନ ହେବା ଆବଶ୍ୟକ। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଗତ ସାଧାରଣ ନିର୍ବାଚନ ୧୩.୦୨.୨୦୧୭ରୁ ୨୧.୦୨.୨୦୧୭ ମଧ୍ୟରେ ହୋଇଥିଲା। ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ବୈଠକ ଯଥାକ୍ରମେ ଉକ୍ତ ବର୍ଷ ମାର୍ଚ୍ଚ ୧୦, ୧୧ ଓ ୧୨ରେ ଅନୁଷ୍ଠିତ ହୋଇଥିଲା। ତେଣୁ ଉପରୋକ୍ତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ନିର୍ବାଚନ ତଥା ପୁନର୍ଗଠନ ଯଥାକ୍ରମେ ଚଳିତବର୍ଷର ମାର୍ଚ୍ଚ ୧୦, ୧୧ ଓ ୧୨ ପୂର୍ବରୁ ହେବା ଆବଶ୍ୟକ। କରୋନା ସଂକ୍ରମଣ ବୃଦ୍ଧି ପାଇବା ସତ୍ତ୍ବେ ସାମ୍ବିଧାନିକ ବାଧ୍ୟବାଧକତାକୁ ପାଳନ କରିବା ନିମନ୍ତେ ଯଥା ସମୟରେ ନିର୍ବାଚନ କରିବାକୁ ପ୍ରସ୍ତୁତି ହୋଇଛି। କୋଭିଡ ସଂକ୍ରମଣ ଯୋଗୁଁ ନିର୍ବାଚନ ଘୁଞ୍ଚାଇ ହେବନି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଟକଣା କୋହଳ କିମ୍ବା କଠୋର କରାଯାଇପାରେ।

କୋଭିଡ କଟକଣା କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କୁହାଯାଇଛି। ଯେଉଁମାନେ ଦୁଇ ଡୋଜ୍ ଟିକା ନେଇଥିବେ ସେମାନେ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିବେ। ଚଳିତ ନିର୍ବାଚନରେ କୋଭିଡ ପଜିଟିଭ୍ ଲୋକମାନେ ବି ଭୋଟ୍ ଦେବା ବ୍ୟବସ୍ଥା କରାଯାଇଛି। ସେମାନେ ସବା ଶେଷରେ ଭୋଟ୍‌ ଦେବେ। ଏଥିପାଇଁ ଏକ ସ୍ବତନ୍ତ୍ର ରୁମ୍ ରହିବ। ବୁଥ୍‌ରେ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବନି ସେଥିପାଇଁ ସର୍ବାଧିକ ୩୦୦ରୁ ୫୦୦ ଲୋକଙ୍କୁ ବୁଥ୍‌ ପରିସରକୁ ଛଡ଼ାଯିବ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌ ଆୟାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର