ଆଜି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

ସର୍ବଦଳୀୟ ବୈଠକରେ ନିର୍ବାଚନ ଘୁଞ୍ଚାଇବାକୁ ଦାବି କଲେ ବିରୋଧୀ

ନାମାଙ୍କନ ପତ୍ର ଦାଖଲ ବେଳେ ଜାତି ସାର୍ଟିଫିକେଟ୍ ଦାଖଲ ବାଧ୍ୟତାମୂଳକ
ଜିଲ୍ଲା ପରିଷଦ ୱାରି ତିନିଦିନ ଧରି ଭୋଟ୍‌ ଗଣତି ହେବ

ଭୁବନେଶ୍ୱର : ଆଜି ରାଜ୍ୟ ନିର୍ବାଚନ କମିସନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ଏନେଇ କମିସନରଙ୍କ ପ୍ରସ୍ତୁତିରୁ ସଂକେତ ମିଳିଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଦିନ ରାଜ୍ୟ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି। ଏହା ପରେ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି। ସଂଧ୍ୟାରେ ମୁଖ୍ୟ ସଚିବ, ଗୃହ ସଚିବ ଓ ପୁଲିସି ଡିଜିଙ୍କ ସହ କମିସନର ଆଲୋଚନା କରିଛନ୍ତି। ମଙ୍ଗଳବାର ପଞ୍ଚାୟତ ନିର୍ବାଚନ ‌ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ ବୋଲି କୁହାଯାଉଛି।

ଗତକାଲି ନିର୍ବାଚନ କମିସନର ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ କମିସନର ରାଜନୈତିକ ଦଳର ନେତାମାନଙ୍କୁ ନିର୍ବାଚନ ସମୟରେ ଲାଗୁ ହେବାକୁ ଥିବା ଗାଇଡଲାଇନ, ପ୍ରାର୍ଥୀଙ୍କ ପାଇଁ କ’ଣ ଆବଶ୍ୟକ ଏବଂ ରାଜନୈତିକ ଦଳର ଭୂମିକା ବିଷୟରେ ଅବଗତ କରାଇଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ୫ବର୍ଷର କାର୍ଯ୍ୟକାଳ ଆଗାମୀ ମାର୍ଚ୍ଚ ମାସରେ ଶେଷ ହେବାକୁ ଥିବାରୁ ସମ୍ବିଧାନର ଧାରା ୨୪୩ ଅନୁସାରେ ତା’ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବା ଦରକାର ବୋଲି କମିସନର କହିଥିଲେ। ହେଲେ ବିରୋଧୀ ଦଳଗୁଡ଼ିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନିର୍ବାଚନ ଆଉ ୨ରୁ ୩ମାସ ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ।

ବୈଠକରେ କମିସନର କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କର ଜାତି ସାର୍ଟିଫିକେଟ୍ ଦାଖଲ କରିବେ। ସଂପୃକ୍ତ ଜାତି ସାର୍ଟିଫିକେଟଗୁଡ଼ିକ ଓଡ଼ିଶା ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ।

ସେହିପରି ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ବଢ଼ାଯାଇଛି। ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏହି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ସମୟରେ ନୋଟାରୀଙ୍କ ଠାରୁ ପ୍ରାପ୍ତ ଏକ ସତ୍ୟପାଠ ଦାଖଲ କରିବାକୁ ହେବ। ୱାର୍ଡମେମ୍ବର ପ୍ରାର୍ଥୀ ସ୍ବଲିଖିତ ସତ୍ୟପାଠ ଦାଖଲ କରିବେ। ଏଥର ପ୍ରଥମ କରି ପଞ୍ଚାୟତ ନିର୍ବାଚନର ଭୋଟ୍‌ ଗଣତି ବ୍ଲକ୍‌ ସ୍ତରରେ ତିନିଦିନ ଧରି ଜିଲ୍ଲା ପରିଷଦ ୱାରି ଗଣନା କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଭିନ୍ନ ଭିନ୍ନ ପଦବି ନିମନ୍ତେ ପ୍ରାର୍ଥୀମାନଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ୍ ପେପର ବ୍ୟବହାର କରାଯିବ। ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲଟ୍ ପେପର ବ୍ୟବହାର କରାଯିବ ବୋଲି କମିସନର କହିଛନ୍ତି।

ଅବାଧ, ସ୍ବଚ୍ଛ ଓ ନିରାପଦ ନିର୍ବାଚନ ନିମନ୍ତେ ସବୁ ଜିଲ୍ଲା ପାଇଁ ଜଣେ ଓ ବଡ଼ ଜିଲ୍ଲା ପାଇଁ ଦୁଇ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। କୋଭିଡର ଦ୍ରୁତ ସଂକ୍ରମଣ ବେଳେ ନିର୍ବାଚନ ହେବାକୁ ଥିବାରୁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ସଦ୍ୟ ଜାରି କରାଯାଇଥିବା କୋଭିଡ ନିୟମାବଳୀକୁ ଅନୁସରଣ କରି ସମସ୍ତଙ୍କ ପାଇଁ ଅନୁରୂପ କୋଭିଡ଼ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବ। ମତଦାନ ସମୟରେ ଭୋଟରଙ୍କ ପରିଚୟ ନିମନ୍ତେ ଭୋଟର ଫଟୋ ପରିଚୟପତ୍ର ସହ ଆଉ ୧୨ଟି ବିକଳ୍ପ ପରିଚୟପତ୍ର ବ୍ୟବହାର କରାଯାଇପାରିବ।

ଅପରପ‌େକ୍ଷ ବିଜେପି ପକ୍ଷରୁ ଏହି ବୈଠକରେ ଯୋଗ ଦେଇଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସମ୍ପାଦକ ଅମର ନାୟକ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ତାଳମେଳ ନାହିଁ। ଆଜିର ସର୍ବଦଳୀୟ ବୈଠକ ଧର୍ମକୁ ଆଖି ଠାର ସଦୃଶ ଥିଲା। ରାଜ୍ୟ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କ ହାତବାରିସୀ ସାଜିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଜବରଦସ୍ତ ଥୋପି ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପ୍ରକାଶିତ ଚୂଡ଼ାନ୍ତ ସଂରକ୍ଷଣରେ ବିଭିନ୍ନ ବର୍ଗର ଜନସଂଖ୍ୟାର ପ୍ରତିଶତ ସହ ବର୍ତ୍ତମାନର ପ୍ରକାଶିତ ଚୂଡ଼ାନ୍ତ ସଂରକ୍ଷଣର ତାଳମେଳ ନାହିଁ। ଭୋଟର ତାଲିକାରେ ବ୍ୟାପକ ଚଞ୍ଚକତା କରାଯାଇଛି। ଭୋଟ୍‌ଗଣତିରେ ସ୍ବଚ୍ଛତା ରହିବନି। ଗଣତି ଘୋଷଣା ପ୍ରକ୍ରିୟାରେ ଅସାମଞ୍ଜସ୍ୟ ଦେଖାଗଲେ ଅଭିଯୋଗ ସମୟ ସୀମା ମାତ୍ର ୫ମିନିଟକୁ ବଢ଼ାଯାଉ। ଅଭିଯୋଗ ଗ୍ରହଣ କରିବାକୁ ସ୍ବତନ୍ତ୍ର ଟିମ୍ ଗଠନ ହେଉ। ଭୋଟର ଚିରୁକୁଟି ବଣ୍ଟନ ଦାୟିତ୍ବ ଅଙ୍ଗନୱାଡି କର୍ମୀ ଓ ଆଶା ଦିଦିଙ୍କୁ ଦିଆନଯାଉ। କୋଭିଡ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ଆଉ ଦୁଇରୁ ତିନିମାସ ଘୁଞ୍ଚାଯାଉ।

ସେହିପରି ଏହି ବୈଠକରେ କଂଗ୍ରେସର ଗଣେଶ୍ବର ବେହେରା, ଶିବାନନ୍ଦ ରାୟ, ବିଜେଡିର ଅମର ପଟ୍ଟନାୟକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରମେଶ ଚନ୍ଦ୍ର ପାଢ଼ୀ, ସିପିଆଇ(ଏମ୍‌)ର ଦୁଷ୍ମନ୍ତ କୁମାର ପାଢ଼ୀ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାମଚନ୍ଦ୍ର ହାଁସଦା, ଏନ୍‌ବିଏନ୍‌ଏସ୍‌ପିର ଜଳଧର ନାୟକ, ଭିଲେଜର୍ସ ଇଣ୍ଡିଆ ପାର୍ଟିର ସୁଧାଂଶୁବାଳା ମିଶ୍ର, ଆମ୍‌ ଆଦ୍‌ମି ପାର୍ଟିର ସୌମ୍ୟରଞ୍ଜନ ସ୍ବାଇଁ, କଳିଙ୍ଗ ସେନାର ହେମନ୍ତ ରଥ, ବିଏସ୍‌ପିର ମଧୁସୂଦନ ଯାଦବ, ସୁପ୍ରିମ ଜି‌େରାପାର୍ଟି ଅଫ୍ ଭାରତର ଶାନ୍ତିଲତା ରାଉତ, ସମୃଦ୍ଧ ଓଡ଼ିଶା ପାର୍ଟିର ନିରାକର ବେହେରା, ରାଷ୍ଟ୍ରୀୟ ଜନତା ଦଳର ହେମନ୍ତ କର, ବହୁଜନ ମୁକ୍ତି ପାର୍ଟିର ଭରତ ଚନ୍ଦ୍ର ସିଂହ, ଅଳ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକର ଜ୍ୟୋତିରଂଜନ ମହାପାତ୍ର, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆର ବିଜୟ କୁମାର ବେହେରା, ଓଡ଼ିଶା ଜନତା ପାର୍ଟିର ତଥାଗତ ସ୍ବାଇଁ, ଏସ୍‌ୟୁସିଆଇର ସୁବାସ ନାୟକଙ୍କ ସମେତ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌ ଆୟାର, ଉପସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ, ଆଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର